ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଯାଇଛି ଶାରଦୀୟ ନବରାତ୍ରୀ। ଏହି ନବରାତ୍ରୀ ନଅ ଦିନ ଯାକ ଦାଣ୍ଡିଆ, ଗରବାରେ ଝୁମିରେ ସଂସ୍କୃତି ପ୍ରେମୀ। ଏହି ଦୁଇ ନୃତ୍ୟ ନବରାତ୍ରିରେ ଆରମ୍ଭ ହୋଇ ଦଶହରାରେ ଶେଷ ହୁଏ। ଏହି ଦୁଇ ଶକ୍ତିଶାଳୀ ଲୋକନୃତ୍ୟ ଦେବୀ ଦୁର୍ଗାଙ୍କୁ ଉତ୍ସର୍ଗୀକୃତ। ଯେଉଁଥିରେ ଗରବା ପ୍ରାୟତଃ ତାଙ୍କର ପାଳନପୋଷଣ ଦିଗକୁ ଏବଂ ଦାଣ୍ଡିଆ ତାଙ୍କର ଯୋଦ୍ଧା ରୂପକୁ ଚିତ୍ରଣ କରିଥାଏ। ସେଗୁଡ଼ିକ ସନ୍ଧ୍ୟା ଆରତୀ ପରେ ଏବଂ ନବରାତ୍ରି ଉତ୍ସବ ସମୟରେ ପ୍ରଦର୍ଶିତ ହୁଏ।
ଦାଣ୍ଡିଆ ଆମ ଓଡ଼ିଆ ସଂସ୍କୃତିର ଏକ ଅଂଶ ହୋଇନଥିଲେ ବି ଧୀରେ ଧୀରେ ଏହା ଓଡ଼ିଶାରେ ବି କାୟା ବିସ୍ତାର କରିଚାଲିଛି। ଓଡ଼ିଶାର ଅନେକ ତାରକା ହୋଟେଲ୍ରେ ଦାଣ୍ଡିଆ ନାଇଟ୍ସ ପାଇଁ ଟିକେଟ୍ ବୁକିଂ କେବେଠାରୁ ଆରମ୍ଭ ହୋଇଗଲାଣି। ଭୁବନେଶ୍ବରେ ସ୍ବସ୍ତି, କ୍ରିଷ୍ଟାଲ୍ କ୍ରାଉନ୍ ଓ ମେ ଫେୟାର୍ ଭଳି ହେଟେଲ୍ମାନଙ୍କରେ ଦାଣ୍ଡିଆ ପାଇଁ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।
କେବଳ ସେତିକି ନୁହେଁ, ୩ ନମ୍ବର ପ୍ରଦର୍ଶନୀ ପଡ଼ିଆର ୱେଷ୍ଟର୍ଣ୍ଣ ସାଇଡ୍ରେ ୨୬ରୁ ୨ ତାରିଖ ମଧ୍ୟରେ ପ୍ରାୟ ୨୫୦୦୦ ଲୋକଙ୍କ ପାଇଁ ଦାଣ୍ଡିଆର ଆୟୋଜନ କରାଯାଉଛି। ଏହା ହେଉଛି ଭୁବନେଶ୍ବରର ସବୁଠାରୁ ବଡ଼ ଦାଣ୍ଡିଆ ପର୍ବ। ଯେଉଁଥିଲେ ଲୋକମାନଙ୍କୁ ଦାଣ୍ଡିଆ ପୋଷାକ ସହ ବାଡ଼ି ବି ପ୍ରଦାନ କରାଯିବ। ଏହି ଉତ୍ସବ ୨୭ ତାରିଖରୁ ନେଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ବାଡ଼ି ମାଗଣାରେ ମିଳୁଥିବା ବେଳେ ପୋଷାକକୁ ଭଡ଼ାରେ ନେଇହେବ।
ଏନେଇ ପ୍ରୟାସ ଅଧ୍ୟକ୍ଷ ବନ ମହାନ୍ତି କୁହନ୍ତି, ‘‘ଆମେ ଟିକେଟ୍ର ମୂଲ୍ୟ ମାତ୍ର ୨୦୦ ଟଙ୍କା ରଖିଛୁ। ଏକ ପରିବାରର ୫-୬ ଜଣ ଚାହିଁଲେ ବି ଆସିକି ଉପଭୋଗ କରି ଯାଇପାରିବେ। ଯେଉଁମାନେ ଘରୁ ଦାଣ୍ଡିଆ ପୋଷାକ ବି ନେଇକି ଆସୁନାହାନ୍ତି; ସେମାନଙ୍କ ପାଇଁ ବି ବନ୍ଦୋବସ୍ତ କରାଯାଇଛି। ସେମାନେ ତାହାକୁ ବ୍ୟବହାର କରି ଫେରିବା ବେଳେ କଷ୍ଟ୍ୟୁୃମ୍ ଫେରେଇ ଭଡ଼ା ଦେଇ ଯାଇପାରିବେ। ସବୁଠାରୁ ବଡ଼ କଥା ହେଲେ ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ଆମେ ବିଶେଷ ଗୁରୁତ୍ବ ଦେଉଛୁ। ସେ ପୂରା ଅଞ୍ଚଳରେ ଆମେ ମଦ୍ୟପାନ, ଧୂମପାନ, ଆମିଷ ଆଦିକୁ ବାରଣ କରିଛୁ। ତାହା ଛଡ଼ା ମହିଳାଙ୍କ ସୁରକ୍ଷା ପାଇଁ ଆମେ ମହିଳା ସ୍ବେଚ୍ଛାସେବୀ ବି ରଖିଛୁ। ଭୁବନେଶ୍ବରର କେନ୍ଦ୍ରସ୍ଥଳୀରେ ଦୀର୍ଘ ୧୨ ବର୍ଷ ଧରି ଆମେ ଏହି ପ୍ରୋଗ୍ରାମ କରିଅାସୁଛୁ। ଖାଲିତ କାର୍ଯ୍ୟକ୍ରମ କରିଦେଲେ ହେବନି, ଆମେ ଆମର ଗ୍ରାହକଙ୍କ ପାଇଁ ରାତି ୧୦ଟା ପରେ ପରିବହନ ସୁବିଧା ବି କରିଛୁ। ଓଲା, ଉବେରମାନଙ୍କ ସହ ସଂଯୋଗ ରଖି ଆମେ ରାତି ୧୦ଟା ପରେ ଯାତାୟାତ ସୁବିଧା ବି କରିଦେଉଛୁ।’’
ପ୍ରଦର୍ଶନୀ ପଡ଼ିଆକୁ ଛାଡ଼ିଲେ ଆଉ ଏକ ବଡ଼ ଧରଣର ଦାଣ୍ଡିଆ ହେଉଛି ‘ଦାଣ୍ଡିଆ କାର୍ଣ୍ଣିଭାଲ’। ନେଟ୍ୱର୍କ ଇଭେଂଟ୍ସ ଆଣ୍ଡ ପ୍ରମୋସନ୍ସ, କ୍ରିଷ୍ଟାଲ କ୍ରାଉନ ସହ ସହଭାଗିତାରେ ଆସନ୍ତା ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୧ ତାରିଖ ୨୦୨୫ ପର୍ଯ୍ୟନ୍ତ ପଟିଆସ୍ଥିତ କ୍ରିଷ୍ଟାଲ କ୍ରାଉନଠାରେ ଏହାକୁ ଆୟୋଜନ କରିବ। ଏହି ଦାଣ୍ଡିଆ କାର୍ଣ୍ଣିଭାଲ ୨କେ୨୫ର ମୁଖ୍ୟ ଆକର୍ଷଣରେ ସେଲିବ୍ରିଟି ଗାୟକ, ଲୋକପ୍ରିୟ ଡିଜେ, ଲାଇଭ ବ୍ୟାଣ୍ଡ ଓ ପାରମ୍ପରିକ ପଞ୍ଜାବୀ ଡୋଲ।
ତେବେ ଏହି ଇଭେଂଟ ପାଇଁ ଟିକେଟ ମୂଲ୍ୟ ବୟସ୍କ ବ୍ୟକ୍ତିଙ୍କ ପାଇଁ ୧୨୦୦ ଟଙ୍କା ଏବଂ ୬ ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ୮୦୦ ଟଙ୍କା ରହିଛି । ୫ ଜଣଙ୍କ ପାଇଁ ଏକ ଭିଆଇପି ଅନୁଭୂତି କେବଳ ୧୫,୦୦୦ ଟଙ୍କାରେ ଉପଲବ୍ଧ ହେଉଛି । ଏହାର ଟିକେଟଗୁଡିକୁ ଅନ୍ଲାଇନରେ ବୁକ୍ମାଇଁଶୋ’ ମାଧ୍ୟମରେ ଏବଂ ଅଫ୍ଲାଇନରେ ପଟିଆସ୍ଥିତ ଜଷ୍ଟ୍ ଡେଲିସିୟସ ବାଏ କ୍ରିଷ୍ଟାଲ କ୍ରାଉନ ଏବଂ ଅଶୋକ ନଗରସ୍ଥିତ ପଣ୍ଡା ଟ୍ରାଭେଲ ମାର୍ଟରେ ବୁକ୍ କରାଯାଇପାରିବ ।
ଏହି ଉତ୍ସବ ସମ୍ପର୍କରେ ନେଟ୍ୱର୍କ ଇଭେଂଟ୍ସ ଆଣ୍ଡ ପ୍ରମୋସନ୍ସର ପ୍ରତିଷ୍ଠାତା ଚନ୍ଦନ ନାୟକ କହିଛନ୍ତି, “ ଦାଣ୍ଡିଆ କାର୍ଣ୍ଣିଭାଲ ସବୁବେଳେ ନୃତ୍ୟ, ଭକ୍ତି ଓ ଆନନ୍ଦ ସହିତ ନବରାତ୍ରିର ଉତ୍ସାହକୁ ପାଳନ କରିବା ପାଇଁ ଲୋକମାନଙ୍କୁ ଏକତ୍ରିତ କରିଆସିଛି । ଚଳିତ ବର୍ଷ ଆମେ ଏହାକୁ ସମସ୍ତଙ୍କ ପାଇଁ ଆହୁରି ବୃହତ ଓ ସ୍ମରଣୀୟ କରିଛୁ ।”