ନୃତ୍ୟଗୁରୁଙ୍କ ମୃତଦେହ ମିଳିବା ଘଟଣା : ସପ୍ତାହେ ବିତିଲା, ସୁରାକ୍‌ ପାଉନି ପୁଲିସ

ଭୁବନେଶ୍ବର : ଏକ ଘରୋଇ ସ୍କୁଲର ନୃତ୍ୟୁଗୁରୁ ବିକାଶ ନାୟକଙ୍କ ମୃତଦେହ ପାଣି ଭର୍ତି ମୋରମ ଖଣିରୁ ମିଳିବା ଘଟଣାକୁ ଏକ ସପ୍ତାହ ବିତି ଗଲାଣି। କିନ୍ତୁ ପିପିଲି ପୁଲିସ ଏଯାଏ ଏହି ମୃତ୍ୟୁ ଘଟଣା ଉପରୁ ରହସ୍ୟ ଉନ୍ମୋଚନ କରି ପାରିଲା ନା‌ହିଁ। ଫଳରେ ବିକାଶଙ୍କ ପରିବାର ଏହାକୁ ନେଇ ଅସନ୍ତୋଷ ପ୍ରକଟ କରିବା ସହିତ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଅନ୍ୟପକ୍ଷରେ ପିପିଲି ଥାନା ଇନ୍ସପେକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ବିକାଶ ପାଣିରେ ବୁଡ଼ିଯିବା କାରଣରୁ ମୃତ୍ୟୁ ଘଟିଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡ଼ୁଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହୋଇଯିବ।

ମିଳିଥିବା ସୂଚନା ମୁତାବକ, ବିକାଶ ଶ୍ରୀ ଲିଙ୍ଗରାଜ ଥାନା ଅନନ୍ତ ବିହାରରେ ପତ୍ନୀ ଓ ଏକମାତ୍ର ଝିଅ ସହିତ ରହୁଥିଲେ। ଗତ ୧୫ ତାରିଖରେ ବିକାଶ ନିଖୋଜ ହୋଇ ଯାଇଥିଲେ। ତାଙ୍କ ମୋବାଇଲ ଫୋନ ରିଙ୍ଗ୍ ହେଉଥିଲେ ମଧ୍ୟ କେହି ଫୋନ୍ ଉଠାଉ ନ ଥିଲେ। ଏ ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ହଠାତ ନିଖୋଜ ହେବାର ଦୁଇ ଦିନ ପରେ ପିପିଲି ଥାନା ଅଧୀନ ଓଇସି କଲେଜ ନିକଟ ଏକ ମୋରମ ଖଣି ଭିତରେ ସେ ଭାସୁ ଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯାଇଥିଲା। ପୁଲିସ ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ ମୃତଦେହକୁ ଜବତ କରିଥିଲା। ଘଟଣାସ୍ଥଳରେ ପହଞ୍ଚି ପୁଲିସ ଦେଖିବାକୁ ପାଇଥିଲା କି, ବିକାଶଙ୍କ ସ୍କୁଟି ମୋରମ ଖଣି ନିକଟ ଏକ ସର୍ଭିସିଂ ସେଣ୍ଟରରେ ଥୁଆ ହୋଇଛି। ସେଠାରେ ଏକ ବିଅର (କେନ) ଓ ଡିସପୋଜେବୁଲ ଗ୍ଲାସ ମଧ୍ୟ ଅଛି। ତାଙ୍କ ପ୍ୟାଣ୍ଟ ସାର୍ଟ ସ୍କୁଟି ଉପରେ ପଡ଼ିଛି। ମୋବାଇଲ ଫୋନ୍ ପ୍ୟାଣ୍ଟ ପକେଟରେ ଅଛି। କିନ୍ତୁ ଶରୀରରେ କେବଳ ଅନ୍ତଃବସ୍ତ୍ର ରହିଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ବିକାଶ ସେହି ମୋରମ ଖଣି ନିକଟକୁ ଯାଇଥିଲେ କାହିଁକି? ଯଦି ଯାଇଥିଲେ ସେ ଏକୁଟିଆ ଯାଇଥିଲେ ନା ତାଙ୍କ ସହିତ ଆଉ କିଏ ଯାଇଥିଲେ? ଏସବୁ ତଦନ୍ତ ଚଳାଇଛି ପୁଲିସ। ବିକାଶଙ୍କ ମୋବାଇଲର କଲ ଡିଟେଲ୍ସର ମଧ୍ୟ ଯାଞ୍ଚ ହେଉଛି। ଯେଉଁ ଦିନ ସେ ଘରୁ ବାହାରି ଥିଲେ, ସେହି ଦିନ ବା ସେହି ସମୟରେ କିଏ ତାଙ୍କୁ ଫୋନ୍ କଲ୍ କରିଥିଲା। ସେ କାହା ସହିତ ଶେଷ ଥର କଥାବାର୍ତା ହୋଇଥିଲେ ଏହା ଜାଣିବା ପାଇଁ ପୁଲିସ କଲ ହିଷ୍ଟ୍ରି ମଗାଇଛି। ସେହିପରି ପୁଲିସ ସ୍କୁଲ କର୍ତୃପକ୍ଷ ଓ ବିକାଶଙ୍କ ସାଙ୍ଗସାଥୀଙ୍କୁ ମଧ୍ୟ ପଚରା ଉଚରା କରୁଛି। ବିକାଶଙ୍କ ମୃତ୍ୟୁ ହତ୍ୟା, ଆତ୍ମହତ୍ୟା ନା ପାଣି‌ରେ ବୁଡି ଯିବା କାରଣରୁ ଘଟିଛି ତାହା ଏବେ ସମସ୍ତଙ୍କୁ ଦ୍ବନ୍ଦରେ ପକାଇଛି। ବିକାଶଙ୍କ ମୃତ୍ୟୁକୁ ନେଇ ଭିନ୍ନ ଆଲୋଚନା ମଧ୍ୟ ହେଉଛି।

ସମ୍ବନ୍ଧିତ ଖବର