ଭୁବନେଶ୍ବର: ଓଡ଼ିଶୀ ଡ୍ୟାନ୍ସ କ୍ରିଏସନ୍ ପକ୍ଷରୁ ସଙ୍ଗୀତ ଓ ନୃତ୍ୟ ମହୋତ୍ସବ ‘ଛନ୍ଦବିଭା-୨୦୨୩’ ଆଜି ଭଞ୍ଜ କଳାମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ, ପ୍ରୋଜେକ୍ଟ ଛାଉଣୀର ମୁଖ୍ୟ ନିର୍ଦ୍ଦେଶକ ଶୁଭଶ୍ରୀ ମୁଖାର୍ଜୀ ଏବଂ ସମାଜସେବୀ ଓ ଚଳଚିତ୍ର ନିର୍ମାତା ଏଲ୍.ଏନ୍ ଅଗ୍ରୱାଲ ଯୋଗଦେଇଥିଲେ।

Advertisment

ଏହି ଅବସରରେ ଗୁରୁ ଶ୍ୟାମାମଣୀ ଦେବୀ, ଗୁରୁ ସ୍ନେହପ୍ରଭା ସାମନ୍ତରାୟ ଓ ଗୁରୁ ସଚ୍ଚିଦାନନ୍ଦ ଦାସଙ୍କୁ ‘ଛନ୍ଦବିଭା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ହୋଇଥିବା ନୃତ୍ୟ ପ୍ରତିଯୋଗିତାରେ ସାଇ ସୌମ୍ୟକାନ୍ତ ପ୍ରଥମ ସ୍ଥାନ, ପ୍ରୀତି ଝଙ୍କାର ଦ୍ୱିତୀୟ ଓ ଆଞ୍ଚଲ୍ ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଗୁରୁ ରାଜଶ୍ରୀ ପ୍ରହରାଜ ଓ ଗୁରୁ ବିଜନ ପଲାଇ ପ୍ରତିଯୋଗିତାର ବିଚାରକ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ମର୍ଦ୍ଦଳ ବାଦକ ଗୁରୁ ବୁଦ୍ଧନାଥ ସ୍ବାଇଁଙ୍କ ଦ୍ୱାରା ମର୍ଦ୍ଦଳ ବାଦନ ପରେ ପରେ ଅନୁଜା ତାରିଣୀ ଏକକ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଥିଲେ। ପରେ ସନ୍ତୋଷ ରାମ ଏବଂ ସମୀର କୁମାର ପାଣିଗ୍ରାହୀଙ୍କ ଦ୍ବାରା ଦ୍ୱୈତ ଓଡ଼ିଶୀ ନୃତ୍ୟ, ନୁପୁର ଡ୍ୟାନ୍ସ ଅନୁଷ୍ଠାନ ଦ୍ବାରା ଦଳଗତ ଓଡ଼ିଶୀ ନୃତ୍ୟ ଏବଂ ପରିଶେଷରେ ଓଡ଼ିଶୀ ଡ୍ୟାନ୍ସ କ୍ରିଏସନ୍ ଦ୍ୱାରା ଦଳଗତ ନୃତ୍ୟ ପରିବେଷିତ ହୋଇଥିଲା। ଓଡ଼ିଶୀ ଡ୍ୟାନ୍ସ କ୍ରିଏସନ୍ ପ୍ରତିଷ୍ଠାତା ନୃତ୍ୟଶିଳ୍ପୀ ପଙ୍କକ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅୟୋଜିତ ଏହି କାର୍ଯ୍ୟକ୍ରମକୁ ଶ୍ରୀନିବାସ ଘଟୁଆରୀ ଓ ଅଭିଜିତ୍ ବିଶ୍ୱାଳ ସଂଯୋଜନା କରିଥିଲେ।