ଭରତପୁର ବନ୍ୟପ୍ରାଣୀଙ୍କୁ ବସ୍ତି ଆବର୍ଜନା ବିପଦ

ଭୁବନେଶ୍ବର : ରାଜଧାନୀକୁ ଲାଗି ରହିଥିବା ଭରତପୁର ସଂରକ୍ଷିତ ଜଙ୍ଗଲ ଏବେ ଦିନକୁ ଦିନ ଅଧିକରୁ ଅଧିକ ଘଞ୍ଚ ହେବାରେ ଲାଗିଛି। ବ୍ୟାପକ ବୃକ୍ଷ ରୋପଣ ଓ ଗଛ କଟା ବନ୍ଦ କାରଣରୁ ଜଙ୍ଗଲର ଘନତା ବୃଦ୍ଧି ପାଉଛି। ଫଳରେ ଏହି ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତେଣୁ ଏବେ ଭରତପୁର ସଂରକ୍ଷିତ ଜଙ୍ଗଲ ରାଜଧାନୀ ପାଇଁ ଏକ ପ୍ରାକୃତିକ ଚିଡ଼ିଆଖାନା ପାଲଟିଛି। ଲୋକେ ପାଖରୁ ମୟୁର, ବାର୍‌ହା, ଠେକୁଆ, ହରିଣ ଓ ହାତୀଙ୍କୁ ଦେଖି ପାରୁଛନ୍ତି। କିନ୍ତୁ ବନ୍ୟପ୍ରାଣୀଙ୍କ ପାଇଁ ବିପଦ ହୋଇ ଠିଆ ହୋଇଛି ସଂଲଗ୍ନ ବସ୍ତିସମୂହ। ପୂର୍ବ ଭଳି ଆଉ ବନ୍ୟପ୍ରାଣୀ ଶିକାର ହେଉନଥିଲେ ମଧ୍ୟ ବସ୍ତିର ଆବର୍ଜନା ସେମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି ବୋଲି ଆଶଙ୍କା ପ୍ରକାଶ ପାଇଛି।

ଗତ ତିନି ବର୍ଷ ହେଲା ଏହି ଜଙ୍ଗଲକୁ ଲାଗି ରହିଥିବା ବସ୍ତିଗୁଡ଼ିକ ନିକଟରେ ଦୃଢ଼ ପଥର ଓ ତାର ବାଡ଼ କରାଯାଇଛି। ଫଳରେ ସାଲିଆ ସାହି, ମୁଣ୍ଡା ସାହି, ଚୁନୁକୋଳି ବସ୍ତିର ଲୋକେ ଆଉ ଆଗ ଭଳି ଜଙ୍ଗଲ ଭିତରକୁ ପଶି ପାରୁନାହାନ୍ତି। ସେହିଭଳି ବନ କର୍ମଚାରୀଙ୍କ ପାଟ୍ରୋଲିଂ କଡ଼ାକଡ଼ି ହେବା ପରେ ଜଙ୍ଗଲରୁ ଗଛ କଟା ବହୁ ପରିମାଣରେ ବନ୍ଦ ହୋଇଯାଇଛି। ସେହିଭଳି ପ୍ରତିବର୍ଷ ବନୀକରରଣ ଯୋଜନାରେ ଗଛ ଲଗାଯାଉଥିବାରୁ ଜଙ୍ଗଲ ଘନ ହେବାରେ ଲାଗିଛି। ତେଣୁ ଏବେ ହାତୀମାନେ ଦୀର୍ଘ ମାସ ଧରି ଏଠାରେ ଡେରା ପକାଇ ରହୁଛନ୍ତି। ଏବେ ପ୍ରାୟ ୭ ମାସ ହେଲା ଏକ ୧୪ଟିକିଆ ହାତୀ ଦଳ ରହିଛନ୍ତି। ପୂର୍ବରୁ କିନ୍ତୁ ହାତୀମାନେ କୁଣିଆ ଭଳି ଆସୁଥିଲେ ଓ ଅଳ୍ପ ଦିନ ପରେ ଖାଦ୍ୟାଭାବରୁ ଏହି ଜଙ୍ଗଲ ଛାଡ଼ି ପଳାଉଥିଲେ। ସେହିଭଳି ଏବେ ପଶୁ ଶିକାର ମଧ୍ୟ ବହୁ ପରିମାଣରେ ହ୍ରାସ ପାଇଛି। ପୂର୍ବରୁ ମୁଣ୍ଡା ସାହିର କିଛି ଲୋକ ଫାଶ ବସାଇ ହରିଣ, ଠେୁକଆ, ବାର୍‌ହା ଭଳି ବନ୍ୟପ୍ରାଣୀ ଶିକାର କରୁଥିଲେ। କିନ୍ତୁ ଏବେ ତାହା ବହୁ ମାତ୍ରାରେ କମିଛି। ବନ କର୍ମଚାରୀମାନେ ବାରମ୍ବାର ଚଢ଼ଉ କରି କିଛି ପେସାଦାର ଶିକାରୀଙ୍କୁ ଟାର୍ଗେଟ୍ କରି ଗିରଫ କରିବା ପରେ ପଶୁ ଶିକାର କମିଛି। ତେଣୁ ଏବେ ଏହି ଜଙ୍ଗଲରେ ବାର୍‌ହା, ଠେକୁଆ ଓ ହରିଣଙ୍କ ସଂଖ୍ୟା ବେଶ୍ ବୃଦ୍ଧି ପାଇଛି।

କିନ୍ତୁ ପରିତାପର କଥା ଲୋକେ ସିନା ଜଙ୍ଗଲ ଭିତରକୁ ଯାଉନାହାନ୍ତି, ସବୁତକ ଅଳିଆ ଆବର୍ଜନା ଜଙ୍ଗଲ ଭିତରକୁ ପକାଉଛନ୍ତି। ଜଙ୍ଗଲ ଭିତର ପାଚେରି କଡ଼କୁ ସବୁ ଅଳିଆ ଗଦା କରୁଛନ୍ତି। ଫଳରେ ହରିଣ ଓ ବାର୍‌ହାମାନେ ଆସି ଉକ୍ତ ଅଳିଆ ଗଦାରୁ ଖାଦ୍ୟ ଖାଉଥିବା ଦେଖିବାକୁ ମିଳୁଛି। ପଚାସଢ଼ା ବିଷାକ୍ତ ଖାଦ୍ୟ ଖାଇବା ଦ୍ବାରା ସେମାନଙ୍କ ଜୀବନ ହାନୀ ଆଶଙ୍କା ରହିଛି। ଜଙ୍ଗଲ ଭିତରକୁ ଅଳିଆ ଆବର୍ଜନା ପକାଇବା ଦଣ୍ଡନୀୟ ଅପରାଧ ବୋଲି ବନ ବିଭାଗ ପକ୍ଷରୁ ବୋର୍ଡ ଲଗାଯାଇଛି। କିନ୍ତୁ କେହି ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ଏନେଇ ବନ କର୍ମଚାରୀମାନଙ୍କ କହିବା କଥା ସେମାନେ ନିୟମିତ ବସ୍ତିରେ ବୁଲିବୁଲି ଲୋକଙ୍କୁ ସଚେତନ କରାଉଛନ୍ତି। ଲୋକେ ତାଙ୍କ ମୁହଁରେ ସବୁ ମାନୁଛନ୍ତି, କିନ୍ତୁ ପଛରେ ଅଳିଆ ଆବର୍ଜନ‌ା ପକାଉଛନ୍ତି। ତେଣୁ ଏଣିକି ବସ୍ତିରେ ଜଙ୍ଗଲ ସୁରକ୍ଷା ମଞ୍ଚ ଗଢ଼ିବାକୁ ଯୋଜନା କରାଯାଇଛି ଓ କିଛି ସଚେତନ ଯୁବକଙ୍କ ଜରିଆରେ ଏହାକୁ ବନ୍ଦ କରିହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର