କାୟା ମେଲାଉଛି କରୋନା: ରାଜଧାନୀକୁ ବିପଦ ଘରୋଇ ଶିକ୍ଷାନୁଷ୍ଠାନ, ୬ ଶିକ୍ଷା‌ନୁଷ୍ଠାନରୁ ବାହାରିଲେଣି ୭୭ଆକ୍ରାନ୍ତ

ରାଜ୍ୟ ବାହାରର ଅଧ୍ୟାପକ ସୁପରସ୍ପ୍ରେଡର! ଏକ୍ସଆଇଏମ୍‌ବି ସିଲ୍‌ ଖୋଲିଲା

ଭୁବନେଶ୍ବର: ରାଜଧାନୀରେ ହଠାତ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମାର୍ଚ୍ଚରେ ନଭେମ୍ବର ସ୍ଥିତି ଉପୁଜିଲାଣି। ‌ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପଛରେ ଘରୋଇ ଶିକ୍ଷାନୁଷ୍ଠାନ ଥିବାରୁ ରାଜଧାନୀ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି। କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ଶିକ୍ଷାନୁଷ୍ଠାନଗୁଡ଼ିକୁ ସବୁଠୁ ଅଧିକ ଦିନ ବନ୍ଦ ରଖିଥିଲେ, କଟକଣା ଭିତରେ ଶିକ୍ଷାନୁଷ୍ଠାନ ଖୋଲିଥିଲେ। କିନ୍ତୁ ଏବେ ଏହି ଶିକ୍ଷାନୁଷ୍ଠାନ ସରକାରଙ୍କ ନିଦ ହଜାଇଲାଣି।

ରାଜଧାନୀର ୬ଟି ଘରୋଇ ଶିକ୍ଷାନୁଷ୍ଠାନରୁ ୮ଦିନ ଭିତରେ ୭୭ଜଣ ଆକ୍ରାନ୍ତ ବାହାରିସାରିଲେଣି। ଯେତେବେଳେକି ସରକାରୀ ଶିକ୍ଷାନୁଷ୍ଠାନରୁ ମାତ୍ର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବିଏମ୍‌ସିର ଉତ୍ତର ଜୋନ୍‌ରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏବେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଥିରେ ଗଜପତି ନଗରରେ ଥିବା ଏକ ଶିକ୍ଷାନୁଷ୍ଠାନରୁ ୩୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏକ୍ସଆଇଏମ୍‌ବିରୁ ୩୧ଜଣ, ପାଣ୍ଡରା ନିକଟ ଏକ କଲେଜରୁ ୨ଜଣ, ପଟିଆର ତିନିଟି ଘରୋଇ ସ୍କୁଲରୁ ଯଥାକ୍ରମେ ୩ଜଣ, ୪ଜଣ ଓ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ବିଏମ୍‌ସି ପକ୍ଷରୁ ଦୁଇଟି ଅନୁଷ୍ଠାନକୁ ସିଲ୍‌ କରାଯାଇଥିବାବେଳେ ଗଜପତି ନଗରସ୍ଥିତ ଶିକ୍ଷାନୁଷ୍ଠାନ ଉପରେ ସିଲ୍‌ ବଳବତ୍ତର ରହିଛି। କିନ୍ତୁ ଏକ୍ସଆଇଏମ୍‌ବିରୁ ଆଜି ସିଲ୍‌ ଖୋଲିଦିଆଯାଇଛି। ଏହା ଭିତରକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ଲାଗିଥିବା କଟକଣା ଉଠାଇ ଦିଆଯାଇଛି।

ରାଜଧାନୀରେ ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ନେଇ ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ, ବିଭିନ୍ନ କୋଚିଂ ସେଣ୍ଟରଗୁଡ଼ିକ ବାହାର ରାଜ୍ୟର ଅଧ୍ୟାପକଙ୍କୁ ଆଣି ପଢ଼ାଉଛନ୍ତି। ଫଳରେ ସେମାନଙ୍କ ସଂସ୍ପର୍ଶରେ ଆସି ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଆମେ ଅନୁମାନ କରୁଛୁ। ଏପରିକି ବାହାର ରାଜ୍ୟରୁ କିଛି ଛାତ୍ରଛାତ୍ରୀ ଆସି ଏବେ କ୍ଲାସ୍‌ କରୁଛନ୍ତି। ହେଲେ କିଏ ପ୍ରଥମେ କରୋନା ଆକ୍ରାନ୍ତ ହେଲେ, କିପରି ସମସ୍ତେ ଆକ୍ରାନ୍ତ ହେଲେ ତାହା ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ କହୁନାହାନ୍ତି। ଆମେ ବି କଣ୍ଟାକ୍ଟ ଟ୍ରେସିଂରୁ ତାହା ଜାଣିପାରୁନୁ। ଏସବୁ ବାଦ୍ ଛାତ୍ରଛାତ୍ର ହଷ୍ଟେଲରେ ରହୁଥିବାରୁ ବାହାରେ ଖିଆପିଆ କରୁଛନ୍ତି। ତେଣୁ ସେମାନେ ବାହାରେ କୌଣସି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ମିଶିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ଅନୁମାନ କରାଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଯେଉଁ ଦୁଇଟି ଅନୁଷ୍ଠାନରୁ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେଠାକୁ ମହରାଷ୍ଟ୍ର, ମଧ୍ୟପ୍ରଦେଶ, ଦିଲ୍ଲୀ ଓ ବାହାର ରାଜ୍ୟରୁ ଅଧ୍ୟାପକ ଆସିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ କିଛି ‌ଅଧ୍ୟାପକଙ୍କ ପଜିଟିଭ୍ ଆସିଛି। ତେଣୁ ସେମାନେ ସୁପରସ୍ପ୍ରେଡର ହୋଇଥିବା ଅନୁମାନ କରାଯାଉଛି। ହେଲେ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ଜଣାପଡ଼ିନି।

ଅପରପ‌େକ୍ଷ, ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ପାଠପଢ଼ା ସମୟରେ କୋଭିଡ୍‌ କଟକଣା ମାନୁନଥିବା ବିଏମ୍‌ସି ନଜରକୁ ଆସିଛି। ବିଏମ୍‌ସିର ଗାଇଡଲାଇନ୍ ଅନୁଯାୟୀ, ସ୍କୁଲରେ ପାଠପଢ଼ା ହେଲେ ବି ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬ଫୁଟ୍‌ର ଦୂରତା ରହିବା ଦରକାର। କିନ୍ତୁ ଛାତ୍ରଛାତ୍ରୀ ଶ୍ରେଣୀଗୃହ‌େର ଏହାକୁ ମାନୁନାହାନ୍ତି। ପୂର୍ବରୁ ଯେମିତି ପାଖାପାଖି ବସି ପାଠ ପଢ଼ୁଥିଲେ ଏବେବି ସେମିତି ପଢ଼ୁଛନ୍ତି। ଯେଉଁଥିପାଇଁ ଜଣେ କୌଣସି କାରଣରୁ କରୋନା ଆକ୍ରାନ୍ତ ହେଲେ ଅନ୍ୟମାନେ ସହଜରେ କରୋନା ଆକ୍ରାନ୍ତ ହୋଇଯାଉଛନ୍ତି। ତେଣୁ ସମସ୍ତ ସ୍କୁଲକୁ କୋଭିଡ୍‌ କଟକଣା ମାନି କନଫରେନ୍ସ ହଲ୍, ପାଠାଗାର ଏବଂ ଅନ୍ୟାନ୍ୟ ବଡ଼ ‌ହଲ୍‌ରେ କ୍ଲାସ୍‌ କରିବାକୁ କୁହାଯାଇଛି। ଏହାସହ ଛାତଛାତ୍ରୀ ଯେପରି ଖେଳଛୁଟି‌େର ଏକାଠି ହେବେନି, ଟିଫିନ୍ ବାଣ୍ଟିକି ଖାଇବେନି, ନିୟମିତ ହାତ ଧୋଇବେ ସେନେଇ ସ୍କୁଲ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ କୁହାଯାଇଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ରାଜଧାନୀରେ ବିଭିନ୍ନ ଘରୋଇ ସ୍କୁଲ, ହଷ୍ଟେଲ, କୋଚିଂ ସେଣ୍ଟରରେ ଏବେ କୋଭିଡ୍‌ ପରୀକ୍ଷା ବଢ଼ାଇ ଦିଆଯାଇଛି। ଯେଉଁଠି ଗୋଟିଏ କିମ୍ବା ଦୁଇଟି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେଠାରେ ସମସ୍ତ ସନ୍ଦିଗ୍ଧଙ୍କର କୋଭିଡ୍‌ ପରୀକ୍ଷା କରାଯାଉଛି।

ସମ୍ବନ୍ଧିତ ଖବର