ମୁଖ୍ୟମନ୍ତ୍ରୀ ଆମ ଆଡ଼େ ଟିକେ ଆସନ୍ତେନି!

ଭୁବନେଶ୍ବର : ସ୍ବାଧୀନତା ଦିବସ ପରେ ଏବେ ରାଜଧାନୀର ସବୁ ଅଞ୍ଚଳର ଲୋକଙ୍କ ମୁହଁରେ ଗୋଟିଏ କଥା; ମୁଖ୍ୟମନ୍ତ୍ରୀ ଆମ ଆଡ଼େ ଟିକେ ଆସନ୍ତେନି। ରାଜଧାନୀବାସୀ ଏହିଭଳି କହିବା ଯେତିକି ଗୁରୁତ୍ବର, ସେତିକି ସମ୍ବେଦନଶୀଳ। ମୁଖ୍ୟମନ୍ତ୍ରୀ ତାଙ୍କ ଅଞ୍ଚଳକୁ ଆସିବାର ଆକାଂକ୍ଷା ରଖିବାର କାରଣ ହେଲା, ମୁଖ୍ୟମନ୍ତ୍ରୀ ଯେଉଁ ଅଞ୍ଚଳକୁ ଯାଉଛନ୍ତି, ସେହି ଅଞ୍ଚଳର ଚିହ୍ନବର୍ଣ୍ଣ ବଦଳି ଯାଉଛି। ଆଉ ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ପାଦ ପଡ଼ୁନି, ସେଠାରେ ଅତ୍ୟନ୍ତ ବିକଳ ଚିତ୍ର ଦେଖିବାକୁ ମିଳୁଛି। ରାଜଧାନୀବାସୀଙ୍କ ପ୍ରତି ସରକାରଙ୍କ ବିଭିନ୍ନ ବିଭାଗ କରୁଥିବା ପାତରଅନ୍ତରକୁ ମୁଖ୍ୟମନ୍ତ୍ରୀ ଟିକେ ନିଜ ଆଖିରେ ଦେଖନ୍ତୁ ବୋଲି ରାଜଧାନୀବାସୀ ଚାହୁଁଛନ୍ତି।

ଚଳିତବର୍ଷ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ହେବ ବୋଲି ନିଷ୍ପତ୍ତି ହେବା ପରେ ପ୍ରଦର୍ଶନୀ ପଡ଼ିଆକୁ ସଂଯୋଗ କରୁଥିବା କେଶରୀ ଟକିଜ୍ ପଛ ପାର୍ଶ୍ବ ଅଞ୍ଚଳର ରାସ୍ତାର ରୂପରେଖ ବଦଳିଗଲା। ଯେଉଁ ରାସ୍ତାରେ ଆବର୍ଜନା ଗଦା ହୋଇ ଗନ୍ଧ ଛାଡ଼ୁଥିଲା, ଯେଉଁଠି ଖାଲଖମା ଭର୍ତ୍ତି ହୋଇଥିଲା, ସେହି ରାସ୍ତା ପୂରା ଚକାଚକ୍ ପାଲଟିଗଲା। କେବଳ ଏହି ରାସ୍ତା ନୁହେଁ, ମୁଖ୍ୟମନ୍ତ୍ରୀଙ୍କର ଯେତେବେଳେ ଯେଉଁଠି କାର୍ଯ୍ୟକ୍ରମ ରୁହେ, ପୂର୍ତ୍ତ ବିଭାଗ ରାତିଅଧିଆ କାମ କରି ଉକ୍ତ ଅଞ୍ଚଳକୁ ଚକାଚକ୍ ରାସ୍ତା କରିଦିଏ, ବିଏମ୍‌ସିର ବାବୁମାନେ ଲାଗି ପଡ଼ି ରାସ୍ତାରୁ ଅଳିଆ ଉଠାଇ ଦିଅନ୍ତି। କିନ୍ତୁ ବାକି ଅଞ୍ଚଳରେ ସ୍ଥିତି ଅତ୍ୟନ୍ତ ସଙ୍ଗିନ୍ ଥିଲେ ବି କାହା ନଜର ପଡ଼େନି।

ରାଜ୍ୟ ସରକାର ସମସ୍ତ ବିଭାଗରେ ସ୍ବଚ୍ଛତା ଅବଲମ୍ବନ କରିବା ସହ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କୋଟି କୋଟି ଟଙ୍କା ଦେଉଛନ୍ତି। ହେଲେ ଯେଉଁ ବାବୁମାନଙ୍କ ମାଧ୍ୟମରେ ଟଙ୍କା ଖର୍ଚ୍ଚ ହେଉଛି, ସେମାନେ କେବଳ ଉପରିସ୍ଥ ବାବୁଙ୍କୁ ଖୁସି କରିବା ଭଳି ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ ସବୁ ଉନ୍ନତିମୂଳକ କାର୍ଯ୍ୟ କରିଦେଉଛନ୍ତି। ମୁଖ୍ୟମନ୍ତ୍ରୀ ତ ସବୁ ଆଡ଼େ ସବୁ ଦିନ ଯାଇପାରୁନାହାନ୍ତି। ଏହାର ଫାଇଦା ଉଠାଇ ସରକାରୀ ଅଧିକାରୀମାନେ ଭୁବନେଶ୍ବରରେ ବି ଲୋକଙ୍କୁ ନର୍କ ଯନ୍ତ୍ରଣା ଦେଉଛନ୍ତି।

ରାଜଧାନୀର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷ ବର୍ଷ ହେଲା ବିପର୍ଯ୍ୟସ୍ତ ରାସ୍ତା ମରଣଯନ୍ତା ପାଲଟିଛି, ରାସ୍ତାରେ କୁଢ଼କୁଢ଼ ଆବର୍ଜନା ଗଦା ହେଉଛି। ସ୍ବେରେଜ୍ ପାଇପ୍ ବିଛାଇବା ନାଁରେ ରାସ୍ତାକୁ ଖୋଳି ମାସମାସ ପକାଇ ଦିଆଯାଉଛି। ଏହା କେବଳ ଯେଉଁଠି ମୁଖ୍ୟମନ୍ତ୍ରୀ କି ବଡ଼ ବାବୁଙ୍କ ପାଦ ପଡ଼ୁନି ସେହି ଅଞ୍ଚଳର ଅବସ୍ଥା। ସରକାରୀ ବ୍ୟବସ୍ଥାରେ ରାଜଧାନୀବାସୀ ପୂରା ଅସ୍ତବ୍ୟସ୍ତ ହୋଇପଡ଼ିଥିବାରୁ ଏବେ ସମସ୍ତେ ଆଶା ବାନ୍ଧିଲେଣି ମୁଖ୍ୟମନ୍ତ୍ରୀ ତାଙ୍କ ଅଞ୍ଚଳକୁ ଟିକେ ଆ‌ସନ୍ତେନି। ସ୍ଥିତି କାଳେ ସୁଧୁରିଯିବ।

ସମ୍ବନ୍ଧିତ ଖବର