ପ୍ରଦର୍ଶନୀ ପଡ଼ିଆରୁ ପଞ୍ଚତାରକା ହୋଟେଲ୍, ରଙ୍ଗ ମାଖିବ ଦାଣ୍ଡିଆ ରାସ

ବଲିଉଡ୍ ବିଟ୍ସରେ ନାଚିବ ପାଦ। ଦାଣ୍ଡିଆର ଠକ୍ ଠକ୍‌ରେ ଝୁମିବ ମନ। ନିର୍ଭେଜାଲ ଖୁସିରେ ତଲ୍ଲୀନ କରିବ ଦାଣ୍ଡିଆ ରାସ। ଶାରଦୀୟ ପାର୍ବଣରେ ଏଥର ବି ରଙ୍ଗ ମାଖିବ ନବରାତ୍ରି ଦାଣ୍ଡିଆ। ଦୁର୍ଗାପୂଜା ପାଇଁ ଆଡ଼ମ୍ବର ପୂଜାର୍ଚନାର ପରିବେଶ ଯେତେ ଜମି ଆସୁଛି, ଦାଣ୍ଡିଆରେ ପାଦ ସହ ପାଦ ମିଶାଇ ନାଚିବାର ଉତ୍କଣ୍ଠା ସେତେ ବଢ଼ି ବଢ଼ି ଚାଲିଛି। କିଏ ଘରେ ଦାଣ୍ଡିଆର ପଦଚାଳନା ଅଭ୍ୟାସ କଲାଣି ତ କିଏ ଦାଣ୍ଡିଆ ବାଡ଼ି ରଙ୍ଗ ଦେଇ ସଜେଇ ରଖିଲାଣି। କିଏ ପୁଣି ଗୁଜୁରାଟି ଢାଞ୍ଚାରେ ସଜେଇ ହେବାକୁ ଯୋଜନା ପ୍ରସ୍ତୁତ କଲାଣି। ରାଜଧାନୀରେ ଏହି ଅନୁଭବ ଭେଟି ଦେବାକୁ ଅଣ୍ଟା ଭିଡ଼ିଛନ୍ତି କିଛି ଅନୁଷ୍ଠାନ ଓ ଇଭେଣ୍ଟ୍‌ସ ସଂସ୍ଥା। ଏନେଇ ଟିକେଟ୍ ବିକ୍ରି ବି ଆରମ୍ଭ ହୋଇଗଲାଣି। ପୂରା ସନ୍ଧ୍ୟା ଯେମିତି ଜଣେ ମତୁଆଲା ହୋଇ ଫେରିବ ସେନେଇ କିଛି ତାରକା ହୋଟେଲ୍ ପାରମ୍ପରିକ ଭୋଜନର ବ୍ୟବସ୍ଥା ସହ ଦାଣ୍ଡିଆ ରାସ ଭେଟି ଦେବାକୁ ଯାଉଛନ୍ତି।

ଦାଣ୍ଡିଆ ନୃତ୍ୟରେ ମଜିବାକୁ ପ୍ରଦର୍ଶନୀ ପଡ଼ିଆରୁ ପଞ୍ଚ ତାରକା ହୋଟେଲ୍ ଯାଏ ବ୍ୟବସ୍ଥା ହୋଇଛି। ‘ପ୍ରୟାସ’ ଅନୁଷ୍ଠାନ ପକ୍ଷରୁ ଅକ୍ଟୋବର ୪ରୁ ୮ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆରେ ଦାଣ୍ଡିଆ ମହୋତ୍ସବର ଆୟୋଜନ କରାଯାଉଛି। ପ୍ରଥମ କରି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ୫ରୁ ୭ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟା ସାଢ଼େ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ପାନ୍ଥ ନିବାସରେ ଦାଣ୍ଡିଆ ନୃତ୍ୟର ଆସର ଜମିବ। ଏଥିସହ ମେ ଫେୟାରରେ କେବଳ ଅକ୍ଟୋବର ୧୦ ତାରିଖରେ ‘ଦାଣ୍ଡିଆ ରାସ’ର ବ୍ୟବସ୍ଥା କରାଯାଇଛି। ଚନ୍ଦ୍ରଶେଖରପୁରସ୍ଥିତ ପଦ୍ମଜା ପ୍ରିମିୟମ ହୋଟେଲ୍ ଆଣ୍ଡ୍ କନେ୍ଭେନ୍‌ସନ୍‌ରେ ‘ରାସ ଦାଣ୍ଡିଆ’ ଉତ୍ସବ ଅକ୍ଟୋବର ୪ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମଞ୍ଚେଶ୍ବରସ୍ଥିତ ଉର୍ମିଳା ବଗିଚାରେ ମଧ୍ୟ ଅକ୍ଟୋବର ୪ରୁ ୭ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟା ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦାଣ୍ଡିଆ ନୃତ୍ୟରେ ଝୁମିବାର ଅବକାଶ ଜୁଟିବ। ହୋଟେଲ୍ ପୁଷ୍ପକରେ ୫ରୁ ୭ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟା ୬ଟାରୁ ‘ଗର୍ବା ନାଇଟ୍’ରେ ବିଭୋର ହେବାର ସୁଯୋଗ ମିଳିବ।

କପଲ୍‌ଙ୍କୁ ରିହାତି, ଦାଣ୍ଡିଆ ସାଙ୍ଗକୁ ପୁରସ୍କାର
ଦାଣ୍ଡିଆ ନୃତ୍ୟ ଆସରକୁ ଆହୁରି ଲୋଭନୀୟ ଓ ରୋଚକ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ଓ ଇଭେଣ୍ଟ୍‌ସ ସଂସ୍ଥା ଲୋଭ ଦେଖାଇଛନ୍ତି। ଷ୍ଟେ ଫିଟ୍ ପକ୍ଷରୁ ମେ ଫେୟାରରେ ସର୍ପ୍ରାଇଜ୍ ଉପହାରର ବ୍ୟବସ୍ଥା ହୋଇଥିବା ବେଳେ ଓଟିଡିସି ପକ୍ଷରୁ ଭାଗ୍ୟଶାଳୀ ବିଜେତା ହେବାର ସୁବିଧା ରଖାଯାଇଛି। ପ୍ରୟାସ ଅନୁଷ୍ଠାନ ମଧ୍ୟ ଦାଣ୍ଡିଆ କୁଇନ୍, ଶ୍ରେଷ୍ଠ ଦମ୍ପତି, ଶ୍ରେଷ୍ଠ ଶିଶୁ ନୃତ୍ୟଶିଳ୍ପୀ, ଶ୍ରେଷ୍ଠ ନୃତ୍ୟଶିଳ୍ପୀ, ଶ୍ରେଷ୍ଠ ବେଶପୋଷାକ ପାଇଁ ପୁରସ୍କୃତ କରିବାକୁ ଯୋଜନା କରିଛି। କିଛି ସ୍ଥାନରେ ଦାଣ୍ଡିଆ ବାଡ଼ି ସହ ସ୍ବତନ୍ତ୍ର ପୋଷାକ ବିକ୍ରି ହେବ। ଡିଜେ ଓ ନୃତ୍ୟ ଦଳର ନୃତ୍ୟ ସହ ତାଳ ଦେଇ ନାଚିବାର ସୁଯୋଗ ମିଳିବ।

ଅନ୍‌ଲାଇନରେ ଏନେଇ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି। କପଲ୍ ତଥା ଦମ୍ପତିଙ୍କ ପାଇଁ ଟିକେଟ୍ ମୂଲ୍ୟରେ ରିହାତି ବ୍ୟବସ୍ଥା ରହିଛି। ପାନ୍ଥ ନିବାସରେ ଜଣକ ପାଇଁ ଟିକେଟ୍‌‌ର ଦାମ ୬୯୯ ଟଙ୍କା ରହିଥିବା ବେଳେ ଦୁଇଜଣ ଗଲେ ୧୨୯୯ ଟଙ୍କା ଦେବାକୁ ପଡ଼ିବ। ଏହା ମଧ୍ୟରେ ରାତ୍ରି ଭୋଜନ ଓ ସ୍ନାକ୍ସ ଉପଲବ୍ଧ ହେବ। ମୋଟ୍ ୨୦୦ ଜଣ ଏକକାଳୀନ ନୃତ୍ୟର ବ୍ୟବସ୍ଥା ହେଉଛି। ମେ ଫେୟାରରେ ଜଣକୁ ୧୨୦୦ ଟଙ୍କା ଏବଂ କପଲ୍‌ଙ୍କ ପାଇଁ ୨ହଜାର ଟଙ୍କା ଟିକେଟ୍ ମୂଲ୍ୟ ରହିଛି। ଏଠାରେ ଗର୍ବା ଡ୍ୟାନ୍ସ ଟ୍ରୁପ୍‌ଙ୍କ ସହ ନାଚିବାର ସୁଯୋଗ ଉପଲବ୍ଧ ହେବ। ହୋଟେଲ୍ ପୁଷ୍ପକରେ ଜଣେ ବ୍ୟକ୍ତି ପାଇଁ ପ୍ରବେଶ ଦର ୮୪୯ ଟଙ୍କା ରହିଥିବା ବେଳେ କପଲ୍‌ଙ୍କ ପାଇଁ ୧୬୯୮ ଟଙ୍କାର ଟିକେଟ୍ ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର