ନଦୀକୂଳରୁ ବିପଜ୍ଜନକ ବାଲି ଖନନ, ଦୈନିକ ୩ ହଜାର ଟ୍ରିପ ବାଲି ଚୋରା ଚାଲାଣ ହେଉଛି

ସୀମା ଚିହ୍ନଟ ଫଳକର ଚିହ୍ନବର୍ଣ୍ଣ ନାହିଁ, ଭୁଶୁଡ଼ିବ ଟଙ୍କପାଣି ବ୍ରିଜ

ବାଲିଅନ୍ତା: ବେଆଇନ ଭାବେ ନଦୀ କୂଳରୁ ବାଲି ଖନନ କରାଯାଉଛି। ଫଳରେ କୂଳରେ ଗଭୀର ଗଣ୍ଡ ସୃଷ୍ଟି ହେଉଛି ଓ ଲୋକେ ଗାଧୋଇବା ବେଳେ ଭାସି ଯାଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ବାଲିଅନ୍ତା ଓ ଭୁବନେଶ୍ବର ତହସିଲ ଅଞ୍ଚଳ ଦେଇ ପ୍ରବାହିତ କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ନଦୀରୁ ଏମିତି ବେଆଇନ ଭାବେ ଦୈନିକ ଶହ ଶହ ଟ୍ରିପ୍‌ ବାଲି ଚୋରାରେ ଚାଲାଣ ହେଉଛି।

ନିୟମାନୁସାରେ ନଦୀ କୂଳରୁ ସର୍ବନିମ୍ନ ୧୦୦ ଫୁଟ ଦୂରତା ପରେ ବାଲି ଉଠାଯିବା କଥା। ବାଲି ଖନନ କରାଯାଉଥିବା ସ୍ଥାନରେ ମାତ୍ର ୯ ଫୁଟ ଗଭୀର ହେବା କଥା। କିନ୍ତୁ ମାଫିଆମାନେ ୩୦ ଫୁଟ ପର୍ଯ୍ୟନ୍ତ ଗଭୀରରେ ବାଲି ତାଡ଼ି ପକାଉଛନ୍ତି। ଏହି ନିୟମକୁ କେହି ଖାତିର୍ କରୁନଥିବା ଦେଖାଯାଉଛି। ବଇଁଚୁଆ, ସତ୍ୟଭାମାପୁର, ଉମାଦେଇ ବ୍ରହ୍ମପୁର, ଇନ୍ଦ୍ରପାଳ, ଗଡ଼ଶ୍ରୀରାମପୁର, ଝିଣ୍ଟିଶାସନ, ମହୁଖଣ୍ଡା ଆଦି ସ୍ଥାନରେ ନଦୀ କୂଳରୁ ବାଲି ତାଡ଼ି ନିଆଯାଉଛି। ସନ୍ଧ୍ୟା ୫ଟା ପରେ ବାଲି ଘାଟ ବନ୍ଦ ରହିବା ନିୟମ ଥିଲେ ବି ରାତି ସାରା ବାଲି ଖନନ ଓ ଚାଲାଣ ହେଉଛି। ନିଲାମଧାରୀଙ୍କ ସହ ତାଳ ଦେଇ ବେଆଇନ ଚାଲାଣକାରୀମାନେ ବି ବାଲି ବିକିବାରେ ଲାଗିଛନ୍ତି।

ଦୈନିକ ୩ ହଜାର ଟ୍ରିପ ବାଲି ଚୋରା ଚାଲାଣ ହେଉଛି
ଉଭୟ ଭୁବନେଶ୍ବର ଓ ବାଲିଅନ୍ତା ତହସିଲ ସୀମା ଅଧୀନ କୁଆଖାଇ ନଦୀର ଟଙ୍କପାଣି, ବାଙ୍କୁଆଳ, ଝାରପଡ଼ା, ହଂସପାଳ, କୁଶଭଦ୍ରା ନଦୀର କାକରୁଦ୍ରପୁର ମହୁଖଣ୍ଡା, ଭାର୍ଗବୀ ନଦୀର ଝିଣ୍ଟିଶାସନ ଓ ଚଢ଼େଇବର ଆଦି ନଦୀଘାଟ ନିଲାମ ଦିଆଯାଇଛି। କୋର୍ଟରେ ମାମଲା ଯୋଗୁଁ ବାଲିଅନ୍ତା ଭୁବନପୁର ଘାଟରୁ ବାଲି ଉଠାଣ ବନ୍ଦ ରହିଛି। ଘାଟ ନିଲାମଧାରୀମାନେ ଗାଡ଼ି ଚାଳକମାନଙ୍କୁ ୱାଇଫର୍ମ ପ୍ରଦାନ ନକରି ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରିଲୁଟ କରୁଛନ୍ତି। ତହସିଲ ଓ ରାଜସ୍ବ ବିଭାଗର ଅଧିକାରୀ ନିଲାମଧାରୀଙ୍କ ଠାରୁ ମୋଟା ଅଙ୍କର ବଟି ନେଇ ବାଲି ଚୋରା ଚାଲାଣକୁ ପ୍ରୋତ୍ସାହନ ଦେଇଥିବା ଭିଯୋଗ ହେଉଛି। ଜଣେ ଘାଟ ମାଲିକଙ୍କ ସୂଚନା ଅନୁଯାୟୀ ଉପରୋକ୍ତ ୩ ନଦୀରୁ ମୁଖ୍ୟତଃ ଖୋର୍ଧା, ପୁରୀ ଏବଂ କଟକ ଜିଲ୍ଲାର ବିଭିନ୍ନ ସ୍ଥାନକୁ ବାଲି ଚାଲାଣ ହୋଇଥାଏ। ପ୍ରତିଦିନ ୬ ହଜାର ଟ୍ରିପ ବାଲି ଚାଲାଣ ହେଉଥିବା ବେଳେ ସେଥିମଧ୍ୟରୁ ୱାଇଫର୍ମ ଆଳରେ ୩ ହଜାର ଟ୍ରିପ ବାଲି ଚୋରା ଚାଲାଣ ହେଉଛି।

ସୀମା ଚିହ୍ନଟ ଫଳକର ଚିହ୍ନବର୍ଣ୍ଣ ନାହିଁ
କୁଆଖାଇ, କୁଶଭଦ୍ରା ଏବଂ ଭାର୍ଗବୀ ନଦୀଘାଟ ନିଲାମ ଦିଆଯାଇଥିବା ସ୍ଥାନରେ ୯୮ଟି ସୀମା ଚିହ୍ନଟ ଫଳକ ଲଗାଯାଇଥିଲା। ବିଗତ ବର୍ଷରେ ତତ୍କାଳୀନ ତହସିଲଦାର ଘାଟ ଓ ନଦୀପଠା ସୀମା ଚିହ୍ନଟ ପାଇଁ ସୂଚନା ଫଳକ ଲଗାଇଥିଲେ। ହେଲେ ନିଲାମଧାରୀମାନେ ସୀମା ଚିହ୍ନଟ ଫଳକ ତାଡ଼ି ସେଠାରେ ଗଣ୍ଡ ସୃଷ୍ଟି କରି ଦେଲେଣି।

ଭୁଶୁଡ଼ିବ ଟଙ୍କପାଣି ବ୍ରିଜ
କୁଆଖାଇ ନଦୀରୁ ବେଆଇନ ବାଲି ଖନନ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ନିୟମିତ ଭାବେ ବାଲିତଡ଼ା ହେବା ଯୋଗୁଁ କୁଆଖାଇକୁ ଗାଧୋଇବାକୁ ଆସୁଥିବା ଅନେକ ଲୋକଙ୍କର ସଲିଳ ସମାଧି ଘଟିବା ଏକ ସାଧାରଣ ଘଟଣା ହୋଇଗଲାଣି। ଅପରପକ୍ଷରେ ଭ୍ୟାକୁମ୍‌ ସାହାଯ୍ୟରେ ନଦୀରୁ ବାଲି ଉତ୍ତୋଳନ ଟଙ୍କପାଣି ବ୍ରିଜର ସ୍ଥାୟୀତ୍ବ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ବେଆଇନ ବାଲି ଉଠାଣ ବନ୍ଦ କରାନଗଲେ ବ୍ରିଜ ଆଗାମୀ ଦିନରେ ଭୁଶୁଡ଼ି ପଡ଼ିବ ବୋଲି ଆଶଙ୍କ‌ା ପ୍ରକାଶ ପାଇଛି। ରାଜସ୍ବ ବିଭାଗ ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ବ୍ରିଜର ଉଭୟ ପାର୍ଶ୍ବରୁ ୫୦୦ ଫୁଟ ଦୂରତା ଛାଡ଼ି ବାଲି ଉଠାଯିବା କଥା। ହେଲେ ବ୍ରିଜ ତଳପାର୍ଶ୍ବରୁ ବେଧଡ଼କ ଭାବେ ବାଲି ତଡ଼ାଯାଉଛି। ଫଳରେ ଟଙ୍କପାଣି ପ୍ରତି ବିପଦ ସଷ୍ଟି ହୋଇଛି।

ସମ୍ବନ୍ଧିତ ଖବର