ଲୋକସେବା ଭବନରେ ‘ଦମନ’ ପ୍ରଦର୍ଶିତ

ପ୍ରତି ଜିଲ୍ଲାରେ ପ୍ରଦର୍ଶନ ପାଇଁ ପରାମର୍ଶ

ଭୁବନେଶ୍ୱର: ମାଲେରିଆ ନିରାକରଣ ଉପରେ ପର୍ଯ୍ୟବସିତ ‘ଦମନ’ ଚଳଚ୍ଚିତ୍ର ଆଜି ଲୋକସେବା ଭବନ ସ୍ଥିତ କନଭେନ୍‌ସନ ସେଣ୍ଟରରେ ପ୍ରଦର୍ଶିତ ହୋଇଛି। ଚଳଚ୍ଚିତ୍ର ଦେଖିବା ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ଏହା ଖୁବ୍ ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ହୋଇଥିବାରୁ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରମୁକ୍ତ କରିଛନ୍ତି। ବିଭିନ୍ନ ଅଞ୍ଚଳରେ କଷ୍ଟକର ସ୍ଥିତିରେ କାର୍ଯ୍ୟ କରୁଥିବା ଡାକ୍ତର ଓ ଅନ୍ୟ ଅଧିକାରୀମାନଙ୍କୁ ଏହା ଉତ୍ସାହିତ କରିବ। ଲୋକପ୍ରିୟତା ବଢ଼ିବାରୁ ଏହା ହିନ୍ଦୀ ଭାଷାରେ ଡବିଂ ହେବାକୁ ଯାଉଛି। ଫଳରେ ଏହା ଭାରତର ବିଭିନ୍ନ ପ୍ରଦେଶରେ ମଧ୍ୟ ଲୋକପ୍ରିୟତା ହାସଲ କରିବ। ଏଣୁ ଏହାକୁ ସବୁ ଜିଲ୍ଲାରେ ପ୍ରଦର୍ଶିତ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ସହଯୋଗରେ ଆଜି ଏହି ଚଳଚ୍ଚିତ୍ର ପ୍ରଦର୍ଶନ ବ୍ୟବସ୍ଥା କରାଯାଇଥିଲା। ବିଭାଗୀୟ ଅରିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ ଆଗାମୀ ଦିନରେ ଏହିଭଳି ବାସ୍ତବଧର୍ମୀ ଚଳଚ୍ଚିତ୍ରର ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଯିବ। ଲୋକପ୍ରିୟତା ଦୃଷ୍ଟିରୁ ଏହାକୁ ଆଉଥରେ ଏଠାରେ ପ୍ରଦର୍ଶନ କରାଯିବ ବୋଲି ସେ ସୂଚନା ଦେଇଥିଲେ। ୮୬ ବର୍ଷର ଓଡ଼ିଆ ସିନେମା ଇତିହାସରେ ଏଭଳି ସିନେମା ଏକ ଅଭିନବ ପଦକ୍ଷେପ ବୋଲି ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ କହିଥିଲେ। ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ବାବୁସାନ ମହାନ୍ତି, ଯୁଗ୍ମ ରଚୟିତା ଓ ନିର୍ଦ୍ଦେଶକ ବିଶ୍ୱାଳ ମୌର୍ଯ୍ୟା ଓ ଦେବୀ ପ୍ରସାଦ ଲେଙ୍କା, ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କୁ ମୁଖ୍ୟ ଶାସନ ସଚିବ ସମ୍ବର୍ଦ୍ଧିତ କରିଥିଲେ। ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର