ନଷ୍ଟ ହେଇଗଲା ଛତୁଆ ସାମଗ୍ରୀ

ଭୁବନେଶ୍ବର,: ବାତ୍ୟା ପ୍ରକୋପରେ ସଞ୍ଜୀବନୀ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ଛତୁଆ ପ୍ରସ୍ତୁତି ଘ‌ରେ ଗଛ ପଡ଼ି ଘର ଭାଙ୍ଗିବା ସହ ପାଣି ପଡ଼ି ଛତୁଆ, ଛତୁଆ ପାଇଁ ମହଜୁଦ ଥିବା ସାମଗ୍ରୀ ଓ ଅନ୍ୟ ସାମଗ୍ରୀ ବିଣ୍ଡି ମାରିଯାଇଛି। ଏହି ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ୧୦୨ ଅଙ୍ଗନବାଡ଼ି କେନ୍ଦ୍ରକୁ ଛତୁଆ ଯୋଗାଣ ହେବାର ଥିଲେ ହେଁ ସେଗୁଡ଼ିକ ନଷ୍ଟ ହୋଇଯିବା ପରେ ଏବେ ସେଇ ଅଙ୍ଗନବାଡ଼ିଗୁଡ଼ିକୁ କିଭଳି ଛତୁଆ ଓ ଅନ୍ୟ ସାମଗ୍ରୀ ଯୋଗାଣ ହେବ ସେନେଇ ଚିନ୍ତା ଘାରିଛି।

ଏନେଇ ସଞ୍ଜୀବନୀ ସ୍ବୟଂ ସହାୟକ ଗୋଷ୍ଠୀର ପଦ୍ମାଳୟା ମହାନ୍ତିଙ୍କ କହିବା ମୁତାବକ, ଗତ ଏପ୍ରିଲ୍‌ ୧୦ରେ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ ନିର୍ଦେଶରେ ଆମ ଏସ୍‌ଏଚ୍‌ଜି ସଂସ୍ଥା ମେ’ ମାସର ଛତୁଆ ପ୍ରସ୍ତୁତି କରୁଥିଲେ। ସମସ୍ତ ସାମଗ୍ରୀ କିଣା ସରିଥିଲା। କେବଳ ଗହମ ଷ୍ଟକ୍‌ ଦିଆଯାଇନଥିବାରୁ ଛତୁଆ ପ୍ରସ୍ତୁତ ହୋଇପାରିନଥିଲା। ଗହମ ଯୋଗାଇବା ନେଇ ସେ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ତାଙ୍କୁ ଗହମ ଯୋଗାଇ ଦିଆଗଲା ନାହିଁ। ତେଣୁ ଛତୁଆ ପ୍ରସ୍ତୁତି ହୋଇ ନପାରିବାରୁ ଏସ୍‌ଏଚ୍‌ଜି ଗ୍ରୁପ୍‌ ପକ୍ଷରୁ କିଣାଯାଇଥିବା ପ୍ରାୟ ୬ ଲକ୍ଷ ଟଙ୍କାର ସାମଗ୍ରୀ ସମ୍ପୃକ୍ତ ଏସ୍‌ଏଚ୍‌ଜି ଛତୁଆ ପ୍ରସ୍ତୁତି ଗୃହରେ ପଡ଼ି ରହିଥିଲା। ଗତ ୩ ତାରିଖରେ ବାତ୍ୟା ଯୋଗୁଁ ୩ ବଖରା ଘର ଉପରେ ଗଛ ଭାଙ୍ଗିପଡ଼ି ଆଜବେଷ୍ଟ ଉଡ଼ିଯିବା ସହ ଷ୍ଟକ୍‌ ଥିବା ଛତୁଆ ସାମଗ୍ରୀରେ ପାଣି ପଶି ବିଣ୍ଡି ମାରିଯାଇଛି। ଏମିତିକି ଛତୁଆ ସାମଗ୍ରୀ ପ୍ରସ୍ତୁତିରେ ଲାଗୁଥିବା କିଛି ମେସିନ୍‌ ମଧ୍ୟ ଖରାପ ହୋଇଯାଇଛି। ମାତ୍ର ଏ ବାବଦରେ ଅଧିକାରୀଙ୍କୁ ଅବଗତ କରିବା ପରେ ମଧ୍ୟ ସେମାନେ କାହିଁକି ଛତୁଆ ପ୍ରସ୍ତୁତ କରି ଆଗରୁ ପଠାଇଲେ ନାହିଁ ବୋଲି କୈଫିୟତ ମାଗୁଛନ୍ତି। ଏମିତିରେ ସମ୍ପୃକ୍ତ ଏସ୍‌ଏଚ୍‌ଜି ଗ୍ରୁପ୍‌ ଚିନ୍ତାରେ ପଡ଼ିବା ସହ ସଦସ୍ୟାମାନେ କ୍ଷତିପୂରଣ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର