ଭୁବନେଶ୍ବର: ନା ଅଛି ଲାଇସେନ୍ସ, ନା ମିଳିଛି ଅନୁମତି। କିନ୍ତୁ ସଞ୍ଜ ନଇଁଲେ ବାର୍ରେ ଖୁଲମାଖୁଲା ଚାଲୁଛି ନାଚ। ଖାଲି ନାଚ ନୁହେଁ, ସିଗାରେଟ୍, ହୁକା ଧୂଆଁ ଉଡ଼ୁଛି। ନାଚୁଥିବା ଯୁବତୀଙ୍କ ଉପରେ ଟଙ୍କା ବର୍ଷା ହେଉଛି। କୋଭିଡ୍ କଟକଣାକୁ ଫୁଃ କରିଦେଇଛନ୍ତି ବାର୍ ମାଲିକ। ରାଜଧାନୀରେ ଗୋଟିଏ ବି ମଦ ବାର୍କୁ ଡ୍ୟାନ୍ସ ପାଇଁ ଅନୁମତି ମିଳି ନଥିବା ବେଳେ ସବୁ ଆଇନକାନୁନକୁ ମୋଡ଼ି ମକଚି ଦେଇଛନ୍ତି। ଧାର୍ଯ୍ୟ ସମୟ ପରେ ବାର୍ ଖୋଲା ରହୁଥିବା ବେଳେ ଆଖି ବୁଜି ଦେଇଛି ଅବକାରୀ ଓ କମିସନରେଟ୍ ପୁଲିସ। ସତେ ଯେମିତି ସେମାନଙ୍କ ପାଖରେ ଏ ଖବର ପହଞ୍ଚୁ ନାହିଁ। କୋଭିଡ୍ କଟକଣା କୋହଳ ହେଲା ପରେ ସବୁ ସୀମା ଟପି ଯାଇଛି।
ମିଳିଥିବା ସୂଚନା ଅନୁସାରେ, ଦ୍ବିତୀୟ ଲହର କଟକଣା କୋହଳ ହେଲା ପରେ ରାଜଧାନୀରେ ବାର୍ ଖୋଲାଯାଇଛି। କୋଭିଡ୍ ନିୟମ ପାଳନ କରିବାକୁ କୁହାଯାଇଛି। କିନ୍ତୁ କୋଭିଡ୍ ନିୟମର ଖୋଲାଖୋଲି ଉଲ୍ଲଂଘନ ଚାଲିଛି। ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ବାର୍ର ଚାହିଦା ମଧ୍ୟ ବଢ଼ି ଯାଇଛି। ରାତିରେ ବାର୍ରେ ଭିଡ଼ ଜମୁଛି। ବିଶେଷ କରି ଶନିବାର ଓ ରବିବାର ପ୍ରବଳ ଭିଡ଼ ହେଉଛି। ବାର୍ ଡ୍ୟାନ୍ସ ଓ ପବ୍ ଚାଲୁଥିବା କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ବାର୍ରେ ନାଚିବା ଲାଗି ପଶ୍ଚିମବଙ୍ଗ, ନେପାଳ ଓ ଅନ୍ୟ କେତେକ ସ୍ଥାନରୁ ଯୁବତୀମାନଙ୍କୁ ଅଣା ଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। କିଛିଦିନ ତଳେ ପେଣ୍ଟାଗନ୍ ବାରରେ ଜୁଆ ଖେଳ ଚାଲୁଥିବା ବେଳେ ବଙ୍ଗୀୟ ଓ ନେପାଳ ଯୁବତୀ ଉଦ୍ଧାର ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। କିନ୍ତୁ ତା ପରେ ପୁଲିସ କିମ୍ବା ଅବକାରୀ ବିଭାଗ ପକ୍ଷରୁ ଅନ୍ୟ କୌଣସି ବାରରେ ଯାଞ୍ଚ କରାଯାଇ ନ ଥିଲା।
ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୨୧-୨୨ ବର୍ଷ ପାଇଁ ବାର୍ରେ ଡ୍ୟାନ୍ସ ପାଇଁ ପ୍ରାୟ ୮ଟି ଆବେଦନ ଆସିଛି। କୋଭିଡ୍ ଦ୍ବିତୀୟ ଲହର ପାଇଁ ଏହି ଆବେଦନର ଯାଞ୍ଚ ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା। ତେଣୁ କାହାକୁ ଅନୁମତି ମିଳିପାରି ନାହିଁ। ତେବେ ବିନା ଅନୁମତିରେ କେମିତି ବାର୍ରେ ଡ୍ୟାନ୍ସ କରାଯାଉଛି? ଆଇନ ଉଲ୍ଲଂଘନ ହେଉଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ? ପୁଲିସ ଓ ଅବକାରୀ ଏ ସମ୍ପର୍କରେ ଯାଞ୍ଚ କରିବେ କି ବୋଲି ପ୍ରଶ୍ନ ଉଠିଛି।
ଜମିଲାଣି ଦେହ ବେପାର, ଆସିଛନ୍ତି ଶତାଧିକ ଦେହଜୀବୀ
ପାର୍ବଣ ଋତୁ ଆରମ୍ଭ ହୋଇ ଯାଇଥିବା ବେଳେ ରାଜଧାନୀରେ ଦେହ ବେପାର ଜମିଲାଣି। ଦେହ ବ୍ୟବସାୟୀମାନେ ସକ୍ରିୟ ହୋଇ ଯାଇଛନ୍ତି। କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏହି ବେପାର ଚାଲିଥିବା ଜଣାପଡ଼ିଛି। ଏଥିପାଇଁ ଶତାଧିକ ବଙ୍ଗୀୟ ଯୁବତୀଙ୍କୁ ଭୁବନେଶ୍ବର ଅଣାଯାଇଛି। ଭରତପୁରରେ ଓୟୋ ହୋଟେଲରୁ ବଡ଼ଧରଣର ସେକ୍ସ ରାକେଟ୍ ଧରାପଡ଼ିବା ପରେ ଅନ୍ୟ ଅଞ୍ଚଳରେ ପୁଲିସ ଚଢ଼ଉ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳ, ମଞ୍ଚେଶ୍ବର, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ଖାରବେଳନଗର, ଇନଫୋସିଟି ଅଞ୍ଚଳରେ ବ୍ୟବସାୟୀମାନେ ସକ୍ରିୟ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। କେତେକ ଗେଷ୍ଟ ହାଉସ୍, ଭଡ଼ାଘରେ ପୁରୁଣା ବେପାରୀମାନେ ଏବେ ପୁଣି ଦେହ ବେପାର ଆରମ୍ଭ କରି ଦେଇଛନ୍ତି।