ଭୁବନେଶ୍ୱର : ମୁକୁଳା ଟ୍ରାନ୍ସଫର୍ମର ଏବେ ୱାର୍ଡ ନଂ-୩୯ ନୂଆପଲ୍ଲୀ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ବିପଦର କାରଣ ସାଜିଛି। ନୂଆସାହି, ବାଲିତୋଟା ସାହି, ଶାସ୍ତ୍ରୀନଗର ଅଦି ଅଞ୍ଚଳରେ ଲାଗିଥିବା ଟ୍ରାନ୍ସଫର୍ମରଗୁଡ଼ିକ ବିପଜ୍ଜନକ ଅବସ୍ଥାରେ ରହିଛି। କେଉଁଠି ଟ୍ରାନ୍ସଫର୍ମର ଚାରି ପାଖରେ ପାଚେରି ନାହିଁ ତ କେଉଁଠି ଗେଟ୍ ନାହିଁ। କେତେକ ସ୍ଥାନରେ ଟ୍ରାନ୍ସଫର୍ମର ବେସ୍ମେଣ୍ଟ୍ ଭାଙ୍ଗି ଯାଇଛି, ଲୁହା ଖୁଣ୍ଟରେ କଳଙ୍କି ଲାଗିଛି। କେତେକ ସ୍ଥାନରେ ଅନାବନା ଗଛଲତା ମଧ୍ୟରେ ଟ୍ରାନ୍ସଫର୍ମରଟି ଲୁଚି ଯାଇଥିବା ଦେଖାଯାଇଛି। ଏସବୁ ପ୍ରତି ସେସୁ କର୍ତୃପକ୍ଷଙ୍କ ନଜର ନଥିବା ଅଭିଯୋଗ ହେଉଛି। ଏପରି ସ୍ଥିତିରେ ଯଦି କିଛି ଦୁର୍ଘଟଣା ଘଟେ ତେବେ କିଏ ଦାୟୀ ହେବ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି।
କିଛିଦିନ ତଳେ ବେହେରା ସାହି ଅଞ୍ଚଳର ଏକ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି କିଛି ବୁଲା ଗାଈଙ୍କର ମୃତ୍ୟୁ ହୋଇଥିଲା। ଏହିସବୁ ଟ୍ରାନ୍ସଫର୍ମର ନିକଟରେ ସ୍କୁଲ୍, ମନ୍ଦିର, ଆପାର୍ଟମେଣ୍ଟ୍, ବଜାର, ଜନଗହଳୀ ପୂର୍ଣ୍ଣ ସ୍ଥାନ ଥିଲେ ମଧ୍ୟ ବିଭାଗୀୟ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି। କେତେକ ସ୍ଥାନରେ ଟ୍ରାନ୍ସଫର୍ମର ଚାରିପାଖ ଖୋଲା ଥିବାରୁ ସେଠାର ଅଳିଆ ଆବର୍ଜନା ପକାଯାଉଥିବା ଦେଖିବାକୁ ମିଳିଛି।
ସେସୁର ଏପରି ଦାୟିତ୍ୱହୀନ କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସମାଜସେବୀ ମିଲନ୍ ପାଇକରାୟଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ୍ ସେସୁର ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଉପେନ୍ଦ୍ର ଭଞ୍ଜ ଖାଡ଼େଙ୍ଗାଙ୍କୁ ଭେଟି ସମସ୍ୟା ସଂପର୍କରେ ଜଣାଇଛନ୍ତି। ଏ ନେଇ ଶ୍ରୀ ଖେଡ଼େଙ୍ଗା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମୁକୁଳା ପଡ଼ିଥିବା ଟ୍ରାନ୍ସଫର୍ମର ଚାରିପଟେ ପାଚେରି ଓ ଗେଟ୍ ନିର୍ମାଣ ସରିଛି। ଯେଉଁ କେତୋଟି ସ୍ଥାନ ଖୋଲା ରହିଛି ସେସବୁ ଟ୍ରାନ୍ସଫର୍ମର ଚାରିପଟେ ଖୁବ୍ଶୀଘ୍ର ପାଚେରି ନିର୍ମାଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/hitesh-tranfermer.jpg)