ଡମଣା ମଣ୍ଡପବସ୍ତି ରାହାସ ହତ୍ୟା ଘଟଣା: ଉଧା‌ର ଟଙ୍କା ପାଇଁ ଗଣ୍ଡ‌ଗୋଳ, ହତ୍ୟା

ଜେଲ୍‌ ହାଜତକୁ ଗଲା ଅଭିଯୁକ୍ତ ସନା

ଚନ୍ଦ୍ରଶେଖରପୁର: ଡମଣାସ୍ଥିତ ବିଏମ୍‌ସି କଲ୍ୟାଣ ମଣ୍ଡପ ପାଖ ମଣ୍ଡପବସ୍ତିରେ ଘଟିଥିବା ରାହାସ ବେହେରା ହତ୍ୟାକାଣ୍ଡର ଅଭିଯୁକ୍ତ ସନାତନ ମୁଣ୍ଡାକୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଜାମିନ୍‌ ଖାରଜ ହେବା ପରେ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଉଧାର ଟଙ୍କା ମାଗି କଡ଼ା ଭାଷାରେ ଗାଳି କରିବାରୁ ସନାତନ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା ଓ ରାଗରେ କାଠଫାଳିଆରେ ରାହାସକୁ ସେ ପିଟିଥିବା ମାନିଛି ବୋଲି ପୁଲିସ ସୂଚନା ଦେଇଛି। ଅଭିଯୁକ୍ତ ସନାତନ ପୁଲିସକୁ ଦେଇଥିବା ବୟାନ ଅନୁସାରେ ମୃତ ରାହାସ ତାକୁ ଟଙ୍କା ଉଧାର ଦେଇଥାଏ। କିନ୍ତୁ ସେ ମଦ କିଣିବା ପରେ ରାହାସ ତା’ଠାରୁ ମାଗଣାରେ ମଦ ପିଏ। ଅଥଚ ଧାର ଦେଇଥିବା ଟଙ୍କା ଫେରାଇବାରେ ସାମାନ୍ୟ ବିଳମ୍ବ ହେଲେ ରାହାସ ତାକୁ ଗାଳି କରେ। ପୂର୍ବରୁ ଏମିତି ବହୁଥର ହୋଇଥିଲା। ଉଧାର ନେଉଥିବା ଟଙ୍କା ସେ ସୁବିଧା ଦେଖି ଶୁଝିଦିଏ ବୋଲି ସନାତନ କହିଛି। କିନ୍ତୁ ଘଟଣା ଦିନ ରାତିରେ ସେମାନେ ସାଙ୍ଗ ହୋଇ ମଦ ପିଇଥିଲେ ବି ଉଧାର ଟଙ୍କା ଫେରାଇବା ପାଇଁ ରାହାସ ତାକୁ ଗାଳି କଲା। କଡ଼ା ଭାଷାରେ ଗାଳି କରିବା ସହ ମଦ ନିଶାରେ ରାହାସ ତାକୁ ଠେଲାପେଲା କଲା। ତେଣୁ ତା’ ମୁଣ୍ଡକୁ ରାଗ ଚଢ଼ି ଯାଇଥିଲା ଓ ପାଖରେ ପଡ଼ିଥିବା ଏକ କାଠଫାଳିଆରେ ସେ ରାହାସକୁ ପିଟିଥିଲା। ତେବେ ରାହାସ ମରିଯିବ ବୋଲି ତା’ର ଧାରଣା ନଥିଲା ବୋଲି ସନାତନ କହିଛି।

ପୁଲିସ ସୂଚନାନୁସାରେ ମଦ ପିଇବା ପରେ ଗଣ୍ଡଗୋଳ କରିବା ସନାତନ ପାଇଁ କିଛି ନୂଆ ନଥିଲା। ସେ ପୂର୍ବରୁ ମଧ୍ୟ ଏମିତି ଗଣ୍ଡଗୋଳ କରିଥିବା ଅଭିଯୋଗରେ ୩ ଥର ଗିରଫ ହୋଇ ଜେଲ୍ ଯାଇଥିଲା ବୋଲି ପୁଲିସ କହିଛି। ନିଶା ଛଡ଼ାଇବା ପାଇଁ ପରିବାରଲୋକ ତାକୁ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ। ସେଠାରୁ ପଳାଇ ଆସି ସେ ତା’ର ବାପାକୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ନିଶା ନିବାରଣ କେନ୍ଦ୍ରକୁ ପଠାଇଥିବା ରାଗରେ ସେ ତା’ ବାପାଙ୍କୁ ମାଡ଼ ମାରି ଆହତ କରିଥିଲା। ସ୍ଥାନୀୟ ବସ୍ତିବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ ବସ୍ତିରେ ନିଶା କାରବାର ଚାଲିଥିବା ବେଳେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଚୁପ୍ ବସୁଛି। ମଦ ବ୍ୟବସାୟୀ ଓ ପୁଲିସ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ପାଇଁ ଏଭଳି ଅଘଟଣ ଘଟୁଛି ବୋଲି ବସ୍ତିବାସିନ୍ଦାମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର