ପୁରୁଣା ଭୁବନେଶ୍ବର: କିଛି ଦିନ ହେଲା ରାଜଧାନୀରେ ଛିନ୍‌ତାଇ କରି ପୁଲିସର ମୁଣ୍ଡବିନ୍ଧା ବଢ଼ାଇଥିବା ଦୁର୍ଦ୍ଦାନ୍ତ ଚିଙ୍ଗିଡ଼ା ପୁଣି ବନ୍ଧା ହୋଇଛି। ଏପ୍ରିଲ୍‌ ମାସରେ ଲଗାତାର ୩ଟି ଛିନ୍‌ତାଇ କରି ଚିଙ୍ଗିଡ଼ା ଓ ତା’ ସହଯୋଗୀ ରାକେଶ ପଣ୍ଡା ରାଜଧାନୀରେ ଆତଙ୍କ ଖେଳାଇଥିଲେ। ଏପ୍ରିଲ୍‌ ୩ ତାରିଖ ରାତିରେ ବଡ଼ଗଡ଼ ଥାନା କୁଆଖାଇ ନଈପଠାରେ ବିହାରର ୨ ଲୁଟେରା ସୋନୁ ଯାଦବ ଓ ମାନସ ଯାଦବକୁ ପୁଲିସ ଏନ୍‌କାଉଣ୍ଟର୍‌ କରିଥିଲା। ତେଣୁ ରାଜଧାନୀରୁ ଛିନ୍‌ତାଇ କମିବ ବୋଲି ଆଶା କରାଯାଉଥିଲା। ମାତ୍ର ପରେପରେ ଚିଙ୍ଗିଡ଼ା ମାତିଉଠିଥିଲା। ଆଜି ଏୟାର୍‌ପୋର୍ଟ ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ୫ଟି ଚେନ୍‌ ଓ ହଳେ କଙ୍କଣ(ମୋଟ୍‌ ୪୭ ଗ୍ରାମ୍‌) ଓ ଲୁଟ୍‌ରେ ବ୍ୟବହୃତ ପଲ୍‌ସର୍‌ ୨୨୦ ଜବତ କରାଯାଇଛି।

Advertisment

ପୁଲିସ ସୂଚନାନୁସାରେ ଡୁମୁଡୁମା ସୁବାସନଗରବସ୍ତିରେ ରହୁଥିବା ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠିଆ ଥାନା ଆମ୍ବପୁଆ ଗାଁର ଲିଙ୍ଗା ଦଳେଇ ଓରଫ ଚିଙ୍ଗିଡ଼ା(୩୦) ଜଣେ ପେସାଦାର ଅପରାଧୀ। ତା’ ନାଁରେ ଏୟାର୍‌ଫିଲଡ୍‌ ଥାନାରେ ୪, ଏୟାର୍‌ପୋର୍ଟ ଥାନାରେ ୪, କ୍ୟାପିଟାଲ୍‌ ଥାନାରେ ୧୧, ଖଣ୍ଡଗିରି ଥାନାରେ ୩, ନୂଆପଲ୍ଲି ଥାନାରେ ୨, ଖାରବେଳନଗର ଓ ଲିଙ୍ଗରାଜ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି। ଛିନ୍‌ତାଇଠାରୁ ଆରମ୍ଭ କରି ଲୁଟ୍‌ ଓ ଡକାୟତିରେ ତା’ର ସମ୍ପୃକ୍ତି ରହିଛି। ୨୦୧୨ ମସିହାରୁ ଅପରାଧ ଜଗତରେ ପାଦ ରଖିଥିବା ଚିଙ୍ଗିଡ଼ା ବହୁଥର ଗିରଫ ହୋଇ ଜେଲ୍‌ ଯାଇଛି। ଗତମାସ ୨୨ ତାରିଖ ସକାଳେ ଏରୋଡ୍ରମ୍ ଏରିଆ ଲେନ୍-୨ରେ ରହୁଥିବା ମମତା ପଣ୍ଡା ଫୁଲ ତୋଳିବାକୁ ଯାଇଥିବା ବେଳେ ଲୁଟ୍‌ର ଶିକାର ହୋଇଥିଲେ। ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ଧକ୍କା ମାରି ତଳେ ପକାଇଦେବା ପରେ ତାଙ୍କ ବେକରୁ ସୁନାଚେନ୍‌ ଛିଣ୍ଡାଇ ନେଇଥିଲେ। ଏହା ପୂର୍ବରୁ ଅନୁରୂପ ୨ଟି ଛିନ୍‌ତାଇ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ତେଣୁ ଏହି ମାମଲାରେ ଏୟାର୍‌ପୋର୍ଟ ଥାନା ପୁଲିସ ସହ ସ୍ପେସାଲ୍ ସ୍କ୍ବାଡ୍ ଓ ପିଓପିଡି ଟିମ୍ ଲାଗିପଡ଼ିଥିଲା। ଛିନ୍‌ତାଇ ଢାଞ୍ଚାକୁ ନେଇ ପୁଲିସ ଚିଙ୍ଗିଡ଼ାକୁ ହିଁ ସନ୍ଦେହ କରିଥିଲା। ଏଥିସହିତ ସିସିଟିଭି ଫୁଟେଜ୍ ଯାଞ୍ଚରୁ ତା’ର ସମ୍ପୃକ୍ତି ମିଳିଥିଲା। କିନ୍ତୁ ବିଚକ୍ଷଣ ଚିଙ୍ଗିଡ଼ା ଘରେ ରହୁ ନଥିବାରୁ ପୁଲିସ ତାକୁ ଧରିପାରି ନଥିଲା। ଗତକାଲି ରାତିରେ ସେ ଘରକୁ ଆସିଥିବାବେଳେ ଛକିଥିବା ପୁଲିସ ତାକୁ ମାଡ଼ିବସିଥିଲା।