ଖଣ୍ଡଗିରି: ଜାତୀୟ ରାଜପଥ କର୍ତ୍ତୃପକ୍ଷ ବେପରୁଆ ଭାବେ ରାସ୍ତାରେ କଟ୍‌ ନିର୍ମାଣ କରି ମୁକୁଳା ଛାଡ଼ି ଦେଉଥିବାରୁ ଶହଶହ ପଥଚାରୀ ମରଣମୁହଁକୁ ଠେଲି ହୋଇ ଯାଉଥିବା ଅଭିଯୋଗ ହେଉଛି। କେତେକ କଟ୍‌ ନିକଟରେ ସତର୍କ ସୂଚନା ଫଳକ ଖମ୍ବ ନାହିଁ କି ସୋଲାର ଲାଇଟ୍‌ ପୋଷ୍ଟ ନାହିଁ। ଫଳରେ ଭାରୀଯାନଗୁଡ଼ିକ କଟ୍‌ ବାବଦରେ ପ୍ରାକ୍‌ ସୂଚନା ପାଇବାରେ ସମସ୍ୟା ଦେଖାଯାଉଛି ଓ ପ୍ରତିଦିନ ପଥଚାରୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏମିତି ଏକ କଟ୍‌ ରହିଛି ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ଫାଣ୍ଡି ଅଞ୍ଚଳରେ। ରେତଙ୍ଗ ରେଳ ଷ୍ଟେସନକୁ ସଂଯୋଗ କରୁଥିବା ଏହି କଟ୍‌ ମୁକୁଳା ପଡ଼ିଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment

ସୂଚନାନୁସାରେ ରେତଙ୍ଗ ରେଳ ଷ୍ଟେସନକୁ ଲମ୍ବିଥିବା ରାସ୍ତା ଯାଁଳା ପେଟ୍ରୋଲ୍‌ ପମ୍ପ ନିକଟରେ ୧୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଛି। ଏହି ରାସ୍ତା ଉପରେ ନଁପୁଟ ଓ ପଞ୍ଚୁପଲ୍ଲୀ ପଞ୍ଚାୟତର ଲୋକମାନଙ୍କ ସହ ତିନି ତିନିଟିି ଇଂଜିନିୟରିଂ କଲେଜର ଛାତ୍ରଛାତ୍ରୀମାନେ ନିର୍ଭର କରୁଛନ୍ତି। ପୂର୍ବରୁ ଏଠାରେ କଟ୍‌ ନଥିଲା। ଲୋକେ ଗୋହିରା ଛକ କଟ୍‌ ଦେଇ ଜାତୀୟ ରାଜପଥରେ ଯାତାୟାତ କରୁଥିଲେ। ଏବେ ଏଠାରେ ଏକ କଟ୍‌ ନିର୍ମାଣ କରାଯାଇଛି। କିନ୍ତୁ ଏହି କଟ୍‌ ନିକଟରେ କୌଣସି ସତର୍କ ସୂଚନା ଲିଖିତ ଫଳକ ଖମ୍ବ ନାହିଁ କି ସୋଲାର ଲାଇଟ୍‌ ପୋଷ୍ଟ ନାହିଁ। ଫଳରେ ଜାତୀୟ ରାଜପଥରେ ଯାତାୟତ କରୁଥିବା ଯାନବାହାନଗୁଡ଼ିକ ଏହି କଟ୍‌ ବାବଦରେ ପୂର୍ବରୁ ଜାଣିନପାରିବାରୁ ଏଠାରେ ସେମାନଙ୍କ ବେଗ କମାଉନାହାନ୍ତି। ବିଶେଷକରି  ସୋଲାର ଲାଇଟ୍‌ ପୋଷ୍ଟ ନଥିବାରୁ ରାତିରେ ଅଧିକ ସମସ୍ୟା ହେଉଛି। ଉଲ୍ଲେଖଯୋଗ୍ୟ ଯେ ୧୬ ନମ୍ବର ଜାତୀୟ ରାଜପଥର ଏହି ଅଞ୍ଚଳଟି ଏକ ଦୁର୍ଘଟଣାପ୍ରବଣ ଅଞ୍ଚଳଭାବେ ଜଣାଶୁଣା। ତେଣୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବେପରୁଆଭାବେ କଟ୍‌ ନିର୍ମାଣ କରି ଲୋକଙ୍କୁ ମରଣମୁହଁକୁ ଠେଲି ଦେବା ଭଳି କାର୍ଯ୍ୟ କରିଛନ୍ତି ବୋଲି ଅଭିଯୋଗ ହେଉଛି। ସେହିଭଳି କଳିଙ୍ଗବିହାର କଟ୍‌କୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଛି। ତମାଣ୍ଡୋ ଥାନା ଅନ୍ତର୍ଗତ ଏହି କଟ୍‌ରେ ନିୟମିତଭାବେ ଜଣେ ଟ୍ରାଫିକ୍‌ ପୁଲିସ କର୍ମଚାରୀ ନିୟୋଜିତ କରିବାକୁ ଦୀର୍ଘ ଦିନ ହେବ ଦାବି ହୋଇଆସୁଛି। ମାତ୍ର କମିସନରେଟ୍‌ ପୁଲିସ ଏ ପର୍ଯ୍ୟନ୍ତ ଏଠାରେ ନିୟମିତ ଟ୍ରାଫିକ୍‌ ପୁଲିସ ଦେଇପାରିନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଫଳରେ ଟ୍ରାଫିକ୍‌ ପୁଲିସ ନ ଥିବାବେଳେ ଏହି କଟ୍‌ ଦେଇ ରାସ୍ତା ପାର ହେବା ବଡ଼ ବିପଦପୂର୍ଣ ହୋଇପଡ଼ୁଛି। ମହିଳା, ଶିଶୁ ଓ ବରିଷ୍ଠ ନାଗରିକମାନେ ଏହି କଟ୍‌ ଦେଇ ପାର୍‌ ହେବାବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରବି ନାରାୟଣ ପାଣି ଅଭିଯୋଗ କରିଛନ୍ତି।