ନୃତ୍ୟରେ ଶ୍ରଦ୍ଧାଞ୍ଜଳି: ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ଜୟନ୍ତୀ ‘ତୁମରି ସ୍ମୃତିରେ…’

ଭୁବନେଶ୍ୱର: ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ୭୪ତମ ଜୟନ୍ତୀ ଅବସରରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ ‘ତୁମରି ସ୍ମୃତିରେ’। ଶ୍ରଦ୍ଧାଞ୍ଜଳି ସ୍ୱରୂପ ନୃତ୍ୟଶିଳ୍ପୀମାନେ ଅର୍ପଣ କରି ଚାଲିଥିଲେ ଚିତ୍ତାକର୍ଷକ ଶାସ୍ତ୍ରୀୟ ନୃତ୍ୟ। ‘ସଂଯୁକ୍ତା ଓ ରଘୁନାଥ ପାଣିଗ୍ରାହୀ କଲ୍‌ଚରାଲ ହେରିଟେଜ୍‌ ଫାଉଣ୍ଡେସନ୍‌’ ଏବଂ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ‘ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର’ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଏହା ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରଥମ ଅର୍ଘ୍ୟ ଅର୍ପଣ କରିଥିଲେ ନୃତ୍ୟଶିଳ୍ପୀ ରାହୁଲ ଆଚାର୍ଯ୍ୟ। ରାଗ ମାଳବ କୌଶିକ ଓ ତାଳ ତ୍ରିପଟ୍ଟା ଉପରେ ଆଧାରିତ ଗୁରୁ ଦେବପ୍ରସାଦ ଦାସଙ୍କ ନୃତ୍ୟ ସଂଯୋଜନାକୁ ନେଇ ରାହୁଲଙ୍କ ଉପସ୍ଥାପନା ‘ଅଷ୍ଟଶମ୍ଭୁ’ ବେଶ୍‌ ମନୋରମ ଥିଲା। କଥକ ଶିଳ୍ପୀ ଏମିଲି ଘୋଷଙ୍କ ଦ୍ୱାରା ‘କୃଷ୍ଣ ବନ୍ଦନା’ ଓ ଭଜନ ଆଧାରିତ ନୃତ୍ୟାଭିନୟ ପରିବେଷିତ ହୋଇଥିଲା। ପରେ ପରେ ନୃତ୍ୟଶିଳ୍ପୀ ମୋହୁଲ ମୁଖାର୍ଜୀ ଭାରତନାଟ୍ୟମ୍‌ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ସୋନାଲି ମହାପାତ୍ର ଓ ସାଥୀମାନେ ଓଡ଼ିଶୀ ନୃତ୍ୟରେ ଅଷ୍ଟପଦୀ ‘କୁରୁ ଯଦୁନନ୍ଦନ’ ଓ ‘ଦଶ ମହାବିଦ୍ୟା’ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ, ଚଳଚ୍ଚିତ୍ର ନିର୍ଦ୍ଦେଶକ ବି.ଏସ୍‌ ରାଧାକ୍ରିଷ୍ଣନ୍‌, ବିରେନ୍‌ ସାହୁ ଓ ସଙ୍ଗୀତା ଗୋସାଇଁ ପ୍ରମୁଖ ଅତିିଥି ଭାବେ ଯୋଗ ଦେଇଥିଲେ। ଗୁରୁ ରତିକାନ୍ତ ମହାପାତ୍ର ଓ ସ୍ୱର୍ଗତା ପାଣିଗ୍ରାହୀଙ୍କ ପୁତ୍ର ବାବୁ ପାଣିଗ୍ରାହୀ ଏଥିରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ମୃତ୍ୟୁଞ୍ଜୟ ରଥ ଓ ମଧୁମିତା ମହାନ୍ତି।

ସମ୍ବନ୍ଧିତ ଖବର