ମେଣ୍ଢାଶାଳ : ପ୍ରାୟ ୬ ମାସ ପରେ ରାଜଧାନୀ ଉପକଣ୍ଠକୁ ଫେରି ଆସିଛି ଦନ୍ତା ହାତୀ ରାମୁ। କିଛି ଦିନ ହେଲା ଦେଉଳିଆମୁଣ୍ଡିଆରେ ଡେରା ପକାଇଛି। ରାତି ହେଲେ ନିକଟସ୍ଥ ଅଞ୍ଚଳରେ ବୁଲୁଛି। ଗତରାତିରେ ଛତାବର ପଞ୍ଚାୟତ ଅରିଶଲ ଗାଁରେ ପଶି ବ୍ୟାପକ ଭଙ୍ଗାରୁଜା କରିଛି। ତେଣୁ ଏବେ ରାଜଧାନୀ ଉପକଣ୍ଠ ଅଞ୍ଚଳରେ ରାମୁ ଭୟରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Advertisment

ଗତକାଲି ବିଳମ୍ବିତ ରାତିରେ ଅରିଶଲ ଗ୍ରାମରେ ନାକୁର ମୁଦୁଲି ଓ ସରୋଜ ନାୟକଙ୍କ ବାଡ଼ିରେ ରାମୁ ପଶିଥିଲା। ନାକୁରଙ୍କ ପାଚେରି ଭାଙ୍ଗିବା ସହ ବାଡ଼ିରେ ବ୍ୟାପକ ପରିବା ନଷ୍ଟ କରିଥିଲା। ସରୋଜଙ୍କ ବାଡ଼ିରେ ଥିବା ବହୁ କଦଳୀ ଗଛ ସବୁ ଭାଙ୍ଗି ପକାଇଥିଲା। ଗାଁ ଲୋକେ ପାଟି କରିବା ପ‌‌ରେ ରାମୁ ମଦନପୁର ଓ ମେଣ୍ଢାଶାଳ ଗହୀର ଦେଇ ଦେଉଳିଆପାଟଣା ମୁଣ୍ଡିଆକୁ ଚାଲିଯାଇଥିଲା।

ସୂଚନାଯୋଗ୍ୟ, ଗତ ଜାନୁଆରି ୬ ତାରିଖ ରାତିରେ ମଳିପଡ଼ାରେ ରାମୁ ବ୍ୟାପକ କ୍ଷତି କରିଥିଲା। ଗ୍ରାମର ତ୍ରିନାଥ ସାମନ୍ତରାୟ, ଦିବାକର ସାମନ୍ତରାୟ, ପ୍ରଦୀପ କୁମାର ସାମନ୍ତରାୟ, ଜନାର୍ଦ୍ଦନ ରଥ ଓ ବୈକୁଣ୍ଠ ରାଉତରାୟ ପ୍ରମୁଖଙ୍କ ବାଡ଼ିରେ ପଶି ପନିପରିବା ଫସଲ ଦଳିଚକଟି ନଷ୍ଟ କରିଥିଲା। ପର ଦିନ ମଦନପୁର ଗ୍ରାମରେ ପଶି ସଚ୍ଚିଦାନନ୍ଦ ଚମ୍ପତିଙ୍କ ବାଡ଼ିରେ ବ୍ୟାପକ ଧାନ ନଷ୍ଟ କରିଥିଲା। ତେଣୁ ସେତେବେଳେ ଲୋକେ ରାମୁ ପାଇଁ ଭୟଭୀତ ହୋଇପଡ଼ିଥିଲେ ଓ ରାତିରେ ଚଳପ୍ରଚଳ ଏକପ୍ରକାର ବନ୍ଦ ହୋଇଯାଇଥିଲା। ଏବେ ପୁଣି ସେହି ଅବସ୍ଥା ଫେରିଛି। ଏବେ ସନ୍ଧ୍ୟାରେ ଲୋକେ ତାଟି କବାଟ ଦେଇ ଘରେ ରହୁଛନ୍ତି ଓ ଗାଁ ଲୋକେ ନିଆଁ ହୁଳା ଧରି ଜଗି ବସୁଛନ୍ତି। ମଦନପୁର, ପାଇକରାପୁର, ଜାଗସରାପାଟଣା, ଦେଉଳିଆପାଟଣା, ଗୋଠପାଟଣା, ମଳିପଡ଼ା, ଶ୍ୟାମପୁର, କାଟେଣୀ, ଗିରିଙ୍ଗାପୁଟ, ମେଣ୍ଢାଶାଳ, ଛତାବର ଓ ଅରିଶଲ ଆଦି ଗାଁରେ ଲୋକେ ଆତଙ୍କିତ ଅବସ୍ଥାରେ ଥିବା କହିଛନ୍ତି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ ରାମୁ ଫେରିବା ମୁଣ୍ଡବିନ୍ଧାର କାରଣ ହୋଇଛି। ସନ୍ଧ୍ୟା ୬ଟା ହେଉହେଉ ରାମୁ ହାତୀ ରାସ୍ତାକୁ ବାହାରି ଆସୁଛି। ତେଣୁ ଅନ୍ଧାରୁଆ, ଚନ୍ଦକା, ଭରତପୁର, ଶ୍ୟାମପୁର, ମଳିପଡା, ଗୋଠପାଟଣା ଓ ଘଙ୍ଗାପାଟଣାର ଲୋକମାନଙ୍କୁ ବନ ବିଭାଗ ତରଫରୁ ସତର୍କ କରାଯାଉଛି ବୋଲି ଚନ୍ଦକା ବନଖଣ୍ଡ ଅଧିକାରୀ କେଦାରନାଥ ସ୍ବାଇଁ କହିଛନ୍ତି।