ଭୁବନେଶ୍ୱର : ଶୀତ ଦିନ ହେଇଥିବାରୁ ୫ଟା ବେଳେ ସହରକୁ ଅନ୍ଧାର ମାଡ଼ି ବସୁଛି। ଗଳିକନ୍ଦିରୁ ଆରମ୍ଭ କରି ରାଜପଥରେ ଅନ୍ଧାର ରାଜୁତି କରୁଛି। ଲାଗୁଛି ଯେମିତି ପାୱାର କଟ୍ ହୋଇଛି। ଠିକ୍ ୬ଟା ବେଳକୁ ଲାଇନ୍ ଆସୁଛି। ପୁଣି ରାସ୍ତାଘାଟ, ଗଳିକନ୍ଦି ଆଲୋକିତ ହେଉଛି। ଦୀର୍ଘ ୧୫ଦିନ ଧରି ରାଜଧାନୀରେ ଏଭଳି ପରିସ୍ଥିତି ଜାରି ରହିଛି। ପାୱାର କଟ୍ ହେଉ ନାହିଁ କିମ୍ବା ବିଦ୍ୟୁତ୍ ଯୋଗାଣରେ ମଧ୍ୟ କୌଣସି ସମସ୍ୟା ନାହିଁ। ବରଂ ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଯୋଗୁଁ ଏଭଳି ଏକ ବିଚିତ୍ର ପରିସ୍ଥିତି ଖୋଦ୍ ରାଜଧାନୀରେ ସୃଷ୍ଟି ହୋଇଛି। ବଡ଼କଥା ହେଉଛି, ଦୀର୍ଘ ଘଣ୍ଟାଏରୁ ଊର୍ଦ୍ଧ୍ବ କାଳ ଅନ୍ଧାର ରହୁଥିବାରୁ ଏହି ସମୟକୁ ଲୁଟେରାମାନେ ଟାର୍ଗେଟ୍ କଲେଣି।
/sambad/media/post_attachments/wp-content/uploads/2020/12/dark-m13.jpg)
ବାସ୍ତବରେ ଷ୍ଟ୍ରିଟ୍ ଲାଇଟ୍ଗୁଡ଼ିକ ଜଳିବା ପାଇଁ ଅଟୋମେଟିକ୍ ବ୍ୟବସ୍ଥା କରାଯାଇଛି। ଲାଇଟ୍ ଖୁଣ୍ଟରେ ଟାଇମର ସେଟିଂ କରାଯାଇଛି। ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଜଳିବା ପାଇଁ ଏହି ଟାଇମର ସେଟ୍ କରାଯାଇଛି। ଏହି ସମୟକୁ ପିକ୍-ଲୋଡ୍ ବୋଲି କୁହାଯାଉଛି। ସନ୍ଧ୍ୟା ୬ରୁ ଲାଇଟ୍ ଆପେ ଜଳିବା ସହ ସକାଳ ୬ଟାରେ ଆପେ ବନ୍ଦ ହୋଇଯିବ। କିନ୍ତୁ ଶୀତଦିନ ପାଇଁ ଏବେ ସନ୍ଧ୍ୟା ୫ଟାରୁ ଅନ୍ଧାର ହୋଇଯାଉଛି। ଏହି ଟାଇମର ସେଟିଂ ଫଳରେ ସନ୍ଧ୍ୟାରେ ସହର ଘଣ୍ଟାଏ ଅନ୍ଧାରରେ ରହୁଛି।
ସହରରେ ବିଦ୍ୟୁତ୍ ପରିଚାଳନା କ୍ଷେତ୍ରରେ ୩ଟି ସଂସ୍ଥା କାମ କରୁଛନ୍ତି। ଘରୋଇ ଯୋଗାଣ ସହ ଶିଳ୍ପାନୁଷ୍ଠାନଗୁଡ଼ିକୁ ଯାଇଥିବା ସଂଯୋଗ ଟାଟା ପାୱାର ବୁଝୁଥିବା ବେଳେ ରାଜପଥରେ ଏନ୍ଏଚ୍ଏଆଇ ପରିଚାଳନା କରୁଛି। ଷ୍ଟ୍ରିଟ୍ଲାଇଟ୍ଗୁଡ଼ିକ ବିଏମ୍ସି ପରିଚାଳନା କରୁଛି। ଶୀତଦିନ ପାଇଁ ପିକ୍-ଲୋଡ୍ ଟାଇମିଂ ପରିବର୍ତ୍ତନ କରାଯାଏ। ବିଏମ୍ସି ପକ୍ଷରୁ ଏହି ଟାଇମର୍କୁ ସନ୍ଧ୍ୟା ୬ରୁ ସକାଳ ୬ ପରିବର୍ତ୍ତେ ଏହାକୁ ସନ୍ଧ୍ୟା ୫ଟାରୁ ସକାଳ ୫ଟା ଯାଏ କରାଯାଏ। କିନ୍ତୁ ବିଏମ୍ସିର ଅବହେଳା ଯୋଗୁଁ ଏବେ ସହରରେ ଏଭଳି ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି।
/sambad/media/post_attachments/wp-content/uploads/2020/12/dark-m15-scaled.jpg)
ଫଳରେ ଏହାର ଫାଇଦା ନେଇ ଏବେ ଅପରାଧୀମାନେ ସକ୍ରିୟ ହୋଇଉଠିଲେଣି। ସନ୍ଧ୍ୟାରେ ଅନ୍ଧାର ରହୁଥିବାରୁ ଅପରାଧୀମାନେ ଏହି ସମୟକୁ ଟାର୍ଗେଟ୍ କରିଛନ୍ତି। ଏହି ସମୟରେ ହିଁ ଅଧିକ ଛିନ୍ତାଇ ହେଉଛି। ରାଜପଥ ସମେତ ଗଳିକନ୍ଦିରେ ଛିନ୍ତାଇ କରି ଅନ୍ଧାରରେ ଫେରାର ହୋଇଯିବାକୁ ଲୁଟେରାମାନେ ସକ୍ଷମ ହେଉଛନ୍ତି। ବିଶେଷକରି ଖାରବଳେନଗର, ବରମୁଣ୍ଡା, ସିଆରପି, ନୂଆପଲ୍ଲୀ, କଳ୍ପନା, ଖଣ୍ଡଗିରି ଓ କଳିଙ୍ଗନଗର ପ୍ରଭୃତି ଅଞ୍ଚଳରେ ଲୁଟେରାଙ୍କ ଉତ୍ପାତ ବଢ଼ିଛି। ନିକଟ ଅତୀତରେ ପ୍ରଦର୍ଶନୀ ପଡ଼ିଆ ପଛରୁ ଏକ ଦମ୍ପତିଙ୍କଠାରୁ ଏହି ସମୟରେ ଲୁଟ୍ପାଟ୍ ହୋଇଥିବା ନଜିର ରହିଛି। କଳିଙ୍ଗନଗର ଅଞ୍ଚଳରେ ହୋଇଥିବା ଏକାଧିକ ଲୁଟ୍ ଏହି ସମୟରେ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଖୁବ୍ଶୀଘ୍ର ଏହି ପିକ୍ଲୋଡ୍ର ସମୟ ପରିବର୍ତ୍ତନ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/dark-m14.jpg)