ଦର୍ଶକଙ୍କ ମନ ମୋହିଲା ଛଉ, ଝୁମର ନୃତ୍ୟ

ଶେଷ ହେଲା ମୟୂରଭଞ୍ଜ ଉତ୍ସବ

ଭୁବନେଶ୍ୱର: ମୟୂରଭଞ୍ଜ ସାଂସ୍କୃତିକ ସଂସଦ ପକ୍ଷରୁ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଆୟୋଜିତ ‘ସପ୍ତମ ମୟୂରଭଞ୍ଜ ଉତ୍ସବ’ର ଆଜି ଥିଲା ତୃତୀୟ ତଥା ଶେଷ ସଂଧ୍ୟା। ଏହି ସଂଧ୍ୟାରେ ମା’ କିଚକେଶ୍ୱରୀ ଛଉ ନୃତ୍ୟ ପ୍ରତିଷ୍ଠାନ, କରଞ୍ଜିଆର ଚିତ୍ତାକର୍ଷକ ଛଉ ନୃତ୍ୟ ‘ଗର୍ବ ଗଞ୍ଜନ…’, ବାହାଦୁରପୁରର ଓମ୍‌ ଟ୍ରାଡିସ୍‌ନାଲ୍‌ ଛୁମର୍‌ ଗ୍ରୁପ୍‌ର ଝୁମାର ଗୀତ ଓ ନୃତ୍ୟ, ଦିବ୍ୟାଙ୍ଗ ଶିଳ୍ପୀ ବିକାଶ ଦାସଙ୍କ ଅସାଧାରଣ ପ୍ରତିଭା ଦର୍ଶକଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥିଲା। ପୁଣି ସଲିଲ ମିତ୍ର, ପପୁ ପମ୍‌ପମ୍‌, ତାପସ ସରଘରିଆଙ୍କ କମେଡି ଦର୍ଶକଙ୍କୁ ହସାଇ ହସାଇ ବେଦମ୍‌ କରି ପକାଇଥିଲା। ଆଜିର କାର୍ଯ୍ୟକ୍ରମରେ ପଦ୍ମବିଭୂଷଣ ଯତୀନ ଦାସ, ଅଭିନେତା ଉତ୍ତମ ମହାନ୍ତି, ସ୍ୱରାଜ୍‌ ବାରିକ ଓ ମିତାଲି ସରଘରିଆ ପ୍ରମୁଖ ଉପସ୍ଥିତ ଥିଲେ। ଅଭିନେତା ସୁକାନ୍ତ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବିଶିଷ୍ଟ ସଂଳାପକାର ଚିନ୍ମୟ ଦାସ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବାରିପଦା ମୁଢ଼ି ମାଂସ, ବାଉଁଶ ପୋଡ଼ା ମାଂସ, ପତ୍ର ପୋଡ଼ା ମାଂସ ଖାଇବାକୁ ଆଜି ଗ୍ରାହକଙ୍କ ବେଶ୍‌ ଭିଡ଼ ଜମିଥିଲା। ସଂସଦର ସାଧାରଣ ସଂପାଦକ ଗୋକୁଳଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର