୪ବର୍ଷ ପରେ ବି ସରୁନି ଡମଣା ୨ ଥାକିଆ ରାସ୍ତା

ଚନ୍ଦ୍ରଶେଖରପୁର : ଡମଣାରୁ ମଞ୍ଚେଶ୍ବର ରେଲୱେ ମାର୍କେଟ୍ ପର୍ଯ୍ୟନ୍ତ ନିର୍ମାଣାଧୀନ ଦୁଇ ଥାକିଆ ରାସ୍ତା ସରିପାରୁନି। ୪ ବର୍ଷ ବିତିବା ପରେ ବି କାମ ଶେଷ ହୋଇପାରୁନାହିଁ। ବାରମ୍ବାର ଜବରଦଖଲ ଓ ଲକ୍‌ଡାଉନ୍‌ ପାଇଁ ଶ୍ରମିକ ଅଭାବ ବ‌ାହାନା ସଫେଇ ଦେଇ ଠିକାସଂସ୍ଥା କାମ ବିଳମ୍ବ କରୁଥିବା ଅଭିଯୋଗ ହେଉଛି। ଏଣେ ଖୋଳାତଡ଼ା ହୋଇ ପଡ଼ିଥିବା ରାସ୍ତା ଯାତାୟାତ ପାଇଁ ଘୋର ସମସ୍ୟା ସୃଷ୍ଟି କରୁଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ‌ରାସ୍ତା ପାଇଁ ଯେଉଁ ଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଥିଲା, ସେମାନେ ପୁଣି ଜବରଦଖଲ କରି ବ୍ୟବସାୟ କରିବା ଆରମ୍ଭ କରିଛନ୍ତି। ସେହିଭଳି ଡମଣା ସ୍କୁଲ୍ ନିକଟରେ ଥିବା ଗ୍ୟାସ୍ ଦୋଦାମ ରାସ୍ତା ଉପରେ ମାଡ଼ି ବସି ରହିଛି। ଉଚ୍ଛେଦ କରିବାକୁ ବିଏମ୍‌ସି ନୋଟିସ୍ ଦେଇଥିଲେ ମଧ୍ୟ ଏହି ଗୋଦାମ ସେମିତି ରହିଛି। କେଳୁଚରଣ ପାର୍କ ନିକଟରେ ସ୍ବରେଜ୍ କାର୍ଯ୍ୟ ଅଧପନ୍ତରିଆ ହୋଇ ରହିଛି। ବଡ଼ କଷ୍ଟରେ ସାଇନ‌ାଥ ବସ୍ତି ଉଚ୍ଛେଦ ହେଲା, ଅଥଚ ରାସ୍ତାର ସେହି ଅଂଶରେ ଗୋଟିଏ ପାଖ ଖୋଳାଖୋଳି ହୋଇ ପଡ଼ିଛି। ଫଳରେ ଯାତାୟାତ ପାଇଁ ବହୁ ଅସୁବିଧା ହେଉଛି।

ସୂଚନାଯୋଗ୍ୟ ଏହି ରାସ୍ତା ନିର୍ମାଣ ସରିବା ପରେ ଆଚାର୍ଯ୍ୟବିହାର ଓ ରସୁଲଗଡ଼କୁ ବାଇପାସ୍ ମିଳିଯିବ। ଫଳରେ ଜୟଦେବବିହାର-ନନ୍ଦନକାନନ ରାସ୍ତାରୁ ବହୁ ଭିଡ଼ ହ୍ରାସ ପାଇବ। ରାସ୍ତା କାର୍ଯ୍ୟ ବିଳମ୍ବ ନେଇ ଠିକାଦାରଙ୍କ କହିବା କଥା ଲକ୍‌ଡାଉନ୍ ପାଇଁ ବାହାର ରାଜ୍ୟ ଶ୍ରମିକ ଆସି ପାରୁନାହାନ୍ତି। ସେହିଭଳି ଟେଣ୍ଡର ଅନୁସାରେ ବିଲ୍ ସଠିକ୍ ସମୟରେ ହେଉନଥିବାରୁ ଆର୍ଥିକ ସମସ୍ୟା ରହିଛି। ତଥାପି ଲକ୍‌ଡାଉନ୍‌ କୋହଳ ହେବା ପରେ କାମକୁ ତ୍ବରାନ୍ବିତ କରାଯିବ ବୋଲି ଠିକା ସଂସ୍ଥା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର