ଖଣ୍ଡଗିରି: ଖଣ୍ଡଗିରି-ଉଦୟଗିରି ଐତିହ୍ୟ ପାହାଡ଼କୁ ସୁରକ୍ଷା ଦେବାକୁ ଯୋଜନା କରିଥିଲା ପ୍ରଶାସନ। ଉଭୟ ପାହାଡ଼ର ମଝି ରାସ୍ତାକୁ ବ୍ୟାରିକେଡ୍‌ ପକାଇ ବନ୍ଦ କରିବା ସହ ଫୁଲଗଛ ଓ ପ୍ରସ୍ତର କାରୁକାର୍ଯ୍ୟ ମାଧ୍ୟମରେ ସୌନ୍ଦର୍ଯ୍ୟୀକରଣ କରିବାକୁ ରୂପରେଖ ପ୍ରସ୍ତୁତ ହୋଇଥିଲା। ଏଏସ୍‌ଆଇ, ବିଏମ୍‌ସି, ଟ୍ରାଫିକ୍‌ ପୁଲିସ ଓ ପୂର୍ତ୍ତ ବିଭାଗର ମିଳିତ ପ୍ରୟାସରେ ଏହାକୁ କାର୍ଯ୍ୟକ୍ଷମ କରାଗଲା। ‌ମାତ୍ର ସ୍ଥିତି ଏବେ ଯଥା ପୂର୍ବଂ ତଥା ପରଂ। ଐତିହ୍ୟ ପାହାଡ଼କୁ ସୁରକ୍ଷା ଦେବାକୁ ହୋଇଥିବା କଟକଣା ଆଉ ନାହିଁ। ଲୁହା ବ୍ୟାରିକେଡ୍‌ ହଟାଇ ଦିଆଯାଇଥିବାରୁ ଉଭୟ ପାହାଡ଼ ମଝି ଦେଇ ଯାଇଥିବା ରାସ୍ତାରେ ଭାରୀଯାନ ଚାଲୁଛି। ରାସ୍ତା କଡ଼ରେ ହୋଇଥିବା ସୌନ୍ଦର୍ଯ୍ୟୀକରଣ ଉଜୁଡ଼ି ଯାଇଛି। ଉଭୟ ପାହାଡ଼ରେ ପ୍ରତ୍ୟେକ ଦିନ ପର୍ଯ୍ୟଟକଙ୍କର ଭିଡ଼ ଲାଗୁଥିବାରୁ ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି।  କଟକଣାର ୨ବର୍ଷ ନୁପୂରୁଣୁ ସବୁ ବରବାଦ ହୋଇଯାଇଛି।

Advertisment

ଗତ ବର୍ଷ ଖଣ୍ଡଗିରି ମେଳା ଆରମ୍ଭ ପୂର୍ବରୁ ଏହି ଐତିହ୍ୟ ପାହାଡ଼ର ସୁରକ୍ଷା ପାଇଁ ବ୍ୟାରିକେଡ୍‌ କରାଯାଇଥିଲା। ପାର୍କିଂ ସ୍ଥଳ ପୂର୍ବରୁ ଲୁହା ବ୍ୟାରିକେଡ୍‌ କରାଯାଇ ଦୁଇ ଓ ଚାରିଚକିଆ ଗାଡ଼ିଗୁଡ଼ିକୁ ପାର୍କିଂ ପାଖକୁ ଛଡ଼ାଯାଉଥିଲା। ଏହା ଭିତରକୁ ସମ୍ପୂର୍ଣ୍ଣ ଗାଡ଼ି ଚଳାଚଳ ବନ୍ଦ ଥିଲା। ଖଣ୍ଡଗିରି ଟ୍ରାଫିକ୍‌ ଛକ ଆଡ଼ୁ ଆସୁଥିବା ଗାଡ଼ି ପାଇଁ ପାନ୍ଥିକା ନିକଟ ଶୌଚାଳୟ ପାଖରେ ଓ ବିପରୀତ ଦିଗରୁ ଆସୁଥିବା ଗାଡ଼ିଗୁଡ଼ିକୁ ଜୟଦେବ ବାଟିକା ଫାଟକ ନିକଟରେ ବ୍ୟାରିକେଡ୍‌ ପକାଯାଇ କଟକଣା କରାଯାଇଥିଲା। ପର୍ଯ୍ୟଟକମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ଗାଡ଼ି ରଖି ଚାଲିଚାଲି ଯାଉଥିଲେ। ଖଣ୍ଡଗିରି ମେଳା ସମୟରେ ପୁଲିସ ପକ୍ଷରୁ ନିୟମ କଡ଼ାକଡ଼ି ହୋଇଥିଲା। କୁହାଯାଇଥିଲା,  ଅସ୍ଥାୟୀ ବ୍ୟାରିକେଡ୍‌ ହୋଇଛି। ଖୁବ୍‌ଶୀଘ୍ର ସ୍ଥାୟୀ ବ୍ୟାରିକେଡ୍‌ ହେବ। ନୂଆ ବ୍ୟବସ୍ଥାରେ ଟୋଲ୍‌ ଗେଟ୍‌ ଭଳି ବ୍ୟବସ୍ଥା କରି ଲୋକଙ୍କୁ ଭିତରକୁ ଛଡ଼ାଯିବ। ପୂର୍ବରୁ ରାସ୍ତାରେ ଭାରୀଯାନ ଚଳାଚଳ କଟକଣା ପାଇଁ ଲାଗିଥିବା ଓଭରହେଡ୍‌ ବ୍ୟାରିକେଡ୍‌କୁ ହଟା ଯାଇଥିଲା। ତା’ ବଦଳରେ ପାନ୍ଥିକା ନିକଟରେ ଟୋଲ୍‌ ମଧ୍ୟ ଲାଗିଥିଲା। କିନ୍ତୁ କାର୍ଯ୍ୟକାରୀ ହେଲାନି। ଖଣ୍ଡଗିରି ପଟୁ ଲୁହା ବାଧକକୁ ହଟାଇ ଦିଆଯାଇଛି। ବିପରୀତ ଦିଗରୁ ସ୍ଥାୟୀ ବନ୍ଦୋବସ୍ତ କରାଯାଇଥିବାରୁ ଗାଡ଼ି ପଶି ପାରୁନାହିଁ। କିନ୍ତୁ ଗୋଟିଏ ଦିଗରୁ ଗାଡ଼ି ପଶି ଯାଉଥିବାରୁ ଭିତରେ ଭିଡ଼ ଜମୁଛି। ଦିନରାତି ଏବେ ପୁଣି ପାହାଡ଼ ଭିତରକୁ ବସ୍‌, ଅଟୋ, ବାଇକ୍, କାର୍‌ ଯାତାୟାତ କରୁଛି। ପର୍ଯ୍ୟଟକ ପୂର୍ବଭଳି ସ୍ୱଚ୍ଛନ୍ଦରେ ବୁଲାବୁଲି କରିପାରୁନାହାନ୍ତି। ଟ୍ରାଫିକ୍‌ ଜାମ୍‌ ସମସ୍ୟା ସାଙ୍ଗକୁ ପର୍ଯ୍ୟଟକ ଦୁର୍ଘଟଣାର ଶିକାର ହେଉଛନ୍ତି। ଏ ନେଇ ଜଣେ ବ୍ୟବସାୟୀ କହିଛନ୍ତି,  ଗାଡ଼ି ଚଳା‌ଚଳ ବନ୍ଦ ହେବା ପରେ ପର୍ଯ୍ୟଟକମାନେ ଭଲରେ ବୁଲାବୁଲି କରୁଥିଲେ। କେବଳ ଦୋକାନକୁ ଆବଶ୍ୟକୀୟ ସାମଗ୍ରୀ ଆଣିବା ପାଇଁ ଟୋଲ୍‌ ଗେଟ୍‌ ଖୋଲିବ ବୋଲି କୁହାଯାଇଥିଲା। ଏବେ ସବୁବେଳେ ଖୋଲା। ଦ୍ରୁତ ଗତି‌ରେ ଗାଡ଼ି ଚାଲୁଥିବାରୁ ପର୍ଯ୍ୟଟକମାନେ ହଇରାଣ ହେଉଛନ୍ତି।

ଏ ନେଇ ଏଏସ୍‌ଆଇ ଅଧୀକ୍ଷକ ଏନ୍‌କେ ସ୍ବାଇଁଙ୍କ କହିବା କଥା ଉଭୟ ରାସ୍ତାରେ ସ୍ଥାୟୀ ବୁମ୍‌ ଲଗାଯାଇଥିଲା। ଏହାର ଉଭୟ ପାର୍ଶ୍ବରେ ୨ଜଣ ସୁରକ୍ଷାକର୍ମୀଙ୍କୁ ଜଗାଯାଇ ଟୋଲ୍‌ ପରି ଏହାକୁ ଖୋଲିବା ଓ ବନ୍ଦ୍‌ କରିବାର ବ୍ୟବସ୍ଥା ହୋଇଥିଲା। ଏବେ ରାସ୍ତା ମୁକୁଳା ଥିବା ଜାଣି ଗତ ୩ ମାସ ମଧ୍ୟ‌ରେ ଭୁବନେଶ୍ବର କମିସନ‌ରେଟ୍‌ ପୁଲିସକୁ ଏକାଧିକ ଥର ଜଣାଯାଇଛି। ହେଲେ ସେମାନେ ଏହାର ସ୍ଥାୟୀ ବ୍ୟବସ୍ଥା କରି ନାହାନ୍ତି। ଫଳରେ ପର୍ଯ୍ୟଟକ ଓ ଐତିହ୍ୟକୁ ବିପଦ ଲାଗି ରହିଛି। ଏଥିପାଇଁ ଆଉଥରେ ବିଭାଗ ପକ୍ଷରୁ ଚିଠି କରିବୁ।