ବିପର୍ଯ୍ୟସ୍ତ ରାସ୍ତାଘାଟ: ସହରବାସୀଙ୍କୁ ନାକେଦମ୍ କରୁଛନ୍ତି ପୂର୍ତ୍ତ, ବିଏମ୍‌ସି, ଇଡ୍‌କୋ

ଭୁବନେଶ୍ବର: ଜୟଦେବ ବିହାରରୁ ପାଲ୍‌ ହାଇଟ୍‌ସ୍‌ ରାସ୍ତା। ରାଜଧାନୀର ଅନ୍ୟତମ ଭିଆଇପି ରୋଡ୍‌। କିନ୍ତୁ ରାସ୍ତାପାର୍ଶ୍ବରେ ଠାଏ ଠାଏ ବଡ଼ ଖାଲ। ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ଏହି ଖାଲରେ ଗୋଡ଼ ପଡ଼ିଲେ ଜଣେ ନିଶ୍ଚିତ ସିଧା ଡ୍ରେନ୍‌ ଭିତରକୁ ଗଳିପଡ଼ିବ। କେବଳ ବର୍ଷ‌ାରେ ନୁହେଁ, ଅନ୍ଧାର ରାତିରେ ମଧ୍ୟ ଏଠି ନିୟମିତ ଦୁର୍ଘଟଣା ଘଟୁଛି।

ଏହି ‌େଗାଟିଏ ରାସ୍ତା ନୁହେଁ, ରସୁଲଗଡ଼ରୁ ପଳାସୁଣି ରାସ୍ତା, ସତ୍ୟନଗର ମଶାଣି ଛକ, ମହର୍ଷି କଲେଜ ଟ୍ରାଫିକ୍‌ ଛକ, ମାଷ୍ଟରକ୍ୟାଣ୍ଟିନ୍‌ରୁ ରାମମନ୍ଦିର, କଳ୍ପନାରୁ ଲକ୍ଷ୍ମୀସାଗର ଯାଏଁ ସହରର ପ୍ରାୟ ସମସ୍ତ ରାସ୍ତାରେ ଏହି ଭଳି ଅବସ୍ଥା। କେଉଁଠି ଖାଲଢିପ ତ’ କେଉଁଠି ଗୋଡ଼ି ଓ ଚିପ୍ସ ରାସ୍ତା ସାରା ବିଛେଇ ହୋଇ ପଡ଼ିଛି। ସହରର ଏହି ଗୁରୁତ୍ବପୂର୍ଣ୍ଣ ରାସ୍ତାଗୁଡ଼ିକ ପୂର୍ତ୍ତ ବିଭାଗ ଅଧୀନରେ ଅଛି। ରସୁଲଗଡ଼ରୁ ପାଲା ମଣ୍ଡପ ଦେଇ ପଳାସୁଣିକୁ ବାହାରିବା ରାସ୍ତାଠାରୁ ଆରମ୍ଭ କରି ମହାଦେବ ନଗର ରାସ୍ତା, ୟୁନିଟ୍‌-୮ ଏକ୍ସପ୍ରେସ୍‌ ୱେ କଲୋନି ରାସ୍ତା, ସାଇନ୍ସ ପାର୍କ ପଛ ପାଖରୁ ଡିସିପି ଅଫିସ୍‌ ରାସ୍ତା ଆଦିର ଅବସ୍ଥା ନ କହିବା ଭଲ। ରାସ୍ତା ସାରା ବଡ଼ ବଡ଼ ଖାଲ ଓ କାଦୁଅ ସରସର। ପୁଣି କେଉଁଠି ମ୍ୟାନ୍‌ହୋଲ୍‌ ମୁକୁଳା। ଖାଲି ବର୍ଷା କାହିଁକି ଖରା ଓ ଶୀତ ଦିନ ବର୍ଷତମାମ ଲୋକମାନେ ଏହାକୁ ନେଇ ହନ୍ତସନ୍ତ ହେଉଛନ୍ତି। ବାରମ୍ବାର ଅଭିଯୋଗ କରୁଛନ୍ତି। କିଛି ସୁଫଳ ମିଳୁନି। ଲୋକ ଘର ସାମ୍ନାରେ ଯାଇଥିବା ଏହି ରାସ୍ତାଗୁଡ଼ିକ ବିଏମ୍‌ସି ଅଧୀନରେ ଅଛି। ରାଜଧାନୀରେ ଶିଳ୍ପାୟନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛନ୍ତି ମଞ୍ଚେଶ୍ବର ଓ ରସୁଲଗଡ଼ ଶିଳ୍ପାଞ୍ଚଳ। ମଞ୍ଚେଶ୍ବର ଶିଳ୍ପାଞ୍ଚଳର ପ୍ରବେଶ ପଥ ହେଉ କି ସମ୍ପୂର୍ଣ୍ଣ ରାସ୍ତା ବା ରସୁଲଗଡ଼ ଶିଳ୍ପାଞ୍ଚଳର ପ୍ରବେଶ ପଥରୁ ବାଣୀବିହାର ଷ୍ଟେସନ ପର୍ଯ୍ୟନ୍ତ, ସମ୍ପୂର୍ଣ୍ଣ ରାସ୍ତା ଖାଲଖମାରେ ଭର୍ତ୍ତି।

ଅନ୍ୟପକ୍ଷେ ରସୁଲଗଡ଼ ଶିଳ୍ପାଞ୍ଚଳର ପ୍ରବେଶ ପଥ ଏସ୍‌ପ୍ଲାନେଡ୍‌ ମଲ୍‌ର ପ୍ରସ୍ଥାନ ପଥ ପାଲଟିଥିବାରୁ ସଂଧ୍ୟା ପରେ ଏହି ୫୦ ମିଟର ରାସ୍ତା ପାର ହେବାକୁ ଅଧ ଘଣ୍ଟାରୁ ଅଧିକ ସମୟ ଲାଗେ। ଏହି ରାସ୍ତାଗୁଡ଼ିକ ଇଡ୍‌କୋ ଅଧୀନରେ ଅଛି। ପୂର୍ତ୍ତ ବିଭାଗ, ବିଏମ୍‌ସି ଓ ଇଡ୍‌କୋ ସହରର ରାସ୍ତା ଦାୟିତ୍ବ ନେଇ ଏମିତି ସଙ୍ଗିନ ସ୍ଥିତିରେ ଛାଡ଼ି ଦେଇଛନ୍ତି। ଲୋକଙ୍କୁ ସ୍ବଚ୍ଛନ୍ଦ‌େର ଯାତାୟତ ପାଇଁ ସର୍ବନିମ୍ନ ସୁବିଧା ଦେବାକୁ ବି ତିନି ସଂସ୍ଥା ଭୁଲି ଯାଇଛନ୍ତି। ଏମାନଙ୍କ ଖେଳ ଏବେ ସହରବାସୀଙ୍କ ପାଇଁ କାଳ ସାଜିଛି। ସ୍ମାର୍ଟ ସିଟି ତାଲିକାର ପ୍ରଥମ ନମ୍ବରରେ ଥିବା ରାଜ୍ୟ ରାଜଧାନୀର ଅଧିଂକାଶ ରାସ୍ତାର ଅବସ୍ଥା ଏହିଭଳି। ସ୍ମାର୍ଟ ସିଟିର ସୁନେଲି ସ୍ବପ୍ନ ଦେଖାଇଥିବା କର୍ତ୍ତୃପକ୍ଷ ଏବେ ସହରବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବାରେ ଅସମର୍ଥ ହୋଇଥିବାରୁ ରାଜଧାନୀବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ବସା ବାନ୍ଧିଲାଣି। ଏବେ ମୌସୁମୀ ଆସିଯାଇଛି ଦିନ କେଇଟା ପରେ ପାର୍ବଣ ଋତୁ ବି ଆସିଯିବ। ସହରସାରା ଯେପରି ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡ଼ିଛି, ତାହା ଲୋକଙ୍କୁ ଘରୁ ନ ବାହାରିବା ‌ପାଇଁ ଯେପରି ଡରାଉଛି। ଆଉ ଏହି ସଂସ୍ଥାଗୁଡ଼ିକ କେହି ନୈତିକ ଦାୟିତ୍ବ ମୁଣ୍ଡାଇବାକୁ ପ୍ରସ୍ତୁତ ନାହାନ୍ତି।

ସମନ୍ବୟର ଅଭା‌ବ
ବିଭିନ୍ନ ସମୟରେ ବିଭିନ୍ନ ସଂସ୍ଥା ଆସି ସହରର ରାସ୍ତା ଖୋଳୁଛନ୍ତି। କେବେ ଓପିଟିସିଏଲ୍‌ ଭୂତଳ କେବୁଲ ବିଛାଇବା ପାଇଁ ରାସ୍ତା ଖୋଳୁଛି ତ କେବେ ଟେଲି‌ଫୋନ୍‌ ତାର ବିଛାଇବା ପାଇଁ ‌ଟେଲିକମ୍ ସଂସ୍ଥା ରାସ୍ତା ଖୋଳୁଛନ୍ତି। କେବେ ପାଣି ପାଇପ୍‌ ପାଇଁ ଆଉ କେବେ ସ୍ବେରେଜ୍‌ ଓ ଡ୍ରେନ୍‌ କାମ ପାଇଁ। ନିଇତି ଏହି ଭଳି ଭାବେ ସହରର ରାଜରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ରାସ୍ତା ଖୋଳି ଦିଆଯାଉଛି। ଏସବୁ କାମ ପାଇଁ ପ୍ରତିଦିନ ସହରର ରାସ୍ତା ଖୋଳା ହେଉଛି, କିନ୍ତୁ ଏହାର ପୋତିବା କିମ୍ବା ମରାମତି କାମ ପ୍ରତି କାହାର ନଜର ନାହିଁ। ଯଦିବି ପୋତା ଯାଉଛି, ତାହା ଉପରଠାଉରିଆ ଭାବେ। ପୁଣି ଅମୃତ ଯୋଜନ‌େର ପାଣି ପାଇପ୍‌ ବିଛାଇବା ପାଇଁ ଠିକାଦାରମାନେ ମାସ ମାସ ଧରି ରାସ୍ତାକୁ ଅଧାପନ୍ତରିଆ ଅବସ୍ଥାରେ ଛାଡ଼ିଦେଉଛନ୍ତି। ବିଏମ୍‌ସିଠାରୁ ଅନୁମତି ଆଣି ଏସବୁ ସଂସ୍ଥା ଯୋଜନା ମୁତାବକ ସମନ୍ବୟ ରକ୍ଷା କରି ଏସବୁ କାର୍ଯ୍ୟ କରିବା ଆବଶ୍ୟକ ଥିବା ବେଳେ ସେମାନଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ସହରର ଲୋକ ଯମ ଯନ୍ତ୍ରଣା ଭୋଗୁଛନ୍ତି।

୨୦ରେ ଉନ୍ନୟନ କମିସନର କରିବେ ସମୀକ୍ଷା
ବିପର୍ଯ୍ୟୟ ରାସ୍ତା ଯୋଗୁଁ ସହରବାସୀ ହନ୍ତସନ୍ତ ହେଉଥିବା ବେଳେ ଏସବୁ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଉନ୍ନୟନ କମିସନର ଆସନ୍ତା ୨୦ ତାରିଖରେ ଏକ ସମୀକ୍ଷା ବୈଠକ ଡାକିଛନ୍ତି। ରାସ୍ତାର ଅବସ୍ଥା କେମିତି ଅଛି, ଏହାକୁ କାହିଁକି ସଜଡ଼ା ଯାଉନି ଓ ଏହି ସଂସ୍ଥାଗୁଡ଼ିକର ଆଗକୁ କ’ଣ ସବୁ ଯୋଜନା ରହିଛି ‌ସେ ସବୁ ସମ୍ପର୍କିତ ସମୀକ୍ଷା ପାଇଁ ଏହି ବୈଠକ ଡକାଯାଇଛି। ଏହାବାଦ୍ ରାଜଧାନୀରେ ନୂଆ କରି ନିର୍ମାଣ ହେଉଥିବା ବିଭିନ୍ନ ରାସ୍ତା ବିଷୟରେ ମଧ୍ୟ ଆଲୋଚନା ହେବ। ଏଥିରେ ଅର୍ଥ ବିଭାଗ ପ୍ରମୁଖ ସଚିବ, ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ, ବିଏମ୍‌ସି କମିସନର ଏବଂ ବିଡିଏ ଉପାଧ୍ୟକ୍ଷ , ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲାପାଳ, ଚନ୍ଦକା ଡିଏଫ୍‌ଓ ପ୍ରମୁଖଙ୍କୁ ଏଥିରେ ଯୋଗଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର