ଭୁବନେଶ୍ବର : ମହାମାରୀ କୋଭିଡ୍‌-୧୯ ସଂକ୍ରମଣ ରୋକିବାକୁ ତାଲାବନ୍ଦ ଲାଗୁ ହେବା ପରେ ପରେ ବଢ଼ି ଯାଇଥିବା ଡାଲି ଦର ଏବେ ଖସିବା ଆରମ୍ଭ କରିଛି। ଗତ ଦୁଇ ଦିନ ମଧ୍ୟରେ ପ୍ରାୟ ସମସ୍ତ ଡାଲି ଜାତୀୟ ଖାଦ୍ୟ ଶସ୍ୟର କ୍ବିଣ୍ଟାଲ ପିଛା ଦର ୫ଶହ ଟଙ୍କାରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ଫଳରେ ଖାଉଟିମାନଙ୍କୁ ଏହା ବେଶ୍ ସୁହାଇଥିବା କୁହାଯାଉଛି। ତେବେ ସମ୍ପ୍ରତି ଆମଦାନି ଅନୁସାରେ ଖାଉଟି ବଜାରରେ ଡାଲିର ଚାହିଦା ହ୍ରାସ ପା‌ଇଥିବାରୁ ଏଭଳି ଦର କମିଥିବା ବ୍ୟବସାୟୀ ମହଲରୁ ସୂଚନା ମିଳିଛି।

Advertisment

କରୋନା କଟକଣା ଜନିତ ତାଲାବନ୍ଦ ଲାଗୁ ହେବା ପରେ ପରେ ଅର୍ଥାତ୍ ମାର୍ଚ୍ଚ ଶେଷ ସପ୍ତାହ‌ରେ ହଠାତ୍ ପ୍ରାୟ ବଜାର ଦର ବୃଦ୍ଧି ପାଇଥିଲା। ଯାନାବାହନ ଚଳାଚଳ ହୋଇନପାରିବାରୁ ବହୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଖାଉଟିଙ୍କୁ ହନ୍ତସନ୍ତ କରିଥିଲା। ଖୁଚୁରା ବଜାରରେ ୯୦ ଟଙ୍କା‌ରେ ମିଳୁଥିବା ଭଲ ମାନର ହରଡ଼ ଡାଲି ଦର ୧୦୦ ଟଙ୍କାକୁ ଟପି ଯାଇଥିଲା। ମୁଗ, ବିରି, ବୁଟ, ମଟର ଆଦି ସମସ୍ତ ଡାଲି ଜାତୀୟ ଖାଦ୍ୟ ଶସ୍ୟ କ୍ବିଣ୍ଟାଲ ପିଛା ହଜାରେ ଦେଢ଼ ହଜାର ଟଙ୍କାକୁ ବଢ଼ି ଯାଇଥିଲା। ଫଳରେ ମୁଗ ଡାଲି କିଲୋ ୧୧୦ ଟଙ୍କା, ବୁଟ କିଲୋ ୭୦ ଟଙ୍କା, ଦେଶୀ ମଟର କିଲୋ ୭୦ ଟଙ୍କା‌, ବିଦେଶୀ ମଟର କିଲୋ ୮୦ ଟଙ୍କା ଓ ବିରି ଡାଲି ୧୦୦ ଟଙ୍କାକୁ ଛୁଇଁ ଯାଇଥିଲା। ଏହି ବର୍ଦ୍ଧିତ ଦର ପ୍ରାୟ ଦେଢ଼ ମାସ ରହିବା ପରେ ଏବେ ତଳମୁହାଁ ହୋଇଛି। ଖୁଚୁରା ବଜାରରୁ ମିଳିଥିବା ତଥ୍ୟାନୁସାରେ ଏବେ ଭଲ ମାନର ହରଡ଼ ଡାଲି କିଲୋ ୮୫ରୁ ୯୦ ଟଙ୍କାରେ ମିଳୁଛି। ସେହିଭଳି ମୁଗ ଡାଲି କିଲୋ ୯୫ ଟଙ୍କା, ବୁଟ କିଲୋ ୬୦ରୁ ୬୫ ଟଙ୍କା, ବିରି ଡାଲି କିଲୋ ୯୫ ଟଙ୍କା ଓ ମଟର କିଲୋ ୬୦ରୁ ୬୫ ଟଙ୍କାକୁ ହୋଇଛି। ଅର୍ଥାତ୍ ପ୍ରାୟ ସବୁ ପ୍ରକାର ଡାଲିରେ କିଲୋ ପିଛା ୫ରୁ ୧୦ ଟଙ୍କା (ମୁଗ ଓ ବିରି ପାଖାପାଖି ୧୫ ଟଙ୍କା କମିଛି) ମଧ୍ୟରେ ହ୍ରାସ ପାଇଛି।

ଡାଲି ଦର ହ୍ରାସର କାରଣ ବୁଝାଇବାକୁ ଯାଇ ବ୍ୟବସାୟୀମାନଙ୍କ କହିବା କଥା ଏବେ ଡାଲି ଭଳି ବହୁ ଖାଦ୍ୟ ସାମଗ୍ରୀ ବଜାରରେ ଚାହିଦା ବେଶ୍ ହ୍ରାସ ପାଇଛି। ଫଳରେ କେବଳ ଡାଲି ନୁହେଁ, ତେଲ ଓ ଅଟା ଭଳି ସାମଗ୍ରୀ ଦର ମଧ୍ୟ କମିଛି। ରାଜ୍ୟ ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡାଙ୍କ କହିବା କଥା ଭାରତୀୟ ମୁକ୍ତ ବାଣିଜ୍ୟ ବଜାରରେ ସାମଗ୍ରୀମାନଙ୍କ ଦର ଆମଦାନି ଓ ଗ୍ରାହକ ଚାହିଦା ଚକ୍ର ଉପରେ ନିର୍ଭର କରେ। ଏହି ଚକ୍ରରେ କୌଣସି ପଏଣ୍ଟରେ ସମସ୍ୟା ହେଲେ ଦର ବୃଦ୍ଧି ବା ହ୍ରାସ ପାଇଥାଏ। ତାଲା ବନ୍ଦ କୋହଳ ହେବା ପରେ ଯାନାବାହାନ ଚଳାଚଳ ବୃଦ୍ଧି ପାଇଥିବାରୁ ଏବେ ଆମଦାନି ଠିକ୍‌ ରହିଛି, ମାତ୍ର ଲୋକଙ୍କ ରୋଜଗାର ପ୍ରଭାବିତ ହୋଇଥିବାରୁ ଚାହିଦା ବହୁ ମାତ୍ରାରେ ହ୍ରାସ ପାଇଛି। ଦିନ ମଜୁରିଆ ଶ୍ରମିକ ଶ୍ରେଣୀ ଓ ସ୍ବଳ୍ପ ବେତନଭୋଗୀ ଘରୋଇ ସଂସ୍ଥା ସମୂହର କର୍ମଜୀବୀମାନଙ୍କ ରୋଜଗାର ହ୍ରାସ ପାଇଛି। ତେଣୁ ଲୋକେ ମାପିଚୁପି ବ୍ୟୟ କରିବାକୁ ବାଧ୍ୟ ହେଉଛନ୍ତି। ତେବେ ଏଭଳି ଏକ ଜାତୀୟ ମହାବିପତ୍ତି ବେଳେ ପରିବା ପତ୍ର ଓ ଖାଦ୍ୟ ଶସ୍ୟ ଦର ହ୍ରାସ ପାଇଥିବାରୁ ଗରିବ ‌ଲୋକମା‌ନଙ୍କୁ ଆଶ୍ବସ୍ତି ମିଳିଛି ବୋଲି କୁହାଯାଉଛି।