ଭୁବନେଶ୍ବର: ମାସେ କି ଦୁଇ ମାସ ନୁହେଁ, ୮ ମାସହେଲା ଉତ୍କଳ ବିଶ୍ବବିଦ୍ୟାଳୟ ଦ୍ବିତୀୟ ପ୍ରବେଶ ପଥ ଫାଟକ ନିର୍ମାଣ ଚାଲିଛି। ଶେଷ ହେଉନାହିଁ। ୬ଟି କଂକ୍ରିଟ୍‌ ଖୁଣ୍ଟ ନିର୍ମାଣ କରିବାକୁ ୫ ମାସ ଲାଗିଗଲା। ଖୁଣ୍ଟ ସିନା ନିର୍ମାଣ ସରିଲା ହେଲେ ସଣ୍ଟ୍ରିଂ ଆଜି ପର୍ଯ୍ୟନ୍ତ ଖୋଲାଯାଉ ନାହିଁ। ବାଉଁଶ, କାଠ ପଟ୍ଟା ସେଭଳି କଂକ୍ରିଟ୍‌ ଖୁଣ୍ଟଗୁଡ଼ିକରେ ଝୁଲି ରହିଛି। ସ୍ଥାନେ ସ୍ଥା‌ନେ ବାଉଁଶ ଖସି ପଡ଼ିଲାଣି। ଆଉ ଯାହା କିଛି ଝୁଲି ରହିଛି ତାହା ତଳେ ପ୍ରତିଦିନ ବାଜିରେ ଲାଗୁଛି ଛୋଟପିଲାଙ୍କ ଜୀବନ। କ୍ୟାମ୍ପସ ପରିସରରେ ଥିବା ୟୁନିଭରସିଟି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ବିପଦପୂର୍ଣ୍ଣ ଭାବେ ଏହା ତଳେ ଗଳି ଯିବାଆସିବା କରୁଛନ୍ତି। କେହି କେହି ସାଇକେଲ୍‌ ଗଳେଇ ନେଉଛନ୍ତି ତ ଆଉ କିଏ ଗଳାବାଟରେ ଗଳି ଯାଉଛନ୍ତି। ବିପଦପୂର୍ଣ୍ଣ ଭାବେ ଛାତ୍ରଛାତ୍ରୀ ଚଳପ୍ରଚଳ କରୁଥିବାରୁ ଅଭିଭାବକମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶ୍ବବିଦ୍ୟାଳୟ ପାଚେରି ନିର୍ମାଣ ପରେ ଏବେ ସୈନିକ ସ୍କୁଲ-ଆଚାର୍ଯ୍ୟବିହାର ରାସ୍ତା ପାର୍ଶ୍ବରେ ଥିବା ଏହି ପ୍ରବେଶ ପଥର ରୂପାନ୍ତରୀକରଣ ଚାଲିଛି। ଛୋଟ ଫାଟକ ରହିଥିବାରୁ ତାହାର ନବକଳେବର କରିବାକୁ ୨୦୨୩ ମସିହାରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଠିକାଦାରଙ୍କୁ ୬ ମାସ ମଧ୍ୟରେ କାମ ଶେଷ କରିବାକୁ କୁହାଯାଇଥିଲା। ମାତ୍ର ଏବେ ସୁଦ୍ଧା ପ୍ରବେଶ ପଥ କାମ ଅଧା ହୋଇଛି। ନିର୍ମାଣ କାର୍ଯ୍ୟ କେବେ ସରିବ, ସେନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଉତ୍ତର ନାହିଁ।

Advertisment

ବିଶ୍ବବିଦ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ କାମ ବିଳମ୍ବ ହେଉଥିବାରୁ ଠିକାଦାରଙ୍କୁ ଡାକି ତାଗିଦ୍‌ କରାଯାଇଛି। ଠିକାଦାର କହୁଛନ୍ତି, ସେ ରାଜ୍ୟ ବାହାରୁ ପିଲା ଆଣି କାମ କରୁଥି‌ଲେ। ସେହି ପିଲାମାନେ କିଛିଦିନ ହେଲା ଆସୁ ନ ଥିବାରୁ କାମ ଅଧାରେ ଅଟକି ରହିଛି। ତଥାପି ମାସେ ମଧ୍ୟରେ କାମ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଛି।