ଦୁଲୁକାଇବ ଦାଣ୍ଡିଆ

କେବେ ରାଧା କୃଷ୍ଣଙ୍କ ରାସଲୀଳାର ଗାଥା ବହନ କରେ ତ ପୁଣି କେବେ ମା’ ଦୁର୍ଗା ଓ ମହିଷାସୁର ମଧ୍ୟରେ ହୋଇଥିବା ଭୀଷଣ ଯୁଦ୍ଧର ମୂକସାକ୍ଷୀ ସାଜେ। ଭକ୍ତି ସହ ମସ୍ତି କରିବାର ଏକ ଅପୂର୍ବ ଅବକାଶ ଆଣେ ଦାଣ୍ଡିଆ ନୃତ୍ୟ। ଦୁଇ ହାତରେ ଦୁଇଟି ବାଡ଼ି ଧରି ନବରାତ୍ରରେ ନୃତ୍ୟ ପ୍ରଦର୍ଶନ ଖାଲି ଭକ୍ତି ଭାବ ଉଜାଗର କରେନି ଝୁମିବାକୁ ଅପୂର୍ବ ସୁଯୋଗ ଆଣିଦିଏ। ହିନ୍ଦୁ ଧର୍ମରେ ପର୍ବ-ପରମ୍ପରା-ରୀତିନୀତି ଏବଂ ପାରମ୍ପରିକ ନୃତ୍ୟ ବା ଖେଳ କୁଦ ଓତପ୍ରୋତ ଜଡ଼ିତ। ଏହି ପରିପ୍ରେକ୍ଷୀରେ ଦିନ କେଇଟା ପରେ ଆସିବେ ମା’ ମହିଷାମର୍ଦିନୀ। ୧୦ ତାରିଖରୁ ଆରମ୍ଭ ହୋଇଯିବ ‘ନବରାତ୍ର’। ଏହି ସମୟରେ ମା’ଙ୍କୁ ସମର୍ପିତ ହେବ ‘ଦାଣ୍ତିଆ ନୃତ୍ୟ’। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ମାହାରି ନୃତ୍ୟ’ ଭଳି ମା’ ଦୁର୍ଗାଙ୍କ ‘ଦାଣ୍ତିଆ ନୃତ୍ୟ’ ଅତି ପ୍ରିୟ ବୋଲି ଶୁଣାଯାଏ। ପୂର୍ବରୁ ଏହାକୁ ‘ଖଣ୍ଡା ନୃତ୍ୟ’ ବୋଲି କୁହାଯାଉଥିଲେ ହେଁ ଧୀରେଧୀରେ ଏହାର ନାମ ବଦଳି ‘ଦାଣ୍ଡିଆ’ରେ ପରିଣତ ହୋଇଛି। ଦୁଇ ଖଣ୍ଡ ବାଡ଼ି ଖଣ୍ଡାର ପ୍ରତୀକ ସାଜିଛି। ମୁଖ୍ୟତଃ ଦାଣ୍ତିଆ ନୃତ୍ୟ ରାଜସ୍ଥାନୀ ଓ ଗୁଜରାଟୀଙ୍କ ନୃତ୍ୟ ହୋଇଥିଲେ ମଧ୍ୟ ସା˚ସ୍କୃତିକ ଭାବ ବିନିମୟ ଫଳରେ ଓଡ଼ିଶାରେ ଏହାର ଲୋକପ୍ରିୟତା ଆକାଶଛୁଆଁ ହୋଇଛି। ଗତ ୧୫ ବର୍ଷ ହେଲା ରାଜଧାନୀର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇ ଆସୁଛି ‘ଦାଣ୍ତିଆ ଉତ୍ସବ’। ରାଜଧାନୀରେ ଦାଣ୍ଡିଆ ନୃତ୍ୟକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା। ରିପୋର୍ଟ: ସସ୍ମିତା ସାହୁ

ପଡ଼ିଆରେ ଦାଣ୍ଡିଆ

୧୩ ବର୍ଷ ଧରି ‘ଓଡ଼ିଶା ଇଣ୍ଟର‌୍‌ନ୍ୟାସ୍‌ନାଲ୍‌ ସେଣ୍ଟର’ ପକ୍ଷରୁ ଆୟୋଜିତ ହେଉଥିବା ‘ନବରାତ୍ର ଦାଣ୍ତିଆ ମହୋତ୍ସବ’ ଏଥର ସାଲିଆସାହି ଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ। ଷଷ୍ଠୀ ଅର୍ଥାତ୍‌ ୧୪ ତାରିଖ କାଳୀ ମନ୍ଦିରରୁ ଦାଣ୍ଡିଆ ମହୋତ୍ସବର ଶୁଭାରମ୍ଭ ହେବ। ନାଲ୍‌କୋ କାଳୀ ମନ୍ଦିରଠାରେ ବିଧିବଦ୍ଧ ଭାବେ ମା’ଙ୍କ ପୂଜା‌ର୍ଚ୍ଚନା ସମ୍ପାଦିତ ହେବ। ଏହାର ପ୍ରବେଶ ଶୁକ୍ଳ ୨୦୦-୧୫୦ଟଙ୍କା ରହିଛି। ଅନୁଷ୍ଠାନ ‘ପ୍ରୟାସ’ ପକ୍ଷରୁ ୭ ବର୍ଷ ହେଲା ଦାଣ୍ତିଆ ଉତ୍ସବ ଆୟୋଜିତ ହେଉଛି। ଚଳିତ ବର୍ଷ ଏହା ୧୫ରୁ ୧୯ ତାରଖ ଯା‌ଏଁ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହେବ। ଏହାର ପ୍ରବେଶ ଶୁକ୍ଳ ୧୫୦ ଟଙ୍କା ରହିଛି। ପଡ଼ିଆ ପରିସରରେ ଫୁଡ୍‌ କୋଟ୍‌, ଚିଲ୍‌ଡ୍ରେନ୍‌ ଜୋନ୍ ରହିବା ସହ କୋଲ୍‌କାତା ମ୍ୟୁଜିକ୍‌ ଓ ଭାଇଜାକ୍‌ ଲାଇଟ୍‌ ଆସିବ। ‘ପ୍ରୟାସ’ର ଅଧ୍ୟକ୍ଷ ବନ ମହାନ୍ତି କୁହନ୍ତି, ଆମେ ଟିଭିରେ ଏହି ଦାଣ୍ତିଆ କାର୍ଯ୍ୟକ୍ରମ ଦେଖିଥାଉ। ରାଜଧାନୀବାସୀଙ୍କୁ ଏକ ଭିନ୍ନ ସ˚ସ୍କୃତିର ସ୍ବାଦ ଦେବା ପାଇଁ ଆମେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରୁଛି। ବର୍ଷକୁ ବର୍ଷ ଶିଶୁଙ୍କଠାରୁ ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଏଠାକୁ ଆସି ଦାଣ୍ଡିଆ ନୃତ୍ୟ ଉପଭୋଗ କରନ୍ତି। ଏଠାରେ ୨ ହଜାରରୁ ଅଧିକ ଲୋକଙ୍କ ସମାଗମ ହୁଏ ବୋଲି ସେ କହିଛନ୍ତି।

ତାରକା ହୋଟେଲରେ ବଲିଉଡ୍‌ ତଡ଼କା

୧୫ ବର୍ଷ ଧରି ମେ’ ‌ଫେୟାର ପକ୍ଷରୁ ଆୟୋଜିତ ହୋଇ ଆସୁଥିବା ‘ଦାଣ୍ଡିଆ ମହୋତ୍ସବ’ ଅକ୍ଟୋବର ୧୦ରୁ ୧୯ ତାରିଖ ଯାଏଁ ଚାଲିବ। ଏଥିରେ ନବରାତ୍ରର ମେନୁ ଗୁଜରାଟି ଓ ରାଜସ୍ଥାନୀ ଖାଦ୍ୟ ସହ ବଲିଉଡ୍ ଓ ଓଲିଉଡ୍‌ ତାରକାଙ୍କ ସ୍ବରର ତଡ଼କା ଜମିବ। ସଂଧ୍ୟା ୭ଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତ୍ରି ଯାଏ ଚାଲିବ। ପ୍ରବେଶ ଶୁଳ୍କ ୧୦୦୦ ଟଙ୍କା ଲେଖାଏଁ ରହିଛି। ଏଥିରେ ୨୦ ପ୍ରକାର ଚାଟ୍‌ ଉପଲବ୍ଧ ହେବ। ଦର୍ଶକ ଏଥିରେ ମନ ଭରି ମାଗଣାରେ ଚାଟ୍‌ ଖାଇପାରିବେ। ପୁଣି ନବରାତ୍ରକୁ ନଜରରେ ରଖି ନିରାମିଷ ନବରାତ୍ର ମେନୁ ମଧ୍ୟ ପ୍ରସ୍ତୁତ ହେବ। ମହିଳାଙ୍କ ପାଇଁ ମେହେନ୍ଦି, ମେକ୍‌ଅପ୍‌,ଟାଟୁ ଆର୍ଟିଷ୍ଟ ଓ ଚୁଡ଼ିବାଲା ପ୍ରମୁଖ ରହିବେ। ପିଲାଙ୍କ ପାଇଁ ଆକ୍ଟିଭିଟି ଜୋନ୍‌ ସହ ସେଲ୍‌ଫି ଜୋନ୍‌ ବି ରହିବ ବୋଲି କହିଛନ୍ତି ଉତ୍ସବର ଆୟୋଜକ ପ୍ରଦୀପ୍ତ ମହାପାତ୍ର। ‌ସେହିପରି ଏଚ୍‌ଏଚ୍‌ଆଇ ଓ ଏଣ୍ଟ‌ରଟେନ୍‌ ଇଭେଣ୍ଟ୍‌ ଆଣ୍ଡ୍‌ ପ୍ରମୋସନ୍‌ ପକ୍ଷରୁ ହୋଟେଲ୍‌ ଏଚ୍‌ଏଚ୍‌ଆଇରେ ମଧ୍ୟ ଦାଣ୍ଡିିଆ ନୃତ୍ୟ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ କରାଯାଇଛି। ଏଥିସହ ରାଜଧାନୀର ଅନ୍ୟ ତାରକା ହୋଟେଲ୍‌ରେ ମଧ୍ୟ ଦାଣ୍ଡିଆ ନାଇଟ୍‌ର ଆୟୋଜନ କରାଯାଇଛି।

ଲେହେଙ୍ଗାରେ ମିରର୍‌, ‌ଭେଲ୍‌ଭେଟ୍‌ ବନାରସୀ ଛାପ

ନବରାତ୍ର ଆସୁଥିବାରୁ ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ ବଢ଼ିବା ସହ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଦାଣ୍ଡିଅ‌ା ପାଇଁ କ’ଣ ପିନ୍ଧିବେ, କେମିତି ଅଳଙ୍କାର ଖାପଖାଇବ ସେ ନେଇ ଭାଳେଣି ପଡ଼ିଲାଣି। ନାମୀଦାମୀ କମ୍ପାନିମାନେ ବି ଭିନ୍ନ ରକମର ପୋଷାକ ବଜାରକୁ ଛାଡ଼ିଲେଣି। ଦାଣ୍ଡିଆ ପାଇଁ ପାରମ୍ପରିକ ଲେହେଙ୍ଗା ଚୋଲିକୁ ଅଧିକ ଗୁରୁତ୍ବ ଦିଆଯାଉଥିବା ବେଳେ ବର୍ତ୍ତମାନ କିନ୍ତୁ ଏଥିରେ ଆଧୁନିକତାର ଛାପ ପଡ଼ିଛି। ଚମକ ବଢ଼ିଛି କିନ୍ତୁ କାରିଗରୀ ଓ ଲେହେଙ୍ଗାର ଓଜନ କମିଛି। ମିରର୍‌ କାମ ସହ ଭେଲ୍‌ଭେଟ୍‌ ଓ ବନାରସୀ ଟଚ୍‌ ଲେହେଙ୍ଗାକୁ ନୂଆ ଲୁକ୍‌ ଦେଉଛି। କଟନ୍‌ ସହ ଭେଲ୍‌ଭେଟ୍‌ ଓ ନେଟ୍‌ କପଡ଼ା ବି ‌ଯୁବପିଢ଼ିଙ୍କ ପସନ୍ଦରେ ସାମିଲ ହୋଇଛି। ପୁଣି ‌ହାଲ୍‌କା ରଙ୍ଗର ଲେହେଙ୍ଗା ସହ ସିଲ୍‌ଭର୍‌ ରଙ୍ଗର ଅଳଙ୍କାର ଫେସନ୍‌ରେ ସାମିଲ୍‌ ହୋଇଛି। ପାରମ୍ପରିକ ଅଳଙ୍କାରରେ ଇଣ୍ଡୋ ୱେଷ୍ଟର୍ଣ୍ଣ ଡିଜାଇନ୍‌ ପକାଇ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ପୁଅମାନଙ୍କ ପାଇଁ ରହିଛି ସେର୍‌ୱାନି। ପଗଡ଼ି ବଦଳରେ ଷ୍ଟାଇଲିଷ୍ଟ୍‌ କ୍ୟାପ୍‌ ଓ ଓଢ଼ଣି ବଦଳରେ ପାରମ୍ପରିକ ଜ୍ୟାକେଟ୍‌ ପରମ୍ପରା ସହ ପାଶ୍ଚାତ୍ୟ ସଭ୍ୟତାର ମିଳନକୁ ଦର୍ଶାଉଛି।

ସମ୍ବନ୍ଧିତ ଖବର