ରାଜଧାନୀରେ ଦଲାଇଲାମା

ଭୁବନେଶ୍ୱର : ସେ ମତେ ମୋ ବୟସ ପଚାରିଲେ। ମୁଁ କହିଲି ୮୬। ସେ ସେଇଠୁ ହାତର ଭଙ୍ଗୀରେ ନିଜର ପ୍ରତିକ୍ରିୟାକୁ ବ୍ୟକ୍ତ କରି କହିଲେ, ତମେ ମୋ’ଠୁ ବି ବୟସରେ ବଡ଼। ମୋ ସାମ୍ନାରେ ଭଗବାନଙ୍କୁ ଦେଖିବା ଭଳି ହୃଦ୍‌ବୋଧ ହେଉଥିଲା ବେଳେ ଦଲାଇଲାମାଙ୍କର ମୋ ପ୍ରତି ଏ ପ୍ରଶ୍ନ ମୋର ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିିବ। ଶାନ୍ତି, ପ୍ରେମ, ଅହିଂସା, ସ୍ୱାଭିମାନ, କର୍ତବ୍ୟନିଷ୍ଠା ଓ ବିଶ୍ୱ ବନ୍ଧୁତ୍ୱର ଦେବ ପ୍ରତିମ ବ୍ୟକ୍ତିତ୍ୱ ତଥା ବିଶ୍ୱର ବିଶିଷ୍ଟ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ଭେଟିବା ପରେ ନିଜ ପ୍ରତିକ୍ରିୟାକୁ ଏମିତି ବ୍ୟକ୍ତ କରିଥିଲେ, ୮୬ ବର୍ଷୀୟ ସେରିଙ୍ଗ୍‌ ସୋ। ଖାସ୍‌ ଦଲାଇଲାମା ଆସୁଥିବା ଶୁଣି ଗଜପତିସ୍ଥିତ ଚନ୍ଦ୍ରଗିରିରୁ ନିଜ ପରିବାର ସହ ଧାଇଁ ଆସିଥିଲେ ସେରିଙ୍ଗ୍‌। ପରିଣତ ବୟସରେ ବି ହ୍ଵିଲ୍‌ ଚେୟାରରେ ବସି ଦଲାଇଲାମାଙ୍କ ଦର୍ଶନ ପାଇଁ ସେ ଅପେକ୍ଷା କରିଥିଲେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ। ଦଲାଇଲାମା ସେ ସ୍ଥାନ ଛାଡ଼ିବା ପର୍ଯ୍ୟନ୍ତ ହାତ ଯୋଡ଼ି ହସହସ ବଦନରେ ନିଜର ଆନ୍ତରିକ ଭକ୍ତି ଓ ଶ୍ରଦ୍ଧା ବ୍ୟକ୍ତ କରିଥିଲେ ସେରିଙ୍ଗ୍‌।

ତେବେ ଖାଲି ସେରିଙ୍ଗ୍‌ ନୁହନ୍ତି, ଗଜପତିରୁ ପ୍ରାୟ ୬୦ ଜଣ ତିବ୍ଦତୀୟ ଆବାଳ ବୃଦ୍ଧ ବନିତା ବ୍ରହ୍ମପୁରରୁ ୮୦ କିଲୋମିଟର ଦୂରରେ ଅବସ୍ଥିତ ଚନ୍ଦ୍ରଗିରିରୁ ଧାଇଁ ଆସିଥିଲେ ଦଲାଇଲାମାଙ୍କ ଦର୍ଶନ ପାଇଁ। ତିବ୍ଦତୀୟଙ୍କ ପରମ୍ପରା ମୁତାବକ ତାଙ୍କ ହାତରେ ଥିଲା ଖଦଡ଼ (ଆମ ପରମ୍ପରାରେ ଯେପରି ମାଳ) ଏବଂ କିଛି ବ୍ୟକ୍ତିଙ୍କ ହାତରେ ଥିଲା ଧୂପ। ବିମାନ ବନ୍ଦରରୁ ବାହାରିବା କ୍ଷଣି ପାରମ୍ପରିକ ରୀତିରେ ସ୍ୱାଗତ କରିଥିଲେ ସେମାନେ। ଦଲାଇଲାମା ବି ସେମାନଙ୍କୁ ଦେଖି ଖୁସିରେ ଆତ୍ମହରା ହୋଇ ପଡ଼ିଥିଲେ। ଗାଡ଼ିରେ ବସିବା ପୂର୍ବରୁ ବିମାନ ବନ୍ଦର ସେଡ୍‌ରେ ରେଲିଂ ଉପରେ ଝୁଙ୍କି ପଡ଼ି କଥା ହୋଇଥିଲେ ତାଙ୍କୁ ନିବିଡ଼ ଭାବେ ଭଲ ପାଉଥିବା ତିବ୍ଦତୀୟ ଭକ୍ତଙ୍କୁ। ଶିଶୁଙ୍କଠୁ ନେଇ ମହିଳା ଓ ଯୁବବର୍ଗ ତାଙ୍କୁ ଧୂପ ଓ ଖଦଡ଼ ସାଙ୍କେତିକ ଭାବେ ଅର୍ପଣ କରି ବନ୍ଦାପନା କରିଥିଲେ। ସେରିଙ୍ଗ୍‌ଙ୍କ ପୁଅ ଲେ ଢୋଣ୍ଡୁପ୍‌ ମଧ୍ୟ ନିଜ ମା’ଙ୍କୁ ଦଲାଇଲାମାଙ୍କ ଦର୍ଶନ କରାଇ ଦେବାପରେ ମା’ଙ୍କ ଇଚ୍ଛା ପୂରଣ ହୋଇଥିବାରୁ ନିଜର ଖୁସି ଅଟକାଇ ପାରି ନଥିଲେ। ନିଜେ ମଧ୍ୟ ଦଲାଇଲାମାଙ୍କୁ ଦେଖିବା ପରେ ଯେମିତି ଭାବ ବିହ୍ଵଳ ହୋଇ ପଡ଼ିଥିଲେ।

ଦଲାଇଲାମା ଏୟାରପୋର୍ଟରୁ ବାହାରିବା ପୂର୍ବରୁ ସମସ୍ତଙ୍କ ମୁହଁରେ ଏକ ଅଦ୍ଭୁତ ଉଦ୍ଦୀପନା ଖେଳି ଯାଇଥିଲା। ଦଲାଇଲାମା ବାହାରିବା ମାତ୍ରେ ଉତ୍ସାହୀ ଭକ୍ତମାନଙ୍କୁ ଦେଖି ଅଟକି ଯାଇଥିଲେ। ସିଧା କଥାବାର୍ତା କରିବାକୁ ପାଖ ରେଲିଂ ଉପରେ ଝୁଙ୍କି ପଡ଼ିଥିଲେ। କେଉଁଠୁ ଆସିଛ ଏବଂ କେମିତି ଅଛ ବୋଲି ପଚାରିଥିଲେ। ତେବେ ଜଣେ ତିବ୍ଦତୀୟ ଯୁବକଙ୍କର ଅଣ୍ଡରକଟ୍‌ ହେୟାର ଷ୍ଟାଇଲ୍‌ (ଲୋ ଫେଡ୍‌) ଦେଖି ହାତରେ ନିଜ ମୁଣ୍ଡ ଉପରେ ଅଭିନୟ କରିବା ସଦୃଶ ପଚାରିଥିଲେ ଇଏ କ’ଣ ? ଯୁବକ ଜଣଙ୍କ ଏହା ଶୁଣି ଅଳ୍ପ ହସି ଲାଜେଇ ଯାଇଥିଲେ। କିଛି କୁନିକୁନି ପିଲା ମଧ୍ୟ ତାଙ୍କ ସହ କଥାବାର୍ତା ହେବାକୁ ଚାହୁଁଥିବାର ସେ ଲକ୍ଷ୍ୟ କରିଥିଲେ। ତେଣୁ ଦଲାଇଲାମା ନିଜର ହସକୁରା ସ୍ୱଭାବରେ ସେମାନଙ୍କୁ ହାତ ହଲାଇ ଶ୍ରଦ୍ଧା ବ୍ୟକ୍ତ କରିଥିଲେ। କିଛି ଯୁବତୀ ଦଲାଇ ଲାମାଙ୍କୁ ଦେଖି ନିଜର ଖୁସି ବ୍ୟକ୍ତ କରି କହିଲେ, ସବୁବେଳେ ତାଙ୍କୁ ସମ୍ବାଦପତ୍ର କି ଟିଭି ପରଦାରେ ଦେଖିଥିଲୁ। ଆଜି କିନ୍ତୁ ତାଙ୍କୁ ସାମ୍ନାସାମ୍ନି ଦେଖି ଭଗବାନଙ୍କୁ ଜୀବନ୍ତ ଦର୍ଶନ କରିବା ଭଳି ଅନୁଭବ ହୋଇଛି। ଅଳ୍ପ କ୍ଷଣ ପାଇଁ ହେଉ ପଛେ ଦଲାଇ ଲାମାଙ୍କ ହସହସ ମୁହଁର ମିଠାମିଠା କଥା ଏକ ଆବେଗମୟ ପରିବେଶ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର