ବିପଦ‌ରେ ଲୋକସେବା ଭବନ, ବିଧାନସଭା

ଭୁବନେଶ୍ୱର : ଲୋକସେବା ଭବନରୁ ମାତ୍ର ୨୦ମିଟର ଦୂରରେ ଓ ବିଧାନସଭାରୁ ୧୦୦ ମିଟର ଦୂରରେ ଅଛି ପେଟ୍ରୋଲ ପମ୍ପ୍। ପେଟ୍ରୋଲ ପମ୍ପର ଚାରିକଡ଼େ ସରକାରୀ କାର୍ଯ୍ୟାଳୟ। ରାଜୀବ ଭବନରୁ ଆରମ୍ଭ କରି ଖାରବେଳ ଭବନ, ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରୁ ଆରମ୍ଭ କରି ସରକାରଙ୍କର ସମସ୍ତ ପ୍ରମୁଖ କାର୍ଯ୍ୟାଳୟ ଏଠାରେ ଅଛି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ମନ୍ତ୍ରୀ, ବିଧାୟକ, ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟାଳୟ ଏଠାରେ। ପ୍ରାୟ ୨ହଜାରରୁ ଅଧିକ ସରକାରୀ କର୍ମଚାରୀ ଏଠାରେ କାମ କରୁଛନ୍ତି। କିନ୍ତୁ ସମସ୍ତଙ୍କ ଜୀବନ ବିପଦରେ। କେତେବେଳେ ଯେ, କିଛି ଦୁର୍ଘଟଣା ନଘଟିବ କେହି କହିପାରିବେନି।

ରାଜ୍ୟ ସରକାରଙ୍କ ସୁରକ୍ଷା ବଳୟ ଭିତରେ ଏମିତି ଏକ ବିପଦ ରହିଛି ଲୋକସେବା ଭବନ ଗେଟ୍‌-୫ ନିକଟରେ ଥିବା ପେଟ୍ରୋଲ ପମ୍ପ। ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଆଜି ଦୁର୍ଘଟଣା ଘଟିବା ପରେ ଲୋକସେବା ଭବନ ପଛ ପାର୍ଶ୍ବ ପେଟ୍ରୋଲ ପମ୍ପ ଏବେ ଚିନ୍ତାର ବିଷୟ ପାଲଟିଛି।

କିଛି ବର୍ଷ ପୂର୍ବେ ରାଜ୍ୟ ସରକାର ଏହି ପେଟ୍ରୋଲ ପମ୍ପକୁ ସୁରକ୍ଷା ଦୃଷ୍ଟି କୋଣରୁ ଖୋଲିବାକୁ ଦେଇନଥିଲେ। କିନ୍ତୁ ଯେଉଁ ସବୁ କାରଣ ଯୋଗୁ ଏହି ପେଟ୍ରୋଲ ପମ୍ପ ବନ୍ଦ କରିଥିଲେ ତାହା କ’ଣ ଏବେ ନାହିଁ ବୋଲି ପ୍ରଶ୍ନ ଉଠିଲାଣି। ଯଦି ଏହି ପେଟ୍ରୋଲ ପମ୍ପରେ ବଡ଼ ଧରଣର ବିସ୍ଫୋରଣ ଘଟେ ତେବେ ଲୋକସେବା ଭବନ, ବିଧାନସଭାରେ ବସିଥିବା ମନ୍ତ୍ରୀ, ଅଧିକାରୀ ଓ କର୍ମଚାରୀଙ୍କର କ’ଣ ହେବ?

ରାଜ୍ୟ ସରକାର ସୁରକ୍ଷା ଦୃଷ୍ଟିକୋଣରୁ ସଚିବାଳୟ ମାର୍ଗରେ କୌଣସି ପେଟ୍ରୋଲ ପମ୍ପ ଖୋଲିବାକୁ ଅନୁମତି ଦେଇନାହାନ୍ତି। ନୂଆ ବିମାନବନ୍ଦର ଛକରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ଏହି ରାସ୍ତାରେ ସମସ୍ତ ପ୍ରମୁଖ ସରକାରୀ କାର୍ଯ୍ୟାଳୟ, ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀମାନଙ୍କ କ୍ବାର୍ଟର୍ସ ଥିବାରୁ ଏଠାରେ ପେଟ୍ରୋଲ ପମ୍ପ ଖୋଲିବାକୁ ବହୁ ବର୍ଷରୁ ଅନୁମତି ଦିଆଯାଉନି। କିଛି ବ୍ୟକ୍ତି ପେଟ୍ରୋଲ ପମ୍ପ ପାଇଁ ଆବେଦନ କରିଥିଲେ ବି ପୂର୍ବରୁ କାହାକୁ ଅନୁମତି ମିଳିନି। କିନ୍ତୁ ଲୋକସେବା ଭବନ ପଛରେ ପେଟ୍ରୋଲ ପମ୍ପ ଖୋଲିଛି। କେବଳ ଲୋକସେବା ଭବନ ନୁହେଁ ଜନପଥରେ ଦୁଇଟି, କଟକ ରୋଡ୍‌ରେ ଦୁଇଟି ପେଟ୍ରୋଲ ପମ୍ପ, ୟୁନିଟ-୨ରେ ଗୋଟିଏ ପେଟ୍ରୋଲ ପମ୍ପ ଥିବାବେଳେ ଏହା ନିକଟରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର କାର୍ଯ୍ୟାଳୟ, ହାଟ, ମାର୍କେଟ୍‌ ବିଲଡିଂ ଅଛି। ଏପରିକି ବହୁ ସପିଂ ମଲ୍‌, ବଡ଼ ବଡ଼ ଦୋଦାକାନ ଅଛି। ଏଠାରେ ଯଦି ଅଗ୍ନିକାଣ୍ଡ ଘଟେ ତେବେ ସ୍ଥିତି କ’ଣ ହେବ? ଏଠାରେ ଆଜି ଭଳି ବିସ୍ଫୋରଣ ହେଲେ ତୁରନ୍ତ ନିଆଁ ନିୟନ୍ତ୍ରଣ କରିବାକୁ ପର୍ଯ୍ୟାପ୍ତ ଭିତ୍ତିଭୂମି ଅଛି ତ!

ସମ୍ବନ୍ଧିତ ଖବର