ରାଜ୍ୟ ସଂଗ୍ରହାଳୟ କ୍ଷୟକ୍ଷତି ଅନୁଧ୍ୟାନ କଲେ ମନ୍ତ୍ରୀ

ଭୁବନେଶ୍ବର: ବାତ୍ୟା ‘ଫନି’ ଦ୍ବାରା ପ୍ରଭାବିତ ରାଜ୍ୟ ସଂଗ୍ରହାଳୟ ବୁଲି ଦେଖିଛନ୍ତି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଆଜି ପୂର୍ବାହ୍ନରେ ସେ ସଂଗ୍ରହାଳୟ ଯାଇ କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ବିଭିନ୍ନ ଗୃହ, ଗ୍ୟାଲେରି ପରିଦର୍ଶନ କରିଥିଲେ। ସଂଗ୍ରହାଳୟରେ ଉଦ୍ୟାନ ଓ ସୌନ୍ଦର୍ଯ୍ୟକରଣ ବ୍ୟାପକ କ୍ଷତି ହୋଇଥିବା ‌ବେଳେ ସମ୍ମିଳନୀ ପ୍ରକୋଷ୍ଠ ଭାଙ୍ଗି ଯାଇଛି। ମୁଦ୍ରା ଗ୍ୟାଲେରିର ଛାତ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ୧୨୦ଟି ବାତାନୁକୂଳ ଯନ୍ତ୍ରରୁ ୩୦ଟି ନଷ୍ଟ ହୋଇଯାଇଛି। ତେଣୁ ତୁରନ୍ତ ସେଗୁଡ଼ିକର ମରାମତି ସହ ବିଦ୍ୟୁତ୍‌ ଯୋଗାଣ ଓ ପାନୀୟ ଜଳ ବ୍ୟବସ୍ଥାକୁ ସ୍ବାଭାବିକ କରିବା ପାଇଁ ଶ୍ରୀ ପଣ୍ଡା ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରାୟ ୧୫କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ମରାମତି ପର୍ଯ୍ୟନ୍ତ ସଂଗ୍ରହାଳୟ ବନ୍ଦ ରଖିବାକୁ ମନ୍ତ୍ରୀ କହିଛନ୍ତି। ତେଣୁ ରାଜ୍ୟ ସଂଗ୍ରହାଳୟ ଖୋଲିବା ବିଳମ୍ବିତ ହେବ ବୋଲି ସୂଚନା ମିଳିଛି। ପରିଦର୍ଶନ ସମୟରେ ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ, ଅନ୍ୟ ଅଧିକାରୀ, ସମସ୍ତ କ୍ୟୁରେଟର ଓ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର