ବାଲିପାଟଣା,: ବାଲିପାଟଣାରେ ଆଜି ପ୍ରାୟ ଅପରାହ୍ଣ ୩ଟା ବେଳେ କାଳବୈଶାଖୀ ତାଣ୍ଡବରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହେବା ସହ ବିଦ୍ୟୁତ ସରବରାହ ଓ ଯାତାୟାତରେ ଘୋର ବାଧାପ୍ରାପ୍ତ ହୋଇଛି। ବହୁ ଘର ମାଟିରେ ମିଶିବା ସହ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯାଇଛି। ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତାରେ ପଡ଼ିରହିଛି। ବାଲିପାଟଣା ବ୍ଲକ୍ର ପମ୍ପାଲୋ ଓ ତୁରନ୍ତିରା ପଞ୍ଚାୟତର ବହୁ ଗାଁ କାଳବୈଶାଖୀର ପ୍ରଭାବରେ ପ୍ରଭାବିତ ହୋଇଛି।
ମିଳିଥିବା ସୂଚନା ମୁତାବକ ଝଡ଼ତୋଫାରେ ୪ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ଉତ୍ତରା-ନିମାପଡ଼ା ଭାୟା ବାଲିପାଟଣା ରାସ୍ତାରେ ବଡ଼ ବଡ଼ ଗଛ ପଡ଼ି ରାସ୍ତାରେ ଶହ ଶହ ଗାଡ଼ିମୋଟର ଅଟକି ରହିଛି। ନିମାପଡ଼ାରୁ ଭୁବନେଶ୍ୱରକୁ ୨୫୦୦୦ ଲିଟର କ୍ଷୀର ନେଇ ଯାଉଥିବା ପୁମୁଲ ଟ୍ରକ୍ ପୁବାଗଡ଼-ମାର୍ଥାପୁର ରାସ୍ତାରେ ଅଟକି ରହିଛି। ବାଲିପାଟଣା ଦମକଳ ବାହିନୀ ଗଛକାଟି ରାସ୍ତା ସଫା କରିବାରେ ଲାଗିଛନ୍ତି। ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଥିବାରୁ ମରାମତି ଚାଲିଥିଲେ ବି ନରଦା ଓ ବନମାଳିପୁରର ଫିଡର୍ରେ ଥିବା ହଜାର ହଜାର ବିଦ୍ୟୁତ୍ ଉପଭୋକ୍ତା ଏବେ ବି ଅନ୍ଧାରରେ ଅଛନ୍ତି। ୧୦ଟି ୧୧କେଭି ଓ ପ୍ରାୟ ୮ଟି ଏଲ୍ଟି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯିବା ଫଳରେ ନରଦା ଫିଡର୍ର ୨୦୦୦ ଉପଭୋକ୍ତା ଅନ୍ଧାରରେ ରହିଛନ୍ତି। ସରାଟ ମୌଜାର ସରାଟଶାସନ ଗାଁ ନିକଟରେ ତିଆରି ହେଉଥିବ ମାନସ ମଲ୍ଲିକଙ୍କ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କୁକୁଡ଼ା ଫାର୍ମଟି ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ବହୁ ନଡ଼ିଆ, ଚାକୁଣ୍ଡା ଓ ଅନ୍ୟାନ୍ୟ ଗଛ ଘର ଉପରେ ପଡ଼ିବାରୁ ବହୁ ଘରଦ୍ୱାର ଭାଙ୍ଗିବା ସହ ବାଇକ୍ ଉପରେ ପଡ଼ି ବାଇକ୍ ଚୂନା ହୋଇଯାଇଛି। ଏଭଳି କାଳବୈଶାଖୀ କେବେ ହୋଇନଥିବା ସ୍ଥାନୀୟ ଲୋକେ କହିଛନ୍ତି। ସରାଟ ଗ୍ରାମ ଗୋବର୍ଦ୍ଧନ ବେହେରାଙ୍କ ୪ଟି ମେଣ୍ଢା ମରି ଯାଇଥିବା ବେଳେ ସେ ମଧ୍ୟ କାଳବୈଶାଖୀ ପବନରେ ଆହତ ହୋଇଛନ୍ତି।
ପାଞ୍ଚ ମିନିଟ୍ର ପ୍ରଳୟ
ଦିନ ପ୍ରାୟ ୩ଟାରେ କଳା ବାଦଲ ଘୋଟିଆସିଥିଲା। ୨ଟି ଘଡ଼ଘଡ଼ି ମାରିବା ସହ ଧୀରେ ଧୀରେ ଦକ୍ଷିଣ ଓ ପଶ୍ଚିମ କୋଣରୁ ପବନ ବହିବା ଆରମ୍ଭ ହୋଇଥିଲା। ଗହୀର, ରାସ୍ତା ଓ ବାହାରେ ଥିବା ଲୋକେ କିଛି ଭାବିବା ଆଗରୁ ପ୍ରଚଣ୍ଡ ପବନରେ ବଡ଼ ବଡ଼ ଗଛ, ଘରଦ୍ୱାର ଭାଙ୍ଗିବା ସହ ଟିଣ, ଆଜ୍ବେଷ୍ଟସ୍ ଉଡ଼ିଥିଲା। ମାତ୍ର ୫ ମିନିଟ୍ରେ ପ୍ରଳୟ କରି ଚାଲିଯାଇଥିଲା।
ନୃସିଂହନାଥ ଦେବଙ୍କ ଉଡ଼ିଗଲା ବାନା
ବାଲିଅନ୍ତା: ବାଲିଅନ୍ତା ବ୍ଲକ୍ ଅଧୀନ ପ୍ରତାପରୁଦ୍ରପୁର ପଞ୍ଚାୟତ ଅଞ୍ଚଳରେ ଆଜି ସଂଧ୍ୟା ପ୍ରାୟ ୭ଟା ସମୟରେ ମେଘ ପବନ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପାଖାପାଖି ଅଧଘଣ୍ଟାଏ ଧରି ପ୍ରବଳ କୁଆପଥର ବର୍ଷା ସାଙ୍ଗକୁ ପବନ ଲାଗି ରହିଥିଲା। ପବନର ବେଗ ଏତେ ମାତ୍ରାରେ ଥିଲା ଯେ ପାରିବାସୁଦେଇପୁର ସ୍ଥିତ ପ୍ରଭୁ ନୃସିଂହନାଥ ଦେବଙ୍କ ମନ୍ଦିର ଚୂଡ଼ାରେ ଦେଢ଼ଫୁଟ ଲୁହା ଆଙ୍ଗେଲ ଭାଙ୍ଗିଯାଇ ସେଥିରେ ବନ୍ଧା ଯାଇଥିବା ବାନା ଉଡ଼ିଯାଇଥିବା ସ୍ଥାନୀୟ ବାସିନ୍ଦା ବନମାଳି ଜେନା ସୂଚନା ଦେଇଛନ୍ତି। ଏଥିସହିତ ବଡ଼ବଡ଼ ଘଛଡାଳ ଭାଙ୍ଗିଯିବା ସହ ବିଦ୍ୟୁତ୍ ତାର ଛିଣ୍ଡି ଯିବାରୁ ଦୀର୍ଘ ସମୟ ଧରି ଗାଁ ଅନ୍ଧାର ହୋଇପଡ଼ିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/balipatana-1.jpg)