ପାଦ ଖସିଲେ ମୃତ୍ୟୁ

ରାଜଧାନୀରେ ଏବେ ପାଦେ ପାଦେ ଲୋକଙ୍କୁ ମୃତ୍ୟୁ ଅପେକ୍ଷା କରିଛି। ଭାଗ୍ୟ ଭଲ ଥିଲେ ଖଣ୍ଡିଆ ଖାବରା ହୋଇ ଉଠିଯିବ। ନଚେତ୍‌ ନିଶ୍ଚିତ ମୃତ୍ୟୁ। ରାଜଧାନୀବାସୀଙ୍କ ପାଇଁ ଏହିଭଳି ମୃତ୍ୟୁଯନ୍ତା ବସାଇଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗ ଏବଂ ବିଏମ୍‌ସି କର୍ତ୍ତୃପକ୍ଷ। ଏହି ତିନିଟି ସଂସ୍ଥା ପକ୍ଷରୁ ରାଜଧାନୀରେ ନିର୍ମାଣ ହୋଇଥିବା ଡ୍ରେନ୍‌ଗୁଡ଼ିକ ଏବେ ମୃତ୍ୟୁ ଯନ୍ତା ଭଳି ଚାହିଁ ବସିଛନ୍ତି। ଆଗରୁ ମୁକୁଳା ଡ୍ରେନ୍‌ କରି ଛାଡ଼ି ଦେଉଥିଲେ। ବର୍ଷା ଦିନେ ଲୋକ ଏଥିରେ ପଡ଼ି ଖଣ୍ଡିଆଖାବରା ହେଲେ। ଏହାପରେ ଅଧିକରୁ ଅଧିକ ଡ୍ରେନ୍‌ରେ ସ୍ଲାବ୍‌ ପକାଇଲେ। କିନ୍ତୁ ଏମିତି ନିମ୍ନମାନର କାମ ହେଲା ଯେ, ଅଧିକାଂଶ ସ୍ଥାନରେ ଅଧାରୁ ସ୍ଲାବ୍ ଭାଙ୍ଗି ଖସି ପଡ଼ିଲା। ଏମିତି ଭାବରେ ସ୍ଲାବ୍ ଖସିଛି ଯେ, ଦିନ ଦ୍ବିପ୍ରହରରେ ଗଲେ ବି ଏଥିରେ ପଡ଼ି ଖଣ୍ଡିଆ ଖାବରା ହେବ ନଚେତ୍‌ ନିଶ୍ଚିତ ମୃତ୍ୟୁ ମୁଖରେ ପଡ଼ିବ। ବର୍ଷା ଦିନ ଦୂରର କଥା‌। ବରମୁଣ୍ଡାରୁ ଆରମ୍ଭ କରି ବାଣୀବିହାର ପର୍ଯ୍ୟନ୍ତ, ସଚିବାଳୟ ମାର୍ଗ, ଜନପଥ, ଏହି ଦୁଇ ରାସ୍ତା ମଝିରେ ଥିବା ବିଭିନ୍ନ କଲୋନି ଅଞ୍ଚଳ ସମେତ ରାଜଧାନୀର ପ୍ରାୟ ସମସ୍ତ ଅଞ୍ଚଳରେ ଏବେ ଭଙ୍ଗା ଡ୍ରେନ୍‌ ମୁଣ୍ଡ ନେବାକୁ ଚାହିଁ ବସିଛି। ଏମିତି ଭାବେ ଏହି ସ୍ଲାବ୍‌ ଖସିଛି ଯେ, ଆପଣଙ୍କ ଆଖି ଏଠାରେ ଧୋକା ଖାଇଯିବ।
ଫଟୋ: ବିଭୂତି

ସମ୍ବନ୍ଧିତ ଖବର