ବିପଦସଙ୍କୁଳ ନୀଳାଦ୍ରିବିହାର ପୋଲ: ଭୁଶୁଡ଼ିଲେ ଚେତିବେ!

କେବେ ଭାଙ୍ଗିବ ସରକାରୀ ବାବୁଙ୍କ ନିଦ? ରାସ୍ତା ସମ୍ପ୍ରସାରଣ କଲେ, ପୋଲ କଥା ଭୁଲିଗଲେ

ଚନ୍ଦ୍ରଶେଖରପୁର: ଥରେ ନୁହେଁ କି ଦୁଇଥର ନୁହେଁ। ଜନସାଧାରଣ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନି। ଏବେ ବି ବିପଦସଙ୍କୁଳ ଅବସ୍ଥାରେ ବ୍ରିଜ୍‌ ଉପରେ ଯିବା ଆସିବା କରୁଛନ୍ତି ହଜାର ହଜାର ଲୋକ। ସ୍ଥିତି ଏମିତି ହେ‌ଲାଣି କେତେବେଳେ ଯେ ଭୁଶୁଡ଼ି ପଡ଼ିବ ତାହା କେହି କହିପାରିବେ ନାହିଁ। ଚନ୍ଦ୍ରଶେଖରପୁରରୁ ନୀଳାଦ୍ରିବିହାରକୁ ସଂଯୋଗ କରୁଥିବା ରାସ୍ତା ମଝିରେ ଥିବା ଡ୍ରେନ୍‌ ବ୍ରିଜ୍‌ ୩ ମାସ ହେଲା ଏଭଳି ବିପଦସଙ୍କୁଳ ଅବସ୍ଥାରେ ରହିଥିଲେ ମଧ୍ୟ କାହାର ବି ନିଘା ନାହିଁ। ପ୍ରଶାସନିକ ଅଧିକାରୀଙ୍କ ନିଦ ଭାଙ୍ଗୁଛି ନା ଜନପ୍ରତିନିଧିଙ୍କ ଦୃଷ୍ଟି ପଡ଼ୁଛି। ସମସ୍ତେ ସବୁ ଜାଣି ଯେପରି ଚୁପ୍‌ ବସି ପଡ଼ିଛନ୍ତି। କେହି ବି ହସ୍ତକ୍ଷେପ କରୁନାହାନ୍ତି କି ସ୍ଥାୟୀ ସମାଧାନର ବାଟ ବାହାର କରୁନାହାନ୍ତି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ‌ପ୍ରଶାସନ ଆଉ କେବେ ଚେତିବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

ନୀଳାଦ୍ରିବିହାରକୁ ସଂଯୋଗ କରୁଥିବା ଏହି ରାସ୍ତା ୩୦ ବର୍ଷ ତଳେ ନିର୍ମାଣ ହୋଇଥିଲା। ୧୯୯୨ରେ ନୀଳାଦ୍ରିବିହାର ପ୍ରତିଷ୍ଠା ସମୟରେ ଏହି ବ୍ରିଜ୍‌ ତିଆରି କରାଯାଇଥିଲା। ଯାହାକି ଏବେ ନଷ୍ଟ ହୋଇଗଲାଣି। ୫ ବର୍ଷ ତଳେ ପୋଲ ଉପରେ ପିଚୁ ପକାଇ ମରାମତି କରାଯାଇଥିଲା। ତା’ପରଠାରୁ ଆଉ ମରାମତି କଥା କେହି ବି ଚିନ୍ତା କରି ନାହାନ୍ତି। ଫଳରେ ଏହି ପୋଲ ଅବସ୍ଥା ଧୀରେ ଧୀରେ ଖରାପ ହେବାରେ ଲାଗିଛି। ୨୦ ମିଟରର ଏହି ପୋଲରେ ୪୦ରୁ ଅଧିକ ଖାଲଖମା ସୃଷ୍ଟି ହୋଇଛି। କେଉଁଠି ଲୁହା ରଡ୍‌ ପଦାକୁ ବାହାରି ଆସିଲାଣି ତ ଆଉ କେଉଁଠି ବ୍ରିଜ୍‌ରୁ ପିଚୁ ଉଠି ଖାଲଖମା ହୋଇଛି। ଅନେକ ସ୍ଥାନରେ ପିଚୁର ୪ ସ୍ତର ଉଠିଗଲାଣି। ବର୍ଷା ସମୟରେ ଏଭଳି ଅବସ୍ଥା ହେଉଛି ଯେ କେଉଁଠି ଖାଲ, କେଉଁଠି ରାସ୍ତା ପଥଚାରୀ ଜାଣିପାରୁ ନାହାନ୍ତି। ‌ଯେଉଁଥିପାଇଁ ବହୁ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି।

ଏନେଇ ଗତ ସେପ୍ଟେମ୍ବର ମାସରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ପ୍ରଶାସନ କିଛିଟା ତତ୍ପରତା ପ୍ରକାଶ କରିଥିଲା। ଖାଲଖମାରେ ଗୋଡ଼ି, ସିମେଣ୍ଟ ଢାଳି ମରାମତି କରାଯାଇଥିଲା। ମାତ୍ର ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ଏବେ ବି ସମାନ ଅବସ୍ଥା ଉପୁଜିଛି। ଗୋଟିଏ ମାସ ମଧ୍ୟରେ ମରାମତି ହୋଇଥିବା ସ୍ଥାନରୁ ଗୋଡ଼ି ଉଠିଯିବା ସହ ପୁଣି ଖାଲଖମା ସୃଷ୍ଟି ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପରୁ ନୀଳାଦ୍ରିବିହାର ଏଟିଏମ୍‌ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ୬ ବର୍ଷ ତଳେ ହୋଇଥିଲା। ଏକ ଥାକିଆ ଥିବା ଏହି ରାସ୍ତାର ଦୋହରୀକରଣ କରାଯାଇଥିଲା। ମାତ୍ର ଏହି ପୋଲର କୌଣସି ପରିବର୍ତନ ହୋଇ ନାହିଁ। ବରଂ ପୂର୍ବରୁ ଯେମିତି ଥିଲା ଏବେ ବି ସେମିତି ରହିଛି। ରାସ୍ତାଠାରୁ ବହୁ ତଳେ ଏହି ପୋଲ ରହିଥିବାରୁ ବର୍ଷା ଦିନେ ଉପରୁ ବର୍ଷା ପାଣି ଗଡ଼ି ପୋଲ ଉପରେ ଜମି ରହୁଛି। ଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ପୋଲ ନଷ୍ଟ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଦୈନିକ ହଜାର ହଜାର ଲୋକ ବ୍ରିଜ ଉପରେ ଯାତାୟାତ କରୁଥିବାରୁ ସେମାନଙ୍କ ମଧ୍ୟରେ ପୋଲ ଭୁଶୁଡ଼ିବାର ଭୟ ରହୁଛି। ବିଶେଷକରି ନୀଳାଦ୍ରିବିହାର, ଶୈଳଶ୍ରୀ ବିହାର ସମେତ ୮ରୁ ଅଧିକ ବସ୍ତିବାସିନ୍ଦାଙ୍କ ଲାଇଫ୍‌ ଲାଇନ୍‌ ପାଲଟିଥିବା ଏହି ପୋଲକୁ ତୁରନ୍ତ ମରାମତି କରାଯିବା ସହ ସ୍ଥାୟୀ ପ୍ରତିକାର କରିବା ଦିଗରେ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ ଗୁରୁତ୍ବ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର