ରାସ୍ତା ମଝିରେ ବିପଦ! : ‘ମୁଖ୍ୟମନ୍ତ୍ରୀ ସଡ଼କ’ ଲୋକଙ୍କ କାମରେ ଆସିପାରୁନି

ବାଲିପାଟଣା : ରାସ୍ତା ମଝିରେ ବିପଦ। ୩୩ କେଭି କରେଣ୍ଟ। ତାହା ପୁଣି ‘ମୁଖ୍ୟମନ୍ତ୍ରୀ ସଡ଼କ’ ଯୋଜନାରେ ତିଆରି ହୋଇଥିବା ରାସ୍ତାରେ। ରାତି ତ ରାତି, ଦିନରେ ବି ଏଠାର ବଡ଼ଧରଣର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ନପାରେ। ଏପରି ରାସ୍ତା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ୍‌ରେ। ‘ନରଦାଠାରୁ ଇନ୍ଦୋଳକୁସିଆରି’ରାସ୍ତାଟି ବାଲିପାଟଣା ବ୍ଲକର ଏକ ପ୍ରମୁଖ ରାସ୍ତା। ବ୍ଲକ୍‌ର ମୁଖ୍ୟ ୪ଟି ପଞ୍ଚାୟତ କୁରୁଞ୍ଜିପୁର, ତୁରନ୍ତିରା, ରାଜସ ଓ ପମ୍ପାଲୋର ଶହଶହ ଗ୍ରାମକୁ ରାସ୍ତାଟି ସଂଯୋଗ କରୁଛି। ‘ମୁଖ୍ୟମନ୍ତ୍ରୀ ସଡ଼କ’ ଯୋଜନାରେ ରାସ୍ତାଟି ସାମିଲ ହୋଇ ଗତ ୨୦୧୫ମସିହାରୁ କାର୍ଯ୍ୟ ଆରମ୍ଭ ହୋଇ ପରବର୍ଷ ରାସ୍ତାଟିର କାର୍ଯ୍ୟ ଶେଷ ହେବାକଥା। କିନ୍ତୁ ବିଭିନ୍ନ କାରଣରୁ ଆଜି ପର୍ଯ୍ୟନ୍ତ ତାହ ସଂପୂର୍ଣ୍ଣ ହୋଇପାରି ନାହିଁ। କେବଳ ସେତିକି ନୁହେଁ ଗୋଟିଏ ସ୍ଥାନରେ ରାସ୍ତା ମଝିରେ ଧାଡ଼ିଧାଡ଼ି ବିଦ୍ୟୁତ୍‌ଖୁଣ୍ଟ ରହିଥିଲେ ବି ସେସବୁ ବିଦ୍ୟୁତ୍‌ଖୁଣ୍ଟ ନଉଠି ତରବରିଆ ଭାବେ ରାସ୍ତାରେ ପିଚୁ ପଡ଼ିଗଲାଣି।ରାସ୍ତା ମଝିରେ ବିଦ୍ୟୁତ୍‌ଖୁଣ୍ଟ ରହୁଥିବାରୁ ରାସ୍ତାଟି ଲୋକଙ୍କ କାମରେ ଏକପ୍ରକାର ଆସୁ ନଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ ରାସ୍ତାଟି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ହୋଇ ଗତ ୨୧ ଡିସେମ୍ବର୨୦୧୫ରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ୬.୭କିମି ଲମ୍ବ ରାସ୍ତାଟିର କାମ ୨୦ ନଭେମ୍ବର୨୦୧୬ରେ ଶେଷ ହେବାର ଥିଲା। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ଶେଷ ହୋଇପାରି ନାହିଁ। ବହୁ ସ୍ଥାନରେ ରାସ୍ତାକାମ ଅଧାପନ୍ତରିଆ ହୋଇ ପଡ଼ିଥିବା ବେଳେ ଅନେକ ସ୍ଥାନରେ ପିଚୁକାମ ବି ବାକି ରହିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ରାସ୍ତାରେ ପିଚୁ ହୋଇଯାଇଥିଲେ ମଧ୍ୟ ରାସ୍ତା ମଝିରେ ଧାଡ଼ିଧାଡ଼ି ବିଦ୍ୟୁତ୍‌ଖୁଣ୍ଟ ଠିଆ ହୋଇଛି। ଫଳରେ ରାସ୍ତାରେ ପ୍ରତିଦିନ ଯାତାୟାତ କରୁଥିବା ହଜାରହଜାର ଲୋକେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି। ସମୟ ସମୟରେ ରାତିରେ ଦୁର୍ଘଟଣା ବି ଘଟୁଛି। ୪ଚକିଆ ଯାନ ଯିବା ବି ଅସମ୍ଭବ ହୋଇପଡ଼ୁଛି। ରାସ୍ତାଟିର ଅଙ୍ଗାରପଡ଼ା ବ୍ରିଜ୍‌ ମୁଣ୍ଡଠାରୁ ଆଙ୍କୁଶପୁର କେନାଲବନ୍ଧ ରାସ୍ତାରେ ଏସବୁ ବିଦ୍ୟୁତ୍‌ ଖୁଣ୍ଟ ରାସ୍ତା ମଝିରେ ରହିଛି। ଗୋଟିଏ ଟ୍ରାନ୍ସଫର୍‌ମର୍‌ ସାଙ୍ଗକୁ ୫ଟି ଖୁଣ୍ଟ ରାସ୍ତାରେ ରହିଛି। ସ୍ଥାନୀୟ ଜନସାଧାରଣ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ବି ଏହାର ସୁଫଳ ମିଳୁନାହିଁ। ଗ୍ରାମ ଉନ୍ନୟନ ବିଭାଗ ଓ ବିଦ୍ୟୁତ୍‌ ବିଭାଗର ସମନ୍ଵୟ ଅଭାବରୁ ଏଭଳି ସମାସ୍ୟା ଉପୁଜୁଥିବା ସ୍ଥାନିୟ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତାରୁ ତୁରନ୍ତ ବିଦ୍ୟୁତ୍‌ ଖୁଣ୍ଟ ଉଠିବା ସହ ରାସ୍ତାକାମ ଯଥାଶୀଘ୍ର ଶେଷ ନହେଲେ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ସ୍ଥାନୀୟ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଶୁଭ୍ରଜିତ୍‌ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ବର୍ଷକ ତଳୁ ଆମେ ରାସ୍ତାରୁ ଖୁଣ୍ଟ ଉଠାଇବା ପାଇଁ ଏଷ୍ଟିମେଟ୍‌ କରି ଆର୍‌ଡି ବିଭାଗକୁ ଦେଇସାରିଛୁ, କିନ୍ତୁ ଏ ପର୍ଯ୍ୟନ୍ତ ଅର୍ଥ ପଇଠ ହୋଇନାହିଁ ଫଳରେ ଆମେ କାମ କରି ପାରୁନାହୁଁ। ଏ ସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଦୁଃଖବନ୍ଧୁ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି କାମ କରୁଥିବା ଠିକାଦାରୀ ସଂସ୍ଥାର ମୁଖ୍ୟଙ୍କ ଦେହାନ୍ତ ହେବାରୁ କାମ ବର୍ଷେ ବନ୍ଦ ରହିଥିଲା। ନୂତନ ମୁଖ୍ୟ ଯୋଗଦେବାପରେ କାମ ଆରମ୍ଭ ହୋଇଛି। ବିଦ୍ୟୁତ୍‌ ବିଭାଗ ସହ ଆଲୋଚନା ସରିଛି ଜୁନ୍‌ ସୁଦ୍ଧା ରାସ୍ତାରୁ ବିଦ୍ୟୁତ୍‌ ଖୁଣ୍ଟ ଉଠିବା ସହ ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ଶେଷ ହୋଇଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର