ଡମଣା ହାଟରୁ ଉଠୁନି ଅଳିଆ, ୮ ଦିନ ହେଲା ଦୁର୍ଗନ୍ଧରେ ଫାଟୁଛି ଅଞ୍ଚଳ

ବ୍ୟବସାୟୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ଚନ୍ଦ୍ରଶେଖରପୁର: ୮ ଦିନ ହେଲା ଉଠୁନି ଅଳିଆ। କେଉଁଠି ଜମା ହୋଇ ରହିଛି ତ ଆଉ କେଉଁଠି ଖେଳାଇ ହୋଇ ପଡ଼ିଛି। ଡମଣା ହାଟରେ ଉପୁଜିଛି ଏଭଳି ସମସ୍ୟା। ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ନା ପ୍ରଶାସନ ଶୁଣୁଛି ନା ବିଏମ୍‌ସି। ହାଟର ଚେୟାରମ୍ୟାନ୍‌ ତଥା ଉପ ଜିଲ୍ଲାପାଳ ବି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ବିଏମ୍‌ସି କର୍ତୃପକ୍ଷ ନିଜ ଜିଦ୍‌ରେ ଅଟଳ ରହିଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଯଦି ସମସ୍ୟାର ତୁରନ୍ତ ସମଧାନ ନ ହୁଏ ତେବେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ହାଟର ବ୍ୟବସାୟୀମାନେ ଚେତାବନୀ ଦେଇଛନ୍ତି।

ସପ୍ତାହର ତିନି ଦିନ ମଙ୍ଗଳବାର, ଗୁରୁବାର ଓ ରବିବାର ଏଠାରେ ହାଟ ବସେ। ଯେଉଁଠାରେ ପନିପରିବାଠାରୁ ଆରମ୍ଭ କରି ପୂଜା ସାମଗ୍ରୀ, ଗ୍ରୋସରି, ଘର ଉପକରଣ ଆଦି ବିକ୍ରି ହୋଇଥାଏ। ଏହି ହାଟରେ ୬ ଶହରୁ ଅଧିକ ବେପାରୀ ବସୁଛନ୍ତି। ପ୍ରତି ପାଳିରେ ପ୍ରାୟ ୫ ହଜାରରୁ ଅଧିକ ଗ୍ର‌ାହକ ଏହି ହାଟ ଉପରେ ନିର୍ଭର କରୁଛନ୍ତି। ସକାଳ ୮ଟାରୁ ପାଖାପାଖି ରାତି ୧୧ଟା ପର୍ଯ୍ୟନ୍ତ ହାଟ ଚାଲୁଛି। ଡମଣା ଗାଁ ସମେତ ପଟିଆ, ଚନ୍ଦ୍ରଶେଖରପୁର, ବିଡିଏ କଲୋନି, ଶୈଳଶ୍ରୀ ବିହାର, ନୀଳାଦ୍ରିବିହାର, ଶ୍ରୀ ବିହାର, କାନନ ବିହାର ପ୍ରଭୃତି ଅଞ୍ଚଳର ଲୋକେ ଏହି ହାଟ ଉପରେ ନିର୍ଭରଶୀଳ। ଗତ ସପ୍ତାହେ ହେଲା ହାଟରେ ଅଳିଆ ସେମିତି ପଡ଼ିରହିଛି। କୋବିପତ୍ର, ପଚା ପନିପରିବା ଆଦି ହାଟ ଭିତରେ ପଡ଼ି ରହୁଥିବାରୁ ପରିବେଶ ଦୂଷିତ ହେବାରେ ଲାଗିଛି। ଗ୍ରାହକମାନେ ତାହାରି ଭିତରେ ଯିବା ଆସିବା କରୁଛନ୍ତି। ବ୍ୟବସାୟୀମାନେ ବି ପ୍ରତି ପାଳି ହ‌ାଟ ପାଇଁ ଆସି ସେହି ଦୁର୍ଗନ୍ଧମୟ ପରିବେଶରେ ବସୁଛନ୍ତି। ହେଲେ ପ୍ରତିଦିନ ସକାଳୁ ଅଳିଆ ଉଠାଇବା ଦାୟିତ୍ବରେ ଥିବା ଅଧିକାରୀମାନେ ଆସୁନାହାନ୍ତି କି ଅଳିଆ ଉଠାଉ ନାହାନ୍ତି। ହାଟର ସଭାପତି ଜୀବନ ସାହୁଙ୍କ କହିବାନୁଯାୟୀ ସପ୍ତା‌ହେ ହେଲା ଅଳିଆ ଉଠୁନି। ଆର୍‌ଏମ୍‌ସି ଦୋକାନୀଙ୍କଠାରୁ ପ୍ରତିଦିନ ୫ ଟଙ୍କା ଲେଖାଏ ନେଉଥିଲେ ମଧ୍ୟ ସଫେଇ ପ୍ରତି ଧ୍ୟାନ ଦେଉନି। ଗତ ସପ୍ତାହେ ହେଲା ବାରମ୍ବାର ଅଭିଯୋଗ କରୁଛୁ। ତଥାପି ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ବିଏମ୍‌ସି ଡେପୁଟି କମିସନରଙ୍କ ନିର୍ଦେଶରେ ଅଳିଆ ଉଠା ଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ନେଇ ପୁଣିଥରେ ଉପଜିଲ୍ଲାପାଳଙ୍କୁ ଭେଟି ଦାବି ସମ୍ପର୍କରେ ଜଣାଇବୁ। ଯଦି ସେ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଆମେ ଚରମ ପଦକ୍ଷେପ ଗ୍ରହଣ କରିବୁ ବୋଲି ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର