ଭୁବନେଶ୍ୱର : ନୂଆପଲ୍ଲୀ ୱାର୍ଡ ନମ୍ବର ୩୯ର ନୂଆସାହି, ବାଲିତୋଟାସାହି, ଶାସ୍ତ୍ରୀନଗର ପ୍ରମୁଖ ଅଞ୍ଚଳରେ ବହୁ ଷ୍ଟ୍ରିଟ୍ ଲାଇଟ୍ ଜଳୁନାହିଁ। ତେଣୁ ସ୍ଥାନୀୟ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସଂଜ ନଇଁଲେ ମହିଳାମାନେ ଘରୁ ଗୋଡ଼ କାଢ଼ିବାକୁ ଡରୁଛନ୍ତି। ଅନ୍ଧକାର ଅସାମାଜିକତତ୍ତ୍ବଙ୍କୁ ସୁହାଉଥିବାରୁ ମହିଳାମାନେ ସୁରକ୍ଷିତ ମଣୁନାହାନ୍ତି। କିନ୍ତୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ବିଏମ୍ସି କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜିଛନ୍ତି ବୋଲି ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରି ଆସୁଛନ୍ତି।
ସ୍ଥାନୀୟ ଲୋକମାନଙ୍କ କହିବା କଥା, ଏହି ସମସ୍ୟା ଆଜିର ନୁହେଁ। ଦୀର୍ଘ ଦିନ ଧରି ଉପରୋକ୍ତ ଅଞ୍ଚଳର ବହୁ ଷ୍ଟ୍ରିଟ୍ ଲାଇଟ୍ ଜଳୁନାହିଁ। ତେଣୁ ସନ୍ଧ୍ୟାରେ ଯାତାୟାତ କରିବା ନିରାପଦ ହେଉନାହିଁ। କିଛି କିଛି ସ୍ଥାନରେ ନିଶାଡ଼ିଙ୍କ ଖଟି ଜମୁ ଥିବାରୁ ଲୋକଙ୍କ ସମସ୍ୟା ବହୁଗୁଣିତ ହେଉଛି। ମହିଳା ଓ ଯୁବତୀମାନେ ବେଶି ସମସ୍ୟାରେ ପଡ଼ୁଛନ୍ତି। ଗତ ସପ୍ତାହରେ କିଛି ଅସାମାଜିକ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ବେହେରା ସାହି ଅଞ୍ଚଳରେ ଗାଡ଼ି ଓ ହୋଟେଲ୍ ଭଙ୍ଗାରୁଜା କରିଥିଲେ। ସ୍ଥାନୀୟ ସମାଜସେବୀ ମିଲନ ପାଇକରାୟଙ୍କ କହିବା କଥା, ବାତ୍ୟା ଫନିରେ ବହୁ ଷ୍ଟ୍ରିଟ୍ ଲାଇଟ୍ ଭାଙ୍ଗି ଯାଇଥିଲା। ତଥାପି ଯେତିକି ଲାଇଟ୍ ଥିଲା, ସେତିକିରେ ଲୋକେ ଚଳି ଯାଉଥିଲେ। ମାତ୍ର ଏବେ ୧୫/୨୦ଦିନ ହେଲା ଆହୁରି କିଛି ଷ୍ଟ୍ରିଟ୍ ଲାଇଟ୍ ଖରାପ ହୋଇଯାଇଛି। ଏନେଇ ବିଏମ୍ସିର ଇଲେକ୍ଟ୍ରି ଡିଭିଜନ୍ ସହକାରୀ ଯନ୍ତ୍ରୀଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ। ଶାସ୍ତ୍ରୀନଗର ବାସିନ୍ଦା ରଜନୀରାଣୀ ରାଜହଂସଙ୍କ ଅଭିଯୋଗ ଅନୁସାରେ ସଂଜ ନଇଁଲେ ଘରୁ ବାହାରିବାକୁ ଡର ଲାଗୁଛି। ରାସ୍ତାରେ ନିଛାଟିଆ ସ୍ଥାନମାନଙ୍କରେ ନିଶାଡ଼ି ଓ ଅସାମାଜିକତତ୍ତ୍ବମାନେ ଖଟି କରୁଛନ୍ତି। ରାଜଧାନୀର ଏକ ପ୍ରମୁଖ ଅଞ୍ଚଳରେ ରହୁଥିଲେ ହେଁ ନିପଟ ଗ୍ରାମାଞ୍ଚଳରେ ରହିବା ଭଳି ଲାଗୁଛି।
ଏ ବାବଦରେ ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର କହିଛନ୍ତି, କରୋନା ସମସ୍ୟା ପାଇଁ ଶ୍ରମିକ ମିଳୁନାହାନ୍ତି। ତେବେ ଶୀଘ୍ର ଏହି ସମସ୍ୟା ଦୂର କରାଯିବ ବୋଲି ସେ କହିଛନ୍ତି।