ବାଲିଅନ୍ତା ବଜାର: ରବିବାର ଅପରାହ୍ଣରେ ବାଲିଅନ୍ତା ପଞ୍ଚାୟତ ଜଗନ୍ନାଥପୁର ଗାଁ ହୋତାସାହିରେ ଘଟିଥିବା ଅଗ୍ନିକାଣ୍ଡରେ ଗରିବ ଦାମୋଦର ଭୋଇଙ୍କ ୨ ବଖରା ଘର ଜଳିଯାଇଛି। ଏଥିରେ ଦାମୋଦରଙ୍କ ଘରେ ସାଇତା ହୋଇଥିବା ବର୍ଷକର ଖାଦ୍ୟ (ଧାନ), ଲୁଗାପଟା ଓ କିଛି ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି।
ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ହେଁ ବିଦ୍ୟୁତ୍ ସର୍ଟସର୍କିଟ୍ରୁ ନିଆଁ ଲାଗିଥିବା ଜଣାପଡ଼ିଛି। ଗ୍ରାମବାସୀମାନେ ନିଆଁକୁ ଆୟତ୍ତ କରିବାକୁ ଲାଗିପଡ଼ିଥିବା ବେଳେ ବାଲିପାଟଣା ଅଗ୍ନିଶମ କେନ୍ଦ୍ରରୁ ଦମକଳ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ୨ଟିଯାକ ବଖରା ଜଳିଯାଇଥିଲା ଏବଂ ଭିତରେ ବହୁ ଜିନିଷପତ୍ର ପାଉଁଶ ହୋଇଯାଇଥିଲା। ଦାମୋଦର ପକ୍ଷାଘାତ ରୋଗୀ ହୋଇଥିବାରୁ କେବଳ ତାଙ୍କ ସ୍ତ୍ରୀ ମୂଲପାତି ଲାଗି ୨ ଛୁଆ ଓ ସ୍ବାମୀଙ୍କ ମୁହଁରେ ଦାନା ଦେଇଥା’ନ୍ତି। ଭାଗଚାଷରୁ ପାଇଥିବା ଧାନ ବର୍ଷକ ପାଇଁ ଭାତ ହୋଇଯାଏ। ମାତ୍ର ନିଆଁରେ ସବୁ ଯାଇଛି। ତେଣୁ ଦାମୋଦରଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଦେବାକୁ ଦାବି ହୋଇଛି। ସରପଞ୍ଚ ସସ୍ମିତା ମଲ୍ଲିକ ଓ ରାଜସ୍ୱ ନିରୀକ୍ଷକଙ୍କ ପ୍ରତିନିଧି ଦାମୋଦରଙ୍କ ଘରେ ପହଞ୍ଚି ଜରିପାଲ ଦେଇଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/08/untitled-2-2025-09-08-06-37-02.jpg)