ଭୁବନେଶ୍ବର ୧୮୧ଟି ବୁଥ ଅତ୍ୟନ୍ତ ସମ୍ବେଦନଶୀଳ

ନିର୍ବାଚନ ପାଇଁ କମିସନରେଟ ପୁଲିସର ପ୍ରସ୍ତୁତି

ଭୁବନେଶ୍ବର : ନିର୍ବାଚନ କମିସନଙ୍କ ପକ୍ଷରୁ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ କମିସନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଏ ନେଇ କମିସନରେଟ ପୁଲିସ ମୁଖ୍ୟାଳୟରେ ଏକ ବୈଠକ ବସିଥିଲା। ଏଥିରେ ପୁଲିସ କମିସନର ସତ୍ୟଜିତ ମହାନ୍ତି, ଅତିରିକ୍ତ ପୁଲିସ କମିସନର ସଂଜୟ ସିଂହ, ଭୁବନେଶ୍ବର ଡିସିପି ଅନୁପ ସାହୁ, କଟକ ଡିସିପି ଅଖିଳେଶ ସିଂହ ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ଦୁଇ ସହରରେ ନିର୍ବାଚନ ସୁପରିଚାଳନା ନେଇ ଆଲୋଚନା ହୋଇଥିଲା। ଏଥିରେ କେତେକ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି। ଯେଉଁଥିରେ କେମିତି ସୁରକ୍ଷା ବନ୍ଦୋବସ୍ତ ରହିବ। କେତେ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଭୁବନେଶ୍ବରରେ ୪୯୫ ଭୋଟ ଗ୍ରହଣ କେନ୍ଦ୍ର ରହିଛି। ଯେଉଁଥିରେ ୧୧୫୬ଟି ବୁଥ ରହିଛି। ଏଥି ମଧ୍ୟରୁ ୧୮୧ ବୁଥ ସମ୍ବେଦନଶୀଳ ଅଟେ। ନିର୍ବାଚନବେଳେ ୪୪ଟି ମୋବାଇଲ ଟିମ ସହରରେ ପଇଁତରା ମାରିବେ। ୨୦ ଜଣ ସେକ୍ଟର ଅଫିସର, ୧୧ ଏସିପି, ୫ଟି ଫ୍ଲାଇଙ୍ଗ ସ୍କ୍ବାଡ ଓ ୨୫ଶହ ପୁଲିସ ଫୋର୍ସ ନି‌ୟୋଜିତ ହେବେ। ସେହିପରି କଟକରେ ୪୦୧ଟି ଭୋଟ ଗ୍ରହଣ କେନ୍ଦ୍ର ରହିଛି। ଯେଉଁଥିରେ ୭୬୪ଟି ବୁଥ। ଏହି ବୁଥଗୁଡ଼ିକ ମଧ୍ୟରୁ ୨୩୪ଟି ଅତ୍ୟନ୍ତ ସମ୍ବେଦନଶୀଳ ଅଟେ। ନିର୍ବାଚନବେଳେ ୨୭ଟି ମୋବାଇଲ ଟିମ୍ ଘୂରି ବୁଲିବେ। ୧୭ ଜଣ ସେକ୍ଟର ଅଫିସର, ୧୦ ଏସିପି, ୫ଟି ଫ୍ଲାଇଙ୍ଗ ସ୍କ୍ବାଡ ଓ ୧୮ଶହ ପୁଲିସ ଫୋର୍ସ ନିୟୋଜିତ ହେବେ।

ନିର୍ବାଚନବେଳେ ଟଙ୍କା କାରବାର, ଚୋରା ମଦ କାରବାର ଓ ଭୋଜିଭାତ ଉପରେ ଫ୍ଲାଇଙ୍ଗ୍ ସ୍କ୍ବାଡ ନଜର ରଖିବ। ଏହା ଛଡ଼ା ଗତ ଫେବ୍ରୃଆରି ମାସରୁ ଭୁବନେଶ୍ବର ଓ କଟକରେ ଥିବା ବିଭିନ୍ନ ହୋଟେଲ, ଲଜ ଆଦିରେ ଯାଞ୍ଚ କରାଯଉଛି। ବିଳମ୍ବିତ ରାତିରେ ବିଭିନ୍ନ ଛକରେ ବ୍ଲକିଂ କରାଯାଉଛି ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ପେସାଗତ ଅପରାଧୀଙ୍କୁ ୧୧୦ ଦଫା‌ରେ ଗିରଫ କରିବାକୁ ସମସ୍ତ ଥାନା ଇନ୍ସପେକ୍ଟରଙ୍କୁ ନିର୍ଦେଶ ମଧ୍ୟ ହୋଇଛି।

ସମ୍ବନ୍ଧିତ ଖବର