ବିପଜ୍ଜନକ ଆଇଗିଣିଆ ନୂଆ ଟ୍ରାଫିକ୍‌ ଛକ

ଖଣ୍ଡଗିରି: ୧୬ନମ୍ବର ଜାତୀୟ ରାଜପଥ ଆଇଗିଣିଆ ଛକରେ ଖୋଲା ଯାଇଥିବା ନୂଆ ଟ୍ରାଫିକ୍‌ ପୋଷ୍ଟ ବିପଜ୍ଜନକ ଅବସ୍ଥା‌ରେ କାମ କରୁଛି। ଏହି ଟ୍ରାଫିକ୍‌ ଛକରେ କୌଣସି ସତର୍କ ସୂଚନା ସମ୍ପର୍କିତ ଫଳକ ନାହିଁ। ଦୂରରୁ ଭାରୀଯାନ ଚାଳକମାନେ ଟ୍ରାଫିକ୍‌ ଛକ ବା କଟ୍‌ ବାବଦରେ ଜାଣିବା ପାଇଁ ସୋଲାର୍ ଲାଇଟ୍‌ ପୋଷ୍ଟ ଲଗାଯାଇନାହିଁ। ଫଳରେ ରାତି ସମୟରେ ଭାରୀଯାନ ଚାଳକମାନେ ବହୁ ସମସ୍ୟାରେ ପଡ଼ୁଥିବା ଜଣାପଡ଼ିଛି। ତୁରନ୍ତ ଏଠାରେ ସତର୍କ ସୂଚନା ସମ୍ବଳିତ ଫଳକ ଓ ହୋର୍ଡିଂ ବ୍ୟବସ୍ଥା ନ ରହିଲେ, ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖଣ୍ଡଗିରି ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ କାମ ଜାରି ରହିଥିବାରୁ ଏବେ ଟ୍ରାଫିକ୍‌ ଛକରୁ ଜାତୀୟ ରାଜପଥର ପୂର୍ବପାର୍ଶ୍ବ ରାସ୍ତାକୁ ବନ୍ଦ କରାଯାଇଛି ଓ ସର୍ଭିସ୍ ରୋଡ୍‌ରେ ଯାନବାହାନ ଚଳାଚଳ କରାଯାଉଛି। ତେଣୁ ଡୁମୁଡୁମା, ରଘୁନାଥନଗର ଓ ସରକନ୍ତରା ଅଞ୍ଚଳରୁ ଭୁବନେଶ୍ବର ଯାଉଥିବା ଯାନବାହାନ ସବୁକୁ ସେହି ସର୍ଭିସ୍ ରୋଡ୍‌ରେ ଆଉ ଯିବାକୁ ଦିଆଯାଉନାହିଁ। ସେମାନଙ୍କ ପାଇଁ ଆଇଗିଣିଆ ଛକରେ ଜାତୀୟ ରାଜପଥ ଉପରେ ଏକ କଟ୍ ଖୋଲା ଯାଇଛି ଓ ତାହା ନୂଆ ଟ୍ରାଫିକ୍ ପୋଷ୍ଟ ଭାବେ କାମ କରୁଛି। ଏବେ ଏହି ଛକ ଉପରେ କସ୍‌ମୋପଲି, ପଞ୍ଚସଖାନଗର, ଡୁମୁଡୁମା, ହାଉସିଂ ବୋର୍ଡ କଲୋନି, ଯଦୁପୁର, ସରକନ୍ତରା, ରଘୁନାଥନଗର ଆଦି ଅଞ୍ଚଳର ଲୋକେ ନିର୍ଭର କରୁଛନ୍ତି। ତେଣୁ ପ୍ରାୟ ସବୁ ସମୟରେ ଏହି ଛକରେ ପ୍ରବଳ ଭିଡ଼ ରହୁଛି। ଅଧିକ ଯାନବାହାନ କସ୍‌ମୋପଲି ପାର୍ଶ୍ବରୁ ଆଇଗିଣିଆ ଗାଁ ପାର୍ଶ୍ବକୁ ଯାଉଛନ୍ତି।

ଉଲ୍ଲ‌େଖଯୋଗ୍ୟ ଯେ ଆଇଗିଣିଆ ଓଭରବ୍ରିଜ୍‌ରୁ ଖଣ୍ଡଗିରି ଆଡ଼କୁ ବହୁ ଗଡ଼ାଣିଆ ଓ ସ୍ବାଭାବିକ ଭାବେ ସେହି ଗାଡ଼ିମାନଙ୍କର ବେଗ ଅଧିକ ଥାଏ। ତେଣୁ ଆଗରେ କଟ୍‌ ବା ଛକ ରହିଛି ବୋଲି ଓଭରବ୍ରିଜ୍ ପାଖରୁ ସତର୍କ ଫଳକ ରହିବା କଥା। ସେହିଭଳି ରାତି ପାଇଁ ସୋଲାର ବ୍ଲିକିଂ ପୋଷ୍ଟ ମଧ୍ୟ ରହିବା କଥା। ମାତ୍ର ତାହା ନାହିଁ। ଦିନ ସମୟରେ ଟ୍ରାଫିକ୍ ପୁଲିସ ରହୁଥିବାରୁ ଦୁର୍ଘଟଣାର ଆଶଙ୍କା କମ୍ ହୋଇପାରେ। ତଥାପି ବହୁ ସମୟରେ ଗାଡ଼ି ଚାଳକମାନେ ଏହି ଛକ ବାବଦରେ ଜାଣି ନପାରି ପଶି ଆସୁଥିବାରୁ ଟ୍ରାଫିକ୍ ଜାମ୍ ହେଉଛି। କିନ୍ତୁ ରାତିରେ ବିନା ଟ୍ରାଫିକ୍‌ ପୁଲିସ ଓ ବିନା ସତର୍କ ସୂଚନା ଫଳକରେ ଏହି ଛକରେ ବଡ଼ ଧରଣର ଦୁର୍ଘଟଣା ଘଟିବା ସମ୍ଭାବନା ଅଧିକ। ତେଣୁ ତୁରନ୍ତ ଏହି ଟ୍ରାଫିକ୍ ପୋଷ୍ଟରେ ସମସ୍ତ ପ୍ରକାର ସତର୍କ ସୂଚନା ଲଗାଇବାକୁ ଦାବି କରାଯାଉଛି।

ସମ୍ବନ୍ଧିତ ଖବର