ପ୍ରାଚୀନ ପଟିଆ କିଲ୍ଲାର ଅନ୍ୟତମ ରାଜସ୍ବ ଗ୍ରାମ ହେଉଛି ଡମଣା। ପଟିଆ ରାଜାଙ୍କ ଶାସନ କାଳରେ ଏହି ଗାଁ ଏକ ଦୈବୀଶକ୍ତିର ପୀଠ ଥିଲା ବୋଲି କୁହାଯାଏ। ୧୬୦୦ ଖ୍ରୀଷ୍ଟାବ୍ଦରୁ ଏଠାରେ ଜନବସତି ସ୍ଥାପନ ହୋଇଥିବା ଲୋକକଥା ରହିଛି। ପ୍ରଥମେ ପଟିଆ ରାଜା ମା’ ବାହୁଡେଇ(ବାଉତେଇ)ଙ୍କ ମନ୍ଦିର ଏଠାରେ ସ୍ଥାପନ କରିଥିଲେ। କିଆ, କେତକୀ ବଣ ଭିତରେ ମା’ଙ୍କ ପୀଠ ଥିଲା ଲୋକଙ୍କ ଆଶା ଭରସାର ସ୍ଥଳ। ତା’ ପରେ ବୁଡ଼ୁ ନଦୀ ଓ କୁଆଖାଇ ନଦୀର ସଂଯୋଗ ସ୍ଥଳରେ ଥିବା ଲୋକମାନେ ସବୁବେଳେ ବନ୍ୟା ବିଭୀଷିକାର ଶିକାର ହେଉଥିବାରୁ ପଟିଆ ରାଜା ସେହି ଲୋକମାନଙ୍କୁ ଆଣି ଏଠାରେ ଥଇଥାନ କରିଥିଲେ ବୋଲି ଗାଁର କିଛି ପୁରୁଖା ଲୋକ ତାଙ୍କ ବାପା ଜେଜେବାପାଙ୍କଠାରୁ ଶୁଣିଥିବା କହିଛନ୍ତି। ସେହିଭଳି ଗାଁର ନାମକରଣକୁ ନେଇ ଭିନ୍ନ ଭିନ୍ନ ମତ ଆସୁଛି। କେତେକଙ୍କ ମତରେ ବାଉତେଇଙ୍କ ମନ୍ଦିରରେ ଡମ ରଣା ବୋଲି ଜଣେ ପ୍ରଖ୍ୟାତ ମାଳି ବା ପୂଜକ ଥିଲେ। ତାଙ୍କ ନାମାନୁସାରେ ଗାଁର ନାଁ ଡମଣା ହୋଇଛି। କିନ୍ତୁ ଏହି କଥାକୁ ଅନେକ ଗ୍ରହଣ କରନ୍ତି ନାହିଁ। ସେମାନଙ୍କ ମତରେ ବାଉତେଇ ଠାକୁରାଣୀଙ୍କ ଅନ୍ୟନାମ ହେଉଛି ‘ଡମଣୀ’। ତେଣୁ ମା’ଙ୍କ ନାମାନୁସାରେ ଗାଁର ଏଭଳି ନାମକରଣ ହୋଇଛି। ତେବେ ମୋଟାମୋଟି ଗାଁର ପ୍ରତିଷ୍ଠା ପଛରେ ରହିଛି ମା’ ବାଉତେଇ ବା ଡମଣୀଙ୍କ ମହିମା। ଏହି ଗାଁର ପୂର୍ବ ଦିଗରେ ‘ଗାଡ଼କଣ’ ପଶ୍ଚିମରେ ‘ପଥରଗାଡ଼ିଆ’(ବର୍ତ୍ତମାନର ଇନ୍ଫୋସିଟି ଏରିଆ) ଓ ଉତ୍ତରରେ ପଟିଆ ଥିବା ବେଳେ ଦକ୍ଷିଣରେ ଘଞ୍ଚ ଜଙ୍ଗଲ ସହ ନୂଆପଲ୍ଲୀ ଗାଁର ଜନବସତି ରହିଛି।
ଡ୍ରେନ୍ ପାଲଟିଲା କେତକୀ ଝର, ହଜିଗଲା କେତକୀ ଫୁଲର ମହକ
ଗାଁର ପଶ୍ଚିମ ଉତ୍ତର ଦିଗରେ କେତକୀ ଝର ବହି ଯାଇଥିଲା। ଏହି ଝର ଦିନେ ଗାଁ ଲୋକଙ୍କର ଜୀବନରେଖା ଥିଲା। ସେଠି ସେମାନେ ସ୍ନାନ, ଶୌଚଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଦୈନନ୍ଦିନ କାର୍ଯ୍ୟ କରୁଥିଲେ। ଏମିତିକି ଏହି ଝରରୁ ପାଣି ନେଇ ସେମାନେ ରୋଷେଇବାସ କରୁଥିଲେ। ଝର କଡ଼େକଡ଼େ କିଆ କେତକୀ ଫୁଲ ଭର୍ତ୍ତି ହୋଇଯାଉଥିଲା। କିଆ କେତକୀ ଫୁଲର ମହକ ଖେଳିଯାଉଥିଲା ସମଗ୍ର ଅଞ୍ଚଳକୁ। ଏହା ଏବେ ଦେଖିବାକୁ ସାତ ସପନ ବୋଲି ଗାଁ ଲୋକମାନେ କହିଛନ୍ତି। ସେହି ଝର ଏବେ ୧ନମ୍ବର ଡ୍ରେନ୍ରେ ପରିଣତ ହୋଇଯାଇଛି। ଯେଉଁ ଅଞ୍ଚଳ ଦିନେ କେତକୀ ଫୁଲର ବାସରେ ଚହଟି ଉଠୁଥିଲା, ସେଠି ଏବେ ନର୍ଦ୍ଦମା ପାଣି ଗନ୍ଧରେ ନାକ ଫାଟି ପଡ଼ୁଛି। କେତକୀ ଝରର ନିର୍ମଳ କାଚକେନ୍ଦୁ ପାଣି ଆଜି ମଇଳା। ୫୦/୬୦ ବର୍ଷ ତଳେ ଗାଁର ସବୁ ଘର ଚାଳ, ଦୋପରୀ ଘର ଥିଲା। ଛାତ ଘର ଗାଁରେ ଆଦୌ ନଥିଲା। ପକ୍କା ସଡ଼କ, ବିଜୁଳି ଆଲୁଅ ଲୋକଙ୍କ ପାଇଁ ସାତ ସପନ ଥିଲା। ଗାଁର ଗୋଡ଼ି ପଥର ରାସ୍ତା ୧୯୮୭ ମସିହାରେ କଂକ୍ରିଟ୍ ଢଳେଇ ହେଲା। ସେହିଭଳି ଗାଁକୁ ବିଜୁଳ ଆଲୁଅ ଓ ଟେଲିଫୋନ୍ ୮୦ ଦଶକର ଶେଷ ଆଡ଼କୁ ଆସିଥିଲା।
ରାଢ଼ବା, କୁଣ୍ଡ ମୁଣ୍ଡିଆରେ ନୀଳାଦ୍ରିବିହାର ଓ ଡିଷ୍ଟ୍ରିକ୍ଟ ସେଣ୍ଟର
୬୦ ବର୍ଷ ତଳେ ଗାଁର ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଦିଗରେ ଅଗନାଅଗନି ବନସ୍ତ ଥିଲା। ଠାଏ ଠାଏ ଚାରଣ ଭୂମି ଥିଲା। ସମତଳ ଭୂମିରେ ଲୋକମାନେ ଚାଷବାସ କରୁଥିଲେ। ପୂର୍ବ ଦିଗରେ ସଂପୂର୍ଣ୍ଣ ଧାନ ଗହୀର ଥିଲା। ରାଜଧାନୀର କଳେବର ବଢ଼ିବାରୁ କାଳକ୍ରମେ ଇଞ୍ଚେ ବି ଚାଷ ଜମି ଆଉ ରହିଲା ନାହିଁ। ସବୁଆଡେ ଛିଡ଼ା ହୋଇଛି ବିରାଟ ବିରାଟ ଅଟ୍ଟାଳିକା। ବର୍ତ୍ତମାନ ଚନ୍ଦ୍ରଶେଖରପୁରର ପ୍ରତିଷ୍ଠିତ ଅଞ୍ଚଳ ଭାବେ ଖ୍ୟାତି ଅର୍ଜନ କରିଥିବା ନୀଳାଦ୍ରିବିହାର ଓ ଡିଷ୍ଟ୍ରିକ୍ଟ ସେଣ୍ଟର ଏହି ଗାଁର ରାଢ଼ବା ମୁଣ୍ଡିଆ ଓ କୁଣ୍ଡ ମୁଣ୍ଡିଆ ଉପରେ ଛିଡ଼ା ହୋଇଛି। ଏହି ଦୁଇ ମୁଣ୍ଡିଆ କାଟି ଏହି ଜନବସତି ସ୍ଥାପନ କରାଯାଇଛି। ଏହା ଏବେ ଆବାସିକ ଘର ସାଙ୍ଗକୁ ବ୍ୟବସାୟିକ ପେଣ୍ଠସ୍ଥଳୀ ପାଲଟିଛି।
ମିଳୁଥିଲା ପ୍ରଚୁର ହରିଣ ମାଂସ
ସେତେବେଳେ ଗାଁ ଲୋକମାନେ ବିଲ ଓ କେତକୀ ଝରରୁ ମାଛ ମାରି ଖାଉଥିଲେ। ଜଙ୍ଗଲରୁ ମିଳୁଥିଲା ପ୍ରଚୁର ହରିଣ ମାଂସ। ରାଜାଙ୍କର ବାଣୁଆ ଥିଲା। ବନ୍ୟଜନ୍ତୁ ଶିକାର ଉପରେ କୌଣସି ଅଂକୁଶ ନଥିଲା। ବାଣୁଆମାନେ ଜଙ୍ଗଲ ଭିତରୁ ହରିଣ ଶିକାର କରି ଲୋକମାନଙ୍କୁ ବିକୁଥିଲେ। କେବଳ ହରିଣ ନୁହେଁ, କୁଟୁରା, ବାର୍ହା, ସମ୍ବର ଭଳି ବନ୍ୟପ୍ରାଣୀ ଶିକାର ହେଉଥିଲା। ଛେଳି ମାଂସ ଖୁବ୍ କ୍ବଚିତ ଥିଲା। ଜଙ୍ଗଲୀ ମାଂସ କମ୍ ଦରରେ ମିଳୁଥିବାରୁ ଛେଳି ମାଂସର ଚାହିଦା କମ ଥିଲା। ପ୍ରାୟ ୧୯୮୦ ମସିହା ବେଳକୁ ପଶୁ ଶିକାର ବନ୍ଦ ହୋଇଗଲା ଏବଂ ଛେଳି ମାଂସର ଚାହିଦା ବଢ଼ିଲା।
ଗାଁରେ ଭୋଗ ଖାଆନ୍ତି ଗୋପୀନାଥ ଦେବ
ଗାଁର ଇଷ୍ଟଦେବତା ପ୍ରଭୁ ଗୋପୀନାଥ ଦେବ ଓ କପାଳମୋଚନ ଦେବ। ଗ୍ରାମଦେବତୀ ହେଉଛନ୍ତି ମା’ ବାଉତେଇ। ଗାଁରେ ଅଲେଖ ଧର୍ମର ଅଲେଖ ଟୁଙ୍ଗୀ ମଧ୍ୟ କାହିଁ କେଉଁ କାଳରୁ ରହି ଆସିଛି। ପରବର୍ତ୍ତୀ ସମୟରେ ଗାଁରେ ତାରିଣୀ ମନ୍ଦିର, ହନୁମାନ ମନ୍ଦିର, ଶନି ମନ୍ଦିର ଆଦି ଗଢ଼ି ଉଠିଛି। ଗାଁର ମୁଖ୍ୟ ପର୍ବ ହେଉଛି ଦୋଳ ଯାତ୍ରା। ପ୍ରଭୁ ଗୋପୀନାଥ ଦେବ ଗାଁ ସାରା ବୁଲି ଭୋଗ ଖାଆନ୍ତି। ଯାତ୍ରା ପଡ଼ିଆରେ ୫ଦିନ ରହିବା ପରେ ସର ଲବଣି ଖାଇ ମନ୍ଦିରକୁ ଫେରନ୍ତି। ଗାଁରେ ୫ ରାତି ଅପେରା ପରିବେଷଣ ହୁଏ। ସେହିଭଳି ଦୁର୍ଗା ପୂଜା, କାର୍ତ୍ତିକେଶ୍ବର ପୂଜା, ବସନ୍ତ ରାସ, ଅଷ୍ଟପ୍ରହରୀ ଆଦି ଉତ୍ସବ ପାଳନ କରାଯାଏ।
ହଜିଗଲା ଦେଶୀ କାଙ୍କଡ଼ ଚାଷ
୬୦ ବର୍ଷ ତଳେ ଗାଁର ମୂଳ ବେଉସା ଥିଲା ଚାଷ। ବର୍ଷକ ବାର ମାସ ଗାଁ କ୍ଷେତ ସବୁଜିମାରେ ଭରି ଯାଉଥିଲା। ଧାନ, ମାଣ୍ଡିଆ, କୋଳଥ, ବାଇଗଣ, ବିଆଳି ଧାନ, ଦେଶୀ କାଙ୍କଡ଼ ଆଦି ଗାଁରେ ପ୍ରଚୁର ପରିମାଣରେ ଚାଷ ହେଉଥିଲା। ଗାଁର ଚଷା ପୁଅ ଏ ସବୁକୁ ନେଇ ରେଳ ଧାରଣା କଡ଼େ କଡ଼େ ଲିଙ୍ଗରାଜ ହାଟକୁ ବିକିବା ପାଇଁ ଯାଉଥିଲା। ସେଠି ବିକ୍ରି କରି ତେଲ ଲୁଣ ଧରି ଫେରୁଥିଲେ। ଗାଁରେ ପ୍ରତ୍ୟେକଙ୍କ ଘରେ ଗାଇ ଥିଲେ। ପ୍ରଚୁର କ୍ଷୀର ଉତ୍ପାଦନ ହେଉଥିଲା। ଆଖପାଖ ଗାଁର ଲୋକେ କ୍ଷୀର ନେବାକୁ ଡମଣା ଆସୁଥିଲେ। ୧୯୯୯ ମହାବାତ୍ୟା ପରେ ଚାଷ କ୍ରମଶଃ ବନ୍ଦ ହୋଇଗଲା। ରାଜଧାନୀର ସୀମା ବଢ଼ିବଢ଼ି ଚାଷ ଜମିକୁ ଗିଳି ପକାଇଲା। ଘରଡିହ ଅମୂଲ ମୂଲ ହେଲା। ଲୋକମାନେ ଚାଷ ଛାଡ଼ିଦେଲେ। ବେପାର ବଣିଜ କରିବା ଆରମ୍ଭ କଲେ।
ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ହାଉସିଂବୋର୍ଡ କଲୋନିର ଶୁଭ ଦେଇଥିଲେ
ଗାଁ ଜମିରେ ପ୍ରଥମେ ୧୯୮୦ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ନଗର ଉନ୍ନୟନ ମନ୍ତ୍ରୀ ବସନ୍ତ ବିଶ୍ବାଳ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି ପ୍ରତିଷ୍ଠା ପାଇଁ ଶୁଭ ଦେଲେ। ବିଶାଳ ଆମ୍ବ ତୋଟା କାଟିଦିଆଗଲା। ଆମ୍ବତୋଟା ଜାଗାରେ ଗଢ଼ା ହେଲା କଲୋନି। ସେହିଭଳି ୧୯୯୩ ମସିହାରେ ବିଜୁ ପଟ୍ଟନାୟକ ଶୈଳଶ୍ରୀବିହାର ଆବାସିକ ଅଞ୍ଚଳର ଉଦ୍ଘାଟନ କରିଥିଲେ। ବିରାଟ ଗଛ ସବୁ କଟା ହୋଇଥିବାରୁ ସେ କ୍ଷୁବ୍ଧ ହୋଇଥିଲେ ଏବଂ ସମସ୍ତଙ୍କୁ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ। ସେତେବେଳେ ଡମଣା ଗାଁକୁ ପ୍ରବେଶ କରିବା ରାସ୍ତାରେ ଗଛ ଲାଗିଥିଲା। ଏବେ ବି ସେ ଗଛ ସବୁ ସ୍ମୃତି ହୋଇ ଛିଡ଼ା ହୋଇଛି। ସେହିପରି ଗାଁ ଜମିରେ ପରବର୍ତ୍ତି ସମୟରେ କନକଦୁର୍ଗା ନଗର, କୁବେରନଗର ଆଦି ଗଢ଼ି ଉଠିଛି।
ବଢ଼ିଚାଲିଛି ଡମଣା ହାଟ
୧୯୯୦ ମସିହାରେ ଧ୍ରୁବ ସାହୁଙ୍କ ପ୍ରଚେଷ୍ଟାରେ ଡମଣା ହାଟ ପ୍ରତିଷ୍ଠା ହୋଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଥିଲେ। ୧୪୦ ବ୍ୟବସାୟୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ହାଟରେ ଏବେ ୧୨ଶହ ବେପାରୀ। ଚନ୍ଦ୍ରଶେଖରପୁର ଅଞ୍ଚଳ ଏହି ହାଟ ଉପରେ ନିର୍ଭରଶୀଳ।
ପୋତି ହୋଇଗଲାଣି ରାଜାଙ୍କ ପୋଖରୀ
ଗାଁରେ ଥିବା ରାଜାଙ୍କ ପୋଖରୀ ଏବେ ପୋତି ହୋଇଗଲାଣି। କୁହାଯାଏ ରାଜା ମା’ ବାଉତେଇଙ୍କୁ ପୂଜା କରିବାକୁ ଆସିବା ବେଳେ ଏହି ପୋଖରୀରେ ସ୍ନାନ କରନ୍ତି। ସେହିଭଳି ଗାଁରେ ଯମୁନା ପୋଖରୀ, ଟୁଙ୍ଗୀ ପୋଖରୀ, ପଇଡ଼ ଝର ପୋଖରୀ ରହିଛି। ହେଲେ ଏବେ ସେହି ପୋଖରୀ ସବୁ ପୋତି ହୋଇଗଲାଣି।