ସେ ବମ୍ବେ ଚଳଚ୍ଚିତ୍ର ଜଗତର ଜଣେ ପ୍ରମୁଖ ସାଉଣ୍ଡ୍ ଇଂଜିନିୟର୍। ବମ୍ବେ ଅଭିନୟ କରିବାକୁ ଯାଇ ଜୀବନର କଷଟି ପଥରରେ ସେ ଘଷି ହୋଇଥିଲେ। ସେହି ଘର୍ଷଣ ଆଜି ତାଙ୍କୁ ସୁନା ଭଳି ଚମକାଇଛି। ୭୧ତମ ଜାତୀୟ ପୁରସ୍କାର ଉତ୍ସବରେ ତାଙ୍କ ଚଳଚ୍ଚିତ୍ର ‘ମୋ ବୋଉ ମୋ ଗାଁ’ ଶ୍ରେଷ୍ଠ ଆତ୍ମଜୀବନୀ ବର୍ଗରେ ପୁରସ୍କୃତ ହୋଇଛି। ‘କିକ୍ସି ଡିକ୍ସି ଫିଲ୍ମ’ ଓ ‘ଆର୍ଏନ୍ଭି ୧୮୨୦ ଫିଲ୍ମ’ ବ୍ୟାନର୍ରେ ପ୍ରସ୍ତୁତ ଏହି ଓଡ଼ିଆ ପ୍ରାମାଣିକ ଚଳଚ୍ଚିତ୍ର ରଜତ କମଳ ପୁରସ୍କାର ଲାଭ କରିଛି। ମଙ୍ଗଳବାର ଦିଲ୍ଲୀ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ଏହାର ପୁରସ୍କାର ବିତରଣ ସମାରୋହରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ସେ ହେଉଛନ୍ତି, ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ବଲିଉଡ୍ର ଜଣାଶୁଣା ସାଉଣ୍ଡ ଇଂଜିନିୟର ସୁବାସ ସାହୁ। ଆଜି ସେ ଭୁବନେଶ୍ବର ଆସିଥିବା ଅବସରରେ ତାଙ୍କୁ ସାକ୍ଷାତ କରିଥିଲେ ଆମ ପ୍ରତିନିଧି ସସ୍ମିତା ସାହୁ।
ଆପଣଙ୍କ ଚଳଚ୍ଚିତ୍ର ଯାତ୍ରା କେବେଠୁ ଆରମ୍ଭ ହୋଇଥିଲା?
ପୁନେ ଚଳଚ୍ଚିତ୍ର ପ୍ରତିଷ୍ଠାନରୁ ଉତ୍ତୀର୍ଣ୍ଣ ହେବା ପରେ ବମ୍ବେରେ ମୁଁ ଅଭିନୟ କରିବାକୁ ବେଶ୍ ଚେଷ୍ଟା କରିଥିଲି। ହେଲେ ମୋର ହିନ୍ଦୀ ଉଚ୍ଚାରଣ ଏତେ ସ୍ପଷ୍ଟ ନଥିବାରୁ ସେ ସୁଯୋଗ ମୋତେ ମିଳିଲା ନାହିଁ। ଏହାପରେ ୨୦୦୬ରୁ ୨୦୦୮ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ଚଳଚ୍ଚିତ୍ର କରିବାକୁ ବି ବହୁ ଚେଷ୍ଟା କଲି। କିନ୍ତୁ କୌଣସି ବଡ଼ ବ୍ୟାନର୍ ମୋ ସହ କାମ କାରିବାକୁ ରାଜି ହେଲେନାହିଁ। ଏଣୁ ମୁଁ ମୋର ପ୍ରଚେଷ୍ଟା ଆରମ୍ଭ କରିଥିଲି। ୨୦୧୧ ମସିହାରେ ମୁଁ ଇଂରାଜୀ ଭାଷାରେ ‘ଦ ସାଉଣ୍ଡ୍ ମ୍ୟାନ୍ ମଙ୍ଗେଶ୍ ଦେଶାଇ’ ଚଳଚ୍ଚିତ୍ର ନିର୍ମାଣ କଲି। ଏହା ଏସିଆର ଏକ ପ୍ରମୁଖ ଚଳଚ୍ଚିତ୍ର ଉତ୍ସବ ‘ମାମି(ମୁମ୍ବାଇ ଏକାଡେମୀ ଅଫ୍ ମୁଭିଂ ଇମେଜ୍)’ରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଥିଲା। ଏହା ପରେ ଦେଶବିଦେଶର ପ୍ରାୟ ୩୦ରୁ ୩୫ଟି ଚଳଚ୍ଚିତ୍ର ଉତ୍ସବରେ ଏହା ପ୍ରଦର୍ଶିତ ହୋଇଛି।
ଆପଣ କେଉଁ ବର୍ଗର ଚଳଚ୍ଚିତ୍ର କରିବାକୁ ଲକ୍ଷ୍ୟ ରଖିଛନ୍ତି?
ବଜେଟ୍ କମ୍ ଥିବାରୁ ମୁଁ ସାମାଜିକ ପ୍ରସଙ୍ଗ ଓ ସଂସ୍କୃତି ତଥା ପରମ୍ପରାକୁ ନେଇ ଚଳଚ୍ଚିତ୍ର କରିବା ଆରମ୍ଭ କରିଥିଲି। ଫଳରେ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ କରିଥିବା ସମସ୍ତ ଚଳଚ୍ଚିତ୍ର ‘ପ୍ରାମାଣିକ ଚଳଚ୍ଚିତ୍ର’ ବର୍ଗର ହୋଇଯାଇଛି। ‘ଦ ସାଉଣ୍ଡ୍ ମ୍ୟାନ୍ ମଙ୍ଗେଶ୍ ଦେଶାଇ’ ପରେ ହିନ୍ଦୀ ଭାଷାରେ ‘ନକ୍ ନକ୍’, ଭଗବତ୍ ଗୀତାର ଜନ୍ମ, ମୃତ୍ୟୁ ଓ ଜୀବନଚକ୍ର ଆଦି ତିନି ଅଧ୍ୟାୟକୁ ନେଇ ନିର୍ବାକ ଚଳଚ୍ଚିତ୍ର ‘ତିନ୍ ଅଧ୍ୟାୟ’ ଆଦି ପ୍ରାମାଣିକ ଚଳଚ୍ଚିତ୍ର ସଫଳ ହୋଇପାରିଛି। ବର୍ତ୍ତମାନ ପ୍ରାମାଣିକ ସହ କାଳ୍ପନିକ ତଥା ବାଣିଜ୍ୟିକ ଚଳଚିତ୍ର ବି ନିର୍ମାଣ କରିବାର ଯୋଜନା କରିଛି।
ଜାତୀୟ ପୁରସ୍କାର ପାଇଥିବା ‘ମୋ ବୋଉ ମୋ ଗାଁ’ରେ ସ୍ବତନ୍ତ୍ରତା କ’ଣ ରହିଛି?
‘ମୋ ବୋଉ ମୋ ଗାଁ’ ଚଳଚ୍ଚିତ୍ରର କାହାଣୀ ମୋ ନିଜ ବୋଉ ଉପରେ ଆଧାରିତ। ଏଥିରେ ଖାଣ୍ଟି ଓଡ଼ିଆ ଘରର ‘ବୋଉ’ ଚରିତ୍ର ସହ ଗାଁର ସଂସ୍କୃତି ଓ ପରମ୍ପରାକୁ ନିଖୁଣ ଭାବେ ଉପସ୍ଥାପିତ କରାଯାଇଛି। ଏହାର ସୁଟିଂ ପାଇଁ ଦିନେ କି ମାସେ ନୁହେଁ ୧୮ବର୍ଷ ସମୟ ଲାଗିଥିବା ବେଳେ ପୋଷ୍ଟ ପ୍ରଡକ୍ସନ ପାଇଁ ଦୁଇବର୍ଷର ସମୟ ଲାଗିଛି। ୨୦୦୪ ମସିହାରୁ ଆରମ୍ଭ ହୋଇଥିବା ଏହି ଫିଲ୍ମର ସୁଟିଂ ୨୦୨୩ରେ ଶେଷ ହୋଇଥିଲା। ମୋ ବୋଉ କେନ୍ଦ୍ରାପଡ଼ା ଜିଲ୍ଲା ବଲୁରିଆ ଗାଁରେ ‘ସେବ ବୋଉ’ ଚରିତ୍ର, ଯିଏ ଗାଁର ସଂସ୍କୃତି, ପରମ୍ପରା ଆଉ ଚଳଣିକୁ ସାତ ଦଶନ୍ଧି ଧରି ବଞ୍ଚାଇ ରଖିବାର ଅହରହ ପ୍ରୟାସ କରିଥିଲେ।
ଚଳଚ୍ଚିତ୍ରର ସୁଟିଂ କେଉଁଠାରେ ହୋଇଛି?
ଏହି ୬୩ ମିନିଟ୍ର ଚଳଚ୍ଚିତ୍ରକୁ ଖାଣ୍ଟି ଓଡ଼ିଆ ସ୍ପର୍ଶ ଦେବାକୁ ଆମେ କେନ୍ଦ୍ରାପଡ଼ାର ବଲୁରିଆ ଗାଁ ଓ ଭୁବନେଶ୍ବରରେ ଏହାକୁ ସୁଟିଂ କରିଛୁ।
ମୁମ୍ବାଇ ଓ ଓଡ଼ିଆ ଚଳଚ୍ଚିତ୍ର ଜଗତ ମଧ୍ୟରେ ଫରକ୍ କ’ଣ?
କେବଳ ବଜେଟ୍ର ଫରକ୍। ସେଠାରେ ଟଙ୍କା ଓ ନିର୍ମାତା ପ୍ରବଳ। ଏଣୁ ଟେକ୍ନିକାଲ୍ ଟିମ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ ହୋଇପାରୁଛି। କିନ୍ତୁ ଏବେ ଓଡ଼ିଆ ସିନେ ଶିଳ୍ପରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଆସନ୍ତା ୫ ବର୍ଷରେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଆଖିଦୃଶିଆ ଉତ୍ଥାନ ହେବାକୁ ଯାଉଛି।
ଭଲ ଚଳଚ୍ଚିତ୍ର ନିର୍ମାଣ ପାଇଁ ବଜେଟ୍ କେତେ ଅପରିହାର୍ଯ୍ୟ?
ଭଲ ଚଳଚ୍ଚିତ୍ର ପାଇଁ ବଡ଼ ବଜେଟ୍ ଜରୁରି, ତାହାକୁ ‘ବୋଉ ବୁଟୁ ଭୂତ’ ଭୁଲ୍ ପ୍ରମାଣ କରିଛି। ତେବେ ଆମେ ଡାଲ୍ମା ମସଲାରେ ତ’ ଚିକେନ ତରକାରୀ କରିପାରିବାନି ନା! ଠିକ୍ ସେହିଭଳି କମ୍ ବଜେଟ୍ରେ ‘ବାହୁବଳୀ’ ଭଳି ଚଳଚ୍ଚିତ୍ରର ପରିକଳ୍ପନା ମୁର୍ଖାମି ହେବ। କିନ୍ତୁ କମ୍ ବଜେଟ୍ରେ ସେହି ବର୍ଗର ଚଳଚ୍ଚିତ୍ର କରି ଆମେ ଦର୍ଶକ ଟାଣିପାରିବା ଓ ଭଲ ରୋଜଗାର ବି କରିପାରିବା।