ନୃତ୍ୟରେ ପ୍ରକୃତିର ଶୋଭା

ଭୁବନେଶ୍ବର: ପ୍ରକୃତିର ଶୋଭା ଯେଭଳି ମଣିଷକୁ ବିଭୋର କରିଦିଏ, ଜଣେ ଯୁବତୀ ବି ତା’ର ଗୁଣ ଓ ସୌନ୍ଦର୍ଯ୍ୟରେ ଅନ୍ୟର ଦୃଷ୍ଟି ଆକର୍ଷଣ କରିପାରେ। ପ୍ରକୃତି ଓ ମଣିଷ ମଧ୍ୟରେ ଏହି ତୁଳନୀୟ ସମ୍ପର୍କକୁ ନୃତ୍ୟରେ ଭେଟି ଦେଇଥିଲେ କଥକ ଶିଳ୍ପୀ ଅନିନ୍ଦିତା ନେୟୋଗି ଆନମ୍‌। ଦେବଦାସୀ ନୃତ୍ୟ ମନ୍ଦିର ପକ୍ଷରୁ ଭଂଜ କଳାମଣ୍ଡପରେ ଆୟୋଜିତ ଅନ୍ତର୍ଜାତୀୟ ନୃତ୍ୟ ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ କଥକ ନୃତ୍ୟରେ ବିଭୋର କରିଥିଲେ ଶିଳ୍ପୀ ଆନମ୍‌। ଏଥିସହ ପ୍ରତିମା ମହାନ୍ତି ‘ଲଳିତା ଲବଙ୍ଗ ଲତା..ଗୀତରେ ଓଡ଼ିଶୀ ନୃତ୍ୟ‌ ପରିବେଷଣ କରି ଦର୍ଶକଙ୍କ ମନୋରଂଜନ କରିଥିଲେ। ପରେ ଅମ୍ରିତା ଅଧିକାରୀ, ମୋନାଲି ଭଟ୍ଟାଚାର୍ଯ୍ୟ, ଅଞ୍ଜଳି, ଜ୍ୟୋତିର୍ମୟୀ ସୁପକାରଙ୍କ ଦ୍ବାରା ଏକକ ଓଡ଼ିଶୀ ନୃତ୍ୟ ଏବଂ ଭାରତୀ ନୃତ୍ୟ ମନ୍ଦିର ପକ୍ଷରୁ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା। ସାନିକା ଦେଓଧରଙ୍କ ଦ୍ବାରା କଥକ, ରଶ୍ମି ମେନନଙ୍କ ଦ୍ବାରା ମୋହିନୀ ଆଟ୍ଟମ ଏବଂ ସି ବିଜୟ କୁମାରଙ୍କ କଥକ ନୃତ୍ୟ ଦର୍ଶକ ଉପଭୋଗ କରିଥିଲେ। ଏହି ଅବସରରେ ହାଇଦ୍ରାବାଦର କୁଚିପୁଡ଼ି ନୃତ୍ୟଶିଳ୍ପୀ ଭୋଲେତି ଶ୍ରୀ ରେଖାଙ୍କୁ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା। ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପ୍ରାକ୍ତନ ପ୍ରଶାସକ ରବିନାରାୟଣ ନନ୍ଦ, ସାଇ ଭେଙ୍କଟେଶ ଏବଂ ନୃତ୍ୟମନ୍ଦିରର ଜଗବନ୍ଧୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର