ଭୁବନେଶ୍ୱର: ସ୍କୁଟି ନୁହେଁ ବୁଲେଟ୍। ଜଣେ କି ଦୁଇଜଣ ନୁହନ୍ତି ଗୋଟିଏ ବୁଲେଟ୍ରେ ୧୩ ଜଣଙ୍କୁ ନେଇ ଭାରତ ମାତାକୁ ସମ୍ମାନ ଜଣାଇବ ଡେୟାର ଡେଭିଲ୍ ଗ୍ରୁପ୍। ଏଥିପାଇଁ ଚାଲିଛି ଦମ୍ଦାର୍ ଅଭ୍ୟାସ। ନିଜକୁ ଉତ୍ତମରୁ ସର୍ବୋତ୍ତମ କରିବାକୁ ଚାଲିଛି ପ୍ରାଣମୂର୍ଚ୍ଛା କସରତ। କେବଳ ଯୁବକ ନୁହନ୍ତି, ଯୁବତୀମାନେ ମଧ୍ୟ ଦେଖାଉଛନ୍ତି ଅଦମ୍ୟ ସାହସିକତା। ସ୍ୱାଧୀନତା ଦିବସଠୁ ନେଇ ଗଣତନ୍ତ୍ର ଦିବସରେ ଡେୟାର ଡେଭିଲ୍ମାନେ ରଙ୍ଗ ଭରନ୍ତି। ବୁଲେଟ୍ ଉପରେ ମାତ୍ର ୧୫ରୁ ୨୦ କିମି ବେଗରେ ଚମତ୍କାର ଫର୍ମେସନ୍ କରି ଖାଲି ଦୃଷ୍ଟି ଆକର୍ଷଣ କରନ୍ତିନି ବରଂ ବଳିଷ୍ଠ ବାର୍ତା ଦିଅନ୍ତି। କଠୋର ଅଧ୍ୟବସାୟ, ଗଭୀର ଆତ୍ମବିଶ୍ୱାସ ଯୋଗୁ ଏପରି ସଫଳତା ମଳିଥିବା ଗ୍ରୁପ୍ ପକ୍ଷରୁ କୁହାଯାଇଛି। ୨୦୧୨ ମସିହାରୁ ଏମିତି ଚମତ୍କତ କରି ଆସୁଛି ‘ମହର୍ଷି ଡେୟାର ଡେଭିଲ୍ସ୍’ ଗ୍ରୁପ୍।
କେବଳ ସେନାବାହିନୀରେ ଏଭଳି କରାଯାଉଥିବା ବେଳେ ଓଡ଼ିଶା ତଥା ଭାରତର ଏହା ହେଉଛି ପ୍ରଥମ ଛାତ୍ରଭିତ୍ତିକ ଡେୟାର ଡେଭିଲ। ଚଳିତ ବର୍ଷ ସ୍ୱାଧୀନତା ଦିବସରେ ୫ଟି ବୁଲେଟ୍ (ଯୁବକ)ଫର୍ମେସନ୍ ଓ ୩ଟି ବୁଲେଟ୍ (ଯୁବତୀ) ଫର୍ମେସନ୍ରେ ପ୍ରାୟ ୯୦ ଜଣଙ୍କୁ ଦେଖିବାକୁ ମିଳିବ। ଚଳିତ ବର୍ଷ ଯୁବକମାନେ ଭାରତୀୟ ବାୟୁ ସେନାର ସୌର୍ଯ୍ୟର ପ୍ରତୀକ ଯୁଦ୍ଧ ବିମାନ ରାଫେଲ୍ର ଫର୍ମେସନ୍ ପ୍ରଦର୍ଶନ କରିବେ। ଯୁବତୀମାନେ ଭାରତ ମାତାଙ୍କ ସହ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ୍ ଓ ଶିଖ୍ ଧର୍ମର ପୋଷାକ ପିନ୍ଧି ଧର୍ମ ନିରପେକ୍ଷତାକୁ ପ୍ରଦର୍ଶନ କରିବେ। ‘ମହର୍ଷି ଡେୟାର ଡେଭିଲ୍ସ୍’ର ପ୍ରତିଷ୍ଠାତା ଫ୍ଲାଇଟ୍ ଲେଫ୍ଟ୍ନାଣ୍ଟ୍ ମିହିର ରଞ୍ଜନ ସରଣ କୁହନ୍ତି, ଏହା ଏକ ଦୁଃସାହସିକ ପ୍ରଦର୍ଶନ ନୁହେଁ ବରଂ ଶୃଙ୍ଖଳାବୋଧ ଓ ସନ୍ତୁଳନ ଶିକ୍ଷାର ମାଧ୍ୟମ। ବୁଲେଟ୍ର ଓଜନ ୨ରୁ ଅଢ଼େଇ କୁଇଣ୍ଟାଲ୍ ଥିବା ବେଳେ ଏହା ଉପରେ ପାଖାପାଖି ୯ରୁ୧୩ ଜଣ ପିଲା ଲଦି ହେବାରୁ ଓଜନ ଦୁଇଗୁଣ ହୋଇଯାଏ। ଫଳରେ ବୁଲେଟ ଚାଳକ ସହ ବୁଲେଟ୍ ଉପରେ ଥିବା ସମସ୍ତ ପିଲାଙ୍କୁ ନିଜ ଶରୀରର ଭାରସାମ୍ୟ ରକ୍ଷା କରିବାକୁ ପଡ଼େ। ଏହି ଡେୟାର ଡେଭିଲ୍ ଗ୍ରୁପ୍ କେବଳ ବାଇକ ପ୍ରଦର୍ଶନରେ ସୀମିତ ନାହିଁ। ବୃକ୍ଷ ରୋପଣ, ପ୍ରାକୃତିକ ଦୁର୍ବିପାକରେ କ୍ଷତିଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିବା ମଧ୍ୟ ନିୟୋଜିତ ହୋଇଛି ବୋଲି ସେ କହିଛନ୍ତି। ପୁରୀ-କଟକ ବାଇପାସ୍ ରୋଡ୍ରେ ୫୦୦୦ ଗଛ ଲଗାଇ ଏହି ଗ୍ରୁପ୍ ‘ପ୍ରକୃତି ମିତ୍ର ସମ୍ମାନ’ ପାଇଛିି। ଏହାଛଡ଼ା ‘ଦୁଃସାହସିକ କ୍ରୀଡ଼ା ସମ୍ମାନ’ ଓ ‘ନଗରବନ୍ଧୁ’ ସମ୍ମାନ ବି ପାଇଛି। ଯୁବତୀଙ୍କ ଡେୟାର ଡେଭିଲ୍ସ୍ର ମୁଖ୍ୟ ଚିନ୍ମୟୀ ଭୂୟାଁ କୁହନ୍ତି, ୬ବର୍ଷ ତଳେ ଏହି ଗ୍ରୁପ୍ ମହର୍ଷି କଲେଜରୁ ଆରମ୍ଭ ହୋଇଥିଲା। ସେତେବେଳେ କେବଳ ଯୁବକ ଟିମ୍ ଥିଲା। ମୁଁ ସେମାନଙ୍କୁ ଫାଷ୍ଟ୍ଏଡ୍ରେ ସହଯୋଗ କରୁଥିଲି। ପରେ ଝିଅମାନଙ୍କ ଏକ ଟିମ୍ ଗଠନର ପ୍ରସ୍ତାବ ଦେଲି। ସ୍କୁଟିରୁ ଆରମ୍ଭ ଏହି ଯାତ୍ରା ବୁଲେଟ୍ରେ ପହଞ୍ଚିଛି। ଏବେ ବି ଝିଅଟିଏ ବାଇକ୍ ଚଲାଇବା ଦେଖିଲେ ଚର୍ଚା ହୁଏ। ମାତ୍ର ଝିଅମାନେ ଯେ କାହାଠୁ କମ୍ ନୁହନ୍ତି ଡେୟାର ଡେଭିଲ୍ ଟିମ୍ ତାହା ପ୍ରମାଣିତ କରିଛି।
ଡେୟାର ଡେଭିଲ୍ରେ ‘ରାଫେଲ୍’
/sambad/media/post_attachments/wp-content/uploads/2018/08/m22-2.jpg)