ବିପଦସଂକୁଳ ନୟାପାଟଣା ଚଲାପଥ ଲୁହା ବ୍ରିଜ୍‌

ତ୍ରିଶୂଳିଆ: ବାରଙ୍ଗ ବ୍ଲକ ବେଲଗଛିଆ ନିକଟ ନୟାପାଟଣା ପୁରୀ ମୁଖ୍ୟ କେନାଲ୍‌ ଉପରେ ନିର୍ମିତ ଚଲାପଥ ଲୁହା ବ୍ରିଜ୍‌ ଏବେ ବିପଦସଂକୁଳ ଅବସ୍ଥାରେ। ପୋଲ ଉପରେ ପଡିଥିବା ସ୍ଲାବ୍‌ଗୁଡିକ ଭାଙ୍ଗିରୁଜି ଯାଇଥିବାରୁ ଏହା ଉପରେ ଯାତାୟାତ କରୁଥିବା ୧୬ଟି ଗାଁର ଲୋକେ ଘୋର୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିକଳ୍ପ ନଥିବାରୁ ଲୋକେ ବାଧ୍ୟ ହୋଇ ଏହି ବିପଦପୂର୍ଣ୍ଣ ବ୍ରିଜ୍‌ ଉପରେ ଯା’ଆସ କରୁଛନ୍ତି। ଏମିତିକି ଜୀବନକୁ ପାଣି ଛଡ଼ାଇ ଲୋକେ ରାତିରେ ଏହା ଉପରେ ଯାତାୟାତ କରୁଛନ୍ତି। ଟିକିଏ ଅସାବଧାନ ହେଲେ ପୁରୀ କେନାଲକୁ ଖସି ପଡ଼ି ଭାସିଯିବାର ଭୟ ରହିଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ୪୫ ବର୍ଷ ପୂର୍ବେ ଏହି ଲୁହା ପୋଲଟି ନିର୍ମାଣ ହୋଇଥିଲା। ତେଣୁ ୯୦ ମିଟର ଲମ୍ବ ଏବଂ ୮ ଫୁଟ ଚଉଡ଼ାର ଏହି ଲୁହା ପୋଲ ବହୁ ପୁରୁଣା ହୋଇଗଲାଣି। ନୟାପାଟଣା, ମରିଚିଆ, ଝିଙ୍କରଡିହ, ବେଲଗଛିଆ, ଜୟପୁର, ଗୋଠପୁର, ମଧୁସୂଦନପୁର, ଆମ୍ବବରେଇ, କଣ୍ଟୁଣିଆ, ଗଣ୍ଡରପୁର, ଖଇରାପଡା, କଲ୍ୟାଣପୁର, ପ୍ରତାପନଗରୀ ଆଦି ଗ୍ରାମର ଲୋକମାନେ ଏହି ପୋଲ ଉପରେ ଯିବା ଆସିବା କରୁଛନ୍ତି। ଛାତ୍ରଛାତ୍ରୀମାନେ ମଧ୍ୟ ଏହି ପୋଲ ଦେଇ ଯାତାୟାତ କରୁଛନ୍ତି। ତେବେ ଭଙ୍ଗା ସ୍ଲାବ୍‌ ଛୋଟ ପିଲା ଓ ବୟସ୍କଲୋକମାନଙ୍କ ପାଇଁ ବେଶି ବିପଦପୂର୍ଣ୍ଣ ହୋଇପଡ଼ିଛି। ସବୁଠୁ ଅଧିକ ସମସ୍ୟାରେ ପଡ଼ୁଛନ୍ତି ନୟାପାଟଣା, ଆମ୍ବବରେଇ ଓ ବେଲଗଛିଆ ପଞ୍ଚାୟତବାସୀ। ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର