ଭୁବନେଶ୍ବର : ଆଜି ବିଏମ୍ସି ଦକ୍ଷିଣ-ପୂର୍ବ ଜୋନ୍ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସିଲ୍ କରିଥିବାବେଳେ ଉତ୍ତର ଜୋନ୍ ପକ୍ଷରୁ ଡମଣା ହାଟ ସିଲ୍ କରାଯାଇଛି। ହାଟରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ ହୋଇଥିବାରୁ ବିଏମ୍ସିର ଉତ୍ତର ଜୋନ୍ ସ୍କ୍ବାଡ୍ ଏହି ହାଟକୁ ୪୮ଘଣ୍ଟା ପାଇଁ ସିଲ୍ କରିଛି। ତେବେ ଡମଣା ହାଟ ବ୍ୟବସାୟୀମାନେ କହିଛନ୍ତି ଯେ ଡମଣା ଛକରୁ ଶୈଳଶ୍ରୀ ବିହାର ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବରେ ବସିଥିବା ଦୋକାନୀମାନେ କଟକଣା ମାନୁ ନଥିବାରୁ ବିଏମ୍ସି ଏସବୁକୁ ସିଲ୍ କରିଛି। ଡମଣା ହାଟ ସନ୍ଧ୍ୟା ୬ଟାରେ ସିଲ୍ ହୋଇଯାଉଛି, ଏହାକୁ କେତେବେଳେ ସିଲ୍ କରାଗଲା? ଲୋକଙ୍କୁ ଏଭଳି ଭୁଲ୍ ତଥ୍ୟ ଦିଆନଯାଉ। ଅନ୍ୟପକ୍ଷରେ ତାରିଣୀ ମାର୍କେଟ, ଡିଷ୍ଟ୍ରିକ୍ଟ ସେଣ୍ଟର ମାଛ ମାର୍କେଟ୍ ଆଦିରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ ହୋଇଥିବାରୁ ୪୮ଘଣ୍ଟା ପାଇଁ ସିଲ୍ କରାଯାଇଛି।
ସହିଦନଗର ରିଲାଏନ୍ସ ଟ୍ରେଣ୍ଡ ସିଲ୍
ଭୁବନେଶ୍ବର : ଜନପଥ କଡ଼ରେ ସହିଦନଗରରେ ରିଲାଏନ୍ସ ଟ୍ରେଣ୍ଡରେ ବହୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ବିଏମ୍ସି ପକ୍ଷରୁ ୭ଦିନ ପାଇଁ ସିଲ୍ କରିଦିଆଯାଇଛି। ଆଜିଠାରୁ ଏହି ଷ୍ଟୋର ସିଲ୍ ହୋଇଥିବାବେଳେ ଆସନ୍ତା ୫ତାରିଖରେ ଖୋଲିବ। ବିଏମ୍ସି ପକ୍ଷରୁ କୁହାଯାଇଛି ଯେ ଏହି ଷ୍ଟୋରରୁ ଯେଉଁ କର୍ମଚାରୀମାନେ କରୋନା ଆକ୍ରାନ୍ତ ହୋଇଛନ୍ତି ସେମାନେ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେବେ। କୌଣସି ଅସୁବିଧା ହେଲେ ଷ୍ଟୋର ମ୍ୟାନେଜର ବିଏମ୍ସିକୁ ଯୋଗାଯୋଗ କରିବେ। ଏହି ୭ଦିନ ମଧ୍ୟରେ ଷ୍ଟୋରକୁ ବିଶୋଧନ କରାଯିବ।
ଶ୍ରୀୟା ଛକ ଏସ୍ବିଆଇ ଶାଖା ସିଲ୍
ଭୁବନେଶ୍ବର : ଶ୍ରୀୟା ଛକସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସେଣ୍ଟ୍ରାଲାଇଜ୍ଡ ପେନସନ୍ ପ୍ରୋସେସିଂ ସେଣ୍ଟର, ଖାରବେଳ ନଗର ଶାଖାକୁ ବିଏମ୍ସି ଆଜି ସିଲ୍ କରିଛି। ଏଠାରେ ବ୍ୟାଙ୍କର ବହୁ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ବିଏମ୍ସିକୁ ଜଣାଇବା ପରେ ବିଏମ୍ସି ପକ୍ଷରୁ ଏହି ଶାଖାକୁ ୪ଦିନ ପାଇଁ ବନ୍ଦ କରାଯାଇଛି। ସମସ୍ତ କର୍ମଚାରୀଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ଯେଉଁମାନଙ୍କର ଲକ୍ଷଣ ଦେଖାଯାଇଛି ସେମାନେ ତୁରନ୍ତ ପରୀକ୍ଷା କରାଇବା ସହ ବିଏମ୍ସିକୁ ସୂଚନା ଦେବାକୁ କୁହାଯାଇଛି। ଆସନ୍ତା ୩ତାରିଖରେ ଏହି ବ୍ୟାଙ୍କ ଖୋଲିବ ବୋଲି ଜଣାପଡ଼ିଛି।