ମାଟ୍ରିକ୍‍ ପାସ୍ କଲେ ଦାନ ମାଝୀଙ୍କ ଝିଅ

କିସ୍‌ରେ ଶତପ୍ରତିଶତ ଫଳ, ସଉରା ସଂପ୍ରଦାୟର‌ ମୋହନ ଚରଣ ରଇତ ସ୍କୁଲ ଟପର୍

ଚନ୍ଦଶେଖରପୁର : ଶୁକ୍ରବାର ପ୍ରକାଶିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍‌)ର ଫଳାଫଳ ଶତ ପ୍ରତିଶତ ହୋଇଛି। ଚଳିତବର୍ଷ କିସ୍‌ର ମୋଟ ୧୯୦୦ ଛାତ୍ରଛାତ୍ରୀ ମାଟ୍ରିକ୍‍ ପରୀକ୍ଷା ଦେଇଥିବାବେଳେ ସେଥିରୁ ୬୨୯ ଛାତ୍ରଛାତ୍ରୀ ୭୦ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଡିଡାଇ, ଜୁଆଙ୍ଗ, ଖଡ଼ିଆ, କୁଟିଆ କନ୍ଧ, ଲୋଧା, ଲାଞ୍ଜିଆ ସଉରା ଓ ବଣ୍ଡା ଆଦି ଆଦିମ ଜନଜାତିର ୫୭୩ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ସଉରା ସଂପ୍ରଦାୟର ମୋହନ ଚରଣ ରଇତ ସର୍ବାଧିକ ୫୪୦ ନମ୍ବର ରଖି ସ୍କୁଲ ଟପର ହୋଇଛନ୍ତି। ‌ସେହିପରି ଏଠାରେ ରହି ପାଠ ପଢ଼ୁଥିବା ରାଜ୍ୟର ଚର୍ଚ୍ଚିତ ଚେହେରା ଦାନ ମାଝୀଙ୍କ ବଡ଼ ଝିଅ ଚାନ୍ଦିନୀ ମାଝୀ ମଧ୍ୟ ଏ ବର୍ଷ ମାଟ୍ରିକ୍ ପାସ୍ କରିଛି। ଚାନ୍ଦିନୀ ଓ ତାଙ୍କର ଅନ୍ୟ ଦୁଇ ସାନ ଭଉଣୀ କିସ୍‍ରେ ରହି ପାଠ ପଢୁଛନ୍ତି।

୨୦୧୬ ମସିହାରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ୍ ଅର୍ନ୍ତଗତ ମେଲଘର ଗାଁର ଦାନ ମାଝୀ ନିଜ ପତ୍ନୀଙ୍କ ଶବକୁ ଦୀର୍ଘ ୧୦ କିଲୋମିଟର କାନ୍ଧରେ ବୋହି ଚାଲି ଚାଲି ଆସିବା ଘଟଣା ଚର୍ଚ୍ଚାକୁ ଆସିଥିଲା। ସେତେବେଳେ ଏହି ଘଟଣା କିସ୍‍ ଓ କିଟ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିବା ପରେ ସେ ଦାନଙ୍କ ତିନି ଝିଅଙ୍କୁ କିସ୍‌ରେ ରଖି ପାଠ ପଢ଼ାଇବାର ବନ୍ଦୋବସ୍ତ କରିଥଲେ। ଦାନଙ୍କ ବଡ଼ଝିଅ ଚାନ୍ଦିନୀ ମାଟ୍ରିକ୍‍ ପାସ୍ କରିବା ପରେ କଳାହାଣ୍ଡି ଜିଲ୍ଲା ଜନଜାତି ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଦୁଃସମୟରେ କିସ୍‍ ସାହାଯ୍ୟର ହାତ ବଢାଇବାରୁ ଆଜି ‌ଚାନ୍ଦିନୀ ମାଟ୍ରିକ୍‍ ପାସ୍ କରିପାରିଛି ଏବଂ ଅନ୍ୟ ଦୁଇ ଝିଅ କିସ୍‌ରେ ଭଲରେ ରହି ପାଠ ପଢ଼ି ପାରୁଛନ୍ତି ବୋଲି ସେମାନେ କହିଛନ୍ତି। କିସ୍‍ର ଶତ ପ୍ରତିଶତ ଫଳାଫଳ ନେଇ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ କିସ୍‌ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଅଦମ୍ୟ ଉଦ୍ୟମ ଓ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର