୬୫ ବର୍ଷର ପରମ୍ପରା ଭାଙ୍ଗିଲା, ଆଜି ହେବନି ଦଣ୍ଡଯାତ୍ରା

ପୁରୁଣା ଭୁବନେଶ୍ବର : ପୁରୁଣା ଭୁବନେଶ୍ବରର ଚଳିତବର୍ଷ ଦଣ୍ଡଯାତ୍ରା ବନ୍ଦ ହୋଇଯାଇଛି। ୬୫ରୁ ଅଧିକ ବ‌ର୍ଷର ପରମ୍ପରାରେ କରୋନା ମହାମାରୀ ପ୍ରତିବନ୍ଧକ ଲଗାଇଥିବା ବେଳେ ଦଣ୍ଡୁଆମାନେ ଏହି ଯାତ୍ରାନେଇ ଯୋଗାଡ଼ ମଧ୍ୟ ବନ୍ଦ କରି ଦେଇଛନ୍ତି। ପୁରୁଣା ଭୁବନେଶ୍ବରର ଗ୍ରାମଦେବତୀ ମା’ ଜାଗେଶ୍ବରୀ ପୀଠରେ ଏହି ଦଣ୍ଡଯାତ୍ରା ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହେଉଥିବା ବଳେ ଚଳିତବର୍ଷ ଏହା ବାତିଲ ହୋଇଯାଇଛି। ମାତ୍ର ପୀଠରେ କେବଳ ପୂଜା ଚାଲିବ ବୋଲି କୁହାଯାଇଛି। ପୂଜକଙ୍କ ଦ୍ବାରା ଶକ୍ତି ପୂଜା କରାଯିବା ନେଇ ଆୟୋଜନ କରାଯାଇଛି। ଅନ୍ୟପକ୍ଷରେ ମାନସିକଧାରୀ ମଧ୍ୟ ପୀଠକୁ ଆସିବେ ନାହିଁ। ସେମାନେ ନିଜ ଘରେ ରହି ମା’ଙ୍କ ନାମରେ ପଣା ପ୍ରସ୍ତୁତ କରି ପୀଠରେ ଭୋଗ କରିବା ନିମନ୍ତେ ଅର୍ପଣ କରିବେ। ସେହିଭଳି ଯେଉଁମାନଙ୍କୁ କଳିସୀ ଲାଗିଥାନ୍ତି ସେମାନେ ମଧ୍ୟ ପୀଠକୁ ଆସିବେ ନାହିଁ। ଗ୍ରାମଦେବୀଙ୍କ ମୁଖ୍ୟ କାଳିସୀ ପୂଜକଙ୍କ ସହଯୋଗରେ ସଂକ୍ରାନ୍ତି ଦିନ ଏକ ସାଧାରଣ ହୋମ କରି ନିଜକୁ ପବିତ୍ର କରିବେ ଓ ଗ୍ରାମ ଦେବୀଙ୍କ ନିକଟରେ ଦଣ୍ଡ ପୂଜା କରିବେ। ପ୍ରତିବର୍ଷ ଏହି ଯାତ୍ରା ଧୂମଧାମରେ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ସାଧାରଣ ହୋମ କରାଯାଇ ପୀଠ ପୂଜା ଦ୍ବାରା ଦଣ୍ଡକୁ ପୂଜା କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର