ଏସିପି କାର୍ଯ୍ୟାଳୟ ସମ୍ମୁଖରେ ଦଳିତ ଆଦିବାସୀ ମହାସଂଘର ବିକ୍ଷୋଭ

ଭୁବନେଶ୍ବର: ୩ ଦଫା ଦାବି ନେଇ ଆଜି ଜାତୀୟ ଦଳିତ ଆଦିବାସୀ ମହାସଂଘ ପକ୍ଷରୁ ଜୋନ୍‌-୪ ଏସିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ(ଲକ୍ଷ୍ମୀସାଗର ଥାନା) ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦଳିତ ପରିବାର ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରିବା, ଉକ୍ତ ପରିବାରକୁ ସୁରକ୍ଷା ଯୋଗାଇବା ସହ ୭ ଦିନ ମଧ୍ୟରେ ଆଇନ୍ ଅନୁସାରେ କ୍ଷତିପୂରଣ ଦେବା ଏବଂ ଏଭଳି ମାମଲା‌ରେ ଅବହେଳା କରିଥିବା ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି କରି ଧାରଣା ଦିଆଯାଇଥିଲା।

ସଂଘର ଅଭିଯୋଗ ଅନୁସାରେ, ଜୁନ୍‌ ୧୫ ତାରିଖ ରାତିରେ ବାଲିପାଟଣା ଥାନା ଧାନହରା ଅଞ୍ଚଳର ରାମଚନ୍ଦ୍ର ନାଏକ ଓ ତାଙ୍କ ପୁଅ ରଂଜନ ବଜାରରୁ ଘରକୁ ଫେରୁଥିଲେ। ହଠାତ୍ ବାଟରେ ଗାଡ଼ିରେ କୌଣସି ତ୍ରୁଟି ଦେଖାଦେବାରୁ ସେମାନେ ରାସ୍ତାକଡ଼ରେ ଗାଡ଼ି ରଖି ନିଜେ ସଜାଡ଼ିବାକୁ ଚେଷ୍ଟା କରୁଥିଲେ। ସେହି ସମୟରେ କିଛି ଯୁବକ ବାପା-ପୁଅଙ୍କୁ ମାଡ଼ ମାରିଥିଲେ। ଏତିକିରେ ସେମାନଙ୍କ ରାଗ ଥମି ନଥିଲା, ସେମାନେ ତାଙ୍କ ଘରେ ପଶି ମହିଳାଙ୍କୁ ଗାଳିଗୁଲଜ କରିଥିଲେ। ଏନେଇ ବାଲିପାଟଣା ଥାନାରେ ଅଭିଯୋଗ କରାଯାଇଥିଲା। ଇତି ମଧ୍ୟରେ ୨୨ ଦିନ ବିତିଯାଇଥିଲେ ବି ଆକ୍ରମଣକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ତେଣୁ ଆଜି ମହାସଂଘର ଖୋର୍ଦ୍ଧା ଜିଲ୍ଲା ସଭାପତି ଅଶୋକ ଭୋଇ, ଲିଟୁ ଦାସ, ପୀତବାସ ନାୟକ, ପ୍ରକାଶ ପ୍ରଧାନ, ଟିକିନା ପରିଡ଼ା, ରାଜ୍ୟ ସମ୍ପାଦକ ଜଗନ୍ନାଥ ଭୋଇ ପ୍ରମୁଖ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର