ଡମଣା-ଗାଡ଼କଣ ରାସ୍ତା ଭାଗ୍ୟ ଫିଟିବ କେବେ? ଗ୍ୟାସ୍‌ ଗୋଦାମ ବାଧକ

ଚନ୍ଦ୍ରଶେଖରପୁର : ତିନି ବର୍ଷ ହେଲା ଚାଲିଥିବା ଡମଣା-ଗାଡ଼କଣ ରାସ୍ତାର ଭାଗ୍ୟ ଫିଟି ପାରୁନି। କେବେ ସରିବ ସେନେଇ ବି କାହା ପାଖରେ ଉତ୍ତର ନାହିଁ। ଦେଢ଼ ବର୍ଷ ହେଲା କେବଳ ଗୋଡ଼ି ପଡ଼ିରହିବା ପରେ ସପ୍ତାହକ ତଳେ ଡମଣା ଛକରୁ ଗୁରୁ କେଳୁଚରଣ ପାର୍କ ପର୍ଯ୍ୟନ୍ତ ରାସ୍ତାରେ ପିଚୁ କାମ ହୋଇଛି। ରାସ୍ତା ଚକାଚକ୍‌ ହୋଇଥିଲେ ହେଁ ଏହା ଏବେ ଗାଡ଼ି ଚାଳକଙ୍କ ମୁଣ୍ଡ ବ୍ୟଥା ପାଲଟିଛି। କାରଣ ୪ ଲେନ୍‌ ବିଶିଷ୍ଟ ଏହି ରାସ୍ତା ମଝିରେ ଏକ ଗ୍ୟାସ୍‌ ଗୋଦା‌ମ ରହିଛି। ଡମଣାରୁ ଗାଡ଼କଣ ଆଡ଼କୁ ଯିବା ରାସ୍ତାର ବାମ ପାର୍ଶ୍ବ‌ରେ ଏହି ଗୋଦାମର ଘର ଓ ପାଚେରିର ଅଧା ଅଂଶ ରାସ୍ତା ଉପରେ ରହିଛି। ଯେଉଁଥିରେ ପିଟି ହୋଇ ଗତ ମାସକ ମଧ୍ୟରେ ତିନି ଜଣ ଗାଡ଼ି ଚାଳକ ଆହତ ହୋଇଛନ୍ତି। ଆଗକୁ ଆଉ କେତେ ଯେ ଦୁର୍ଘଟଣା ହେବ ସେନେଇ କେହି କହିପାରିବେ ନାହିଁ। ଚାଳକଙ୍କ ସୁବିଧା ଓ ରାସ୍ତାକୁ ଠିକ୍‌ ଭାବେ ନିର୍ମାଣ କରିବାକୁ ‌ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ରାସ୍ତା କାର୍ଯ୍ୟ କରୁଥିବା ଠିକାଦାର ଅତି ଚରୁରତାର ସହ କାମ କରୁଛନ୍ତି। ରାସ୍ତା ଉପରେ ଗୋଦାମ ଗୃହ କାନ୍ଥ ରହିଥିଲେ ମଧ୍ୟ ସେ ରାସ୍ତା ନିର୍ମାଣ କରିଚାଲିଛନ୍ତି। ପାଚେରି କାନ୍ଥକୁ ଲଗାଇ ରାସ୍ତା କରିଛନ୍ତି। ଯେତିକି ରାସ୍ତା ହୋଇଛି ସେଥିରେ ଗୋଟିଏ ୪ ଚକିଆ ଗାଡ଼ି ଯିବା ମୁସ୍କିଲ୍‌ ହୋଇପଡ଼ୁଛି। ଇତି ମଧ୍ୟରେ ଗାଡ଼ି ଧକ୍କାରେ ଗ୍ୟାସ୍ ଗୋଦାମ କାନ୍ଥ ଦୁଇ ଥର ଭାଙ୍ଗିଯାଇଥିଲା। ତାହାକୁ ମରାମତି କରାଯାଇଛି। ହେଲେ ରାସ୍ତା ଉପରେ ରହିଥିବା ଗ୍ୟାସ୍ ଗୋଦାମ କାନ୍ଥକୁ ଉଚ୍ଛେଦ ନେଇ କିଛି ବି ପ୍ରୟାସ କରାଯାଉ ନାହିଁ। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଜମିକୁ ନେଇ ବିବାଦ ଚାଲିଛି। ତେଣୁ ଉଚ୍ଛେଦ ହୋଇପାରୁ ନାହିଁ।

ଲୋକଙ୍କ ଅଭିଯୋଗ ଅନୁଯାୟୀ ଏହି ଦୁଇ ଥାକିଆ ରାସ୍ତାରେ ଭିଡ଼ ବଢ଼ିବାରେ ଲାଗିଛି। ପ୍ରତିଦିନ ଶତାଧିକ ଗାଡ଼ି ଏହି ରାସ୍ତା ଦେଇ ମଞ୍ଚେଶ୍ବର, ଗାଡ଼କଣ, ଆଚାର୍ଯ୍ୟ ବିହାର, ଭିଏସ୍‌ଏସ୍‌ ନଗରକୁ ଯିବା ଆସିବା କରୁଛି। ଦିନରେ ଗୋଟିଏ ପାଖ ରାସ୍ତା ସଙ୍କୁଚିତ ରହିଥିବାରୁ ଯାନବାହନ ଅଣ ଓସାରିଆ ରାସ୍ତାରେ ପଳାଇ ଯାଉଛନ୍ତି। ହେଲେ ସନ୍ଧ୍ୟା ହେଲେ ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି। ଓମ୍‌ଫେଡ୍‌ କଟ୍ ବନ୍ଦ ହେବା ଓ ଡମଣା ଟ୍ରାଫିକ୍ ଛକରୁ ଏହି ରାସ୍ତା‌ରେ ବଡ଼ ଗାଡ଼ି ଛଡ଼ା ଯିବା ପରଠାରୁ ରାସ୍ତାରେ ଅସମ୍ଭାଳ ଭିଡ଼ ସୃଷ୍ଟି ହେଉଛି। ରାତିରେ ଚାଳକମାନେ ଗ୍ୟାସ୍ ଗୋଦାମ କାନ୍ଥକୁ ଠିକ୍‌ ଭାବେ ଦେଖି ନ ପାରି ଦୁର୍ଘଟଣାର ଶିକାର ହେଉଛନ୍ତି। ଗତ ୧୦ ଦିନ ଭିତରେ ଜଣେ ବାଇକ୍‌ ଚାଳକ ଗୁରୁତର ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏନେଇ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର