ଚନ୍ଦ୍ରଶେଖରପୁର: ଅଢ଼େଇ ବର୍ଷ ତଳେ ରାସ୍ତା ନିର୍ମାଣ ହୋଇଥିଲା। ଆଇଟି କମ୍ପାନି ସହ ‌ମାଳ ମାଳ ଶିକ୍ଷାନୁଷ୍ଠାନ ରହିଥିବାରୁ ରାସ୍ତା ଓସାରିଆ କରାଯିବା ସହ ଫୁଟପାଥ୍‌ ବ୍ୟବସ୍ଥା ରହିଥିଲା। ମାତ୍ର ବର୍ଷ କେଇଟା ମଧ୍ୟରେ ରାସ୍ତା ଅବସ୍ଥା ଖରାପ ହୋଇଯାଇଛି। କେଉଁଠି ରାସ୍ତାରୁ ପିଚୁ ଉଠିଗଲାଣି ତ ଆଉ କେଉଁଠି ଖାଲ ସୃଷ୍ଟି ହୋଇଛି। ଯେଉଁଥିପାଇଁ ପ୍ରତିଦିନ ଗୋଟିଏ ଯୋଡ଼ିଏ ଦୁର୍ଘଟଣା ହେଉଛି। ଶୈଳଶ୍ରୀବିହାର ସାଇ ମନ୍ଦିର ଛକରୁ ଇନ୍‌ଫୋସିଟି ଛକ ପର୍ଯ୍ୟନ୍ତ ପ୍ରାୟ ୫୦୦ ମିଟର ରାସ୍ତା ଅବସ୍ଥା ଏବେ ଏମିତି ହୋଇଛି। କେବଳ ସେତିକି ନୁହେଁ, ଦୁଇ ମାସ ତଳେ ରାସ୍ତା ଆଲୋକ ପାଇଁ ପୋତାଯାଇଥିବା ଖୁଣ୍ଟଗୁଡ଼ିକୁ ଗତକାଲି ହଠାତ୍‌ ଓପାଡ଼ି ଦିଆଯାଇଛି। କାହିଁକି ଓ କେଉଁ ଉଦ୍ଦେଶ୍ୟରେ ପୋତା ଯାଇଥିଲା ଏବଂ ପୁଣି କାହିଁକି ଓପଡ଼ା ଯାଉଛି ତାହାକୁ ନେଇ ‌ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ ଇନଫୋସିଟି ରାସ୍ତା ନିର୍ମାଣର ଅଢ଼େଇ ବର୍ଷ ପରେ ମଧ୍ୟ ଅନ୍ଧାର ରହିଥିଲା। ବାରମ୍ବାର ଦାବି ପରେ ଦୁଇ ମାସ ତଳେ ଦିନେ ରାତିରେ ଲାଇଟ୍‌ ଲାଗିବା ପାଇଁ ଡିଜାଇଡର୍‌ରେ ଖୁଣ୍ଟ ପୋତା ଯାଇଥିଲା। ମାତ୍ର କ’ଣ ହେଲା କେଜାଣି ଗତକାଲି ସେସବୁକୁ ପୁଣି ଖୋଳାଯାଇ ଓପାଡ଼ି ଦିଆଯାଇଛି। ରାସ୍ତା ଡିଭାଇଡରକୁ ବାରମ୍ବାର ଖୋଳାଯାଉଛି, ପୁଣି ତିଆରି ହେଉଛି।

Advertisment

ଏହାଦ୍ବାରା ରାସ୍ତା ଅସୁନ୍ଦର ହେଉଛି। ଯିବା ଆସିବାରେ ମଧ୍ୟ ଅସୁବିଧା ଉପୁଜୁଛି। ବିଏମ୍‌ସି ତତ୍ତ୍ବାବଧାନରେ ଚାଲିଥିବା କାମ କାହିଁକି ଏପରି ହେଉଛି ବୋଲି ସ୍ଥାନୀୟ ଜନସାଧାରଣ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଫଳରେ ଏହି ରାସ୍ତାରେ ଆଲୋକୀକରଣ ଅଯଥା ବିଳମ୍ବ ହେଉଛି। ସନ୍ଧ୍ୟା ହେଲେ ରାସ୍ତାରେ ଅନ୍ଧକାର ବିରାଜମାନ କରୁଛି। କାରଣ ଏହି ରାସ୍ତାରେ ଦୀର୍ଘଦିନ ହେଲା ଷ୍ଟ୍ରିଟ୍ ଲାଇଟ୍ ଲଗିପାରୁ ନାହିଁ। ଏହା ମଧ୍ୟ ପଟିଆ ଛକ, ଶିଖରଚଣ୍ଡୀ ଛକ ଓ କିଟ୍ ଛକକୁ ଯୋଗାଯୋଗର ଏକ ପ୍ରମୁଖ ରାସ୍ତା। ଚନ୍ଦକା ଶିଳ୍ପଞ୍ଚଳର ଏହା ଏକ ପ୍ରମୁଖ ରାସ୍ତା, ଯେଉଁ ରାସ୍ତାରେ ପ୍ରତ୍ୟେହ ସିଟି ବସ୍‌ଠାରୁ ଆରମ୍ଭ କରି ବିଭିନ୍ନ ଶିକ୍ଷାନୁଷ୍ଠାନର ଗାଡ଼ି, ଇନଫୋସିସ୍, ଟିସିଏସ୍, ମାଇଣ୍ଡ ଟ୍ରି ପରି ପ୍ରତିଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ତଥା ବହୁ ନାମିଦାମୀ ଶିକ୍ଷାନୁଷ୍ଠାନର କର୍ମଚାରୀ, ଛାତ୍ରଛାତ୍ରୀ ଓ ଜନସାଧାରଣ ନିୟମିତ ଯିବା ଆସିବା କରିଥାନ୍ତି। ସନ୍ଧ୍ୟା ହେଲେ ଅନ୍ଧକାରରେ ଏ ରାସ୍ତାରେ ଯିବା ଆସିବା ପଥଚାରୀଙ୍କ ପାଇଁ ବିପଦଜନକ ହୋଇପଡୁଛି। ପଥଚାରୀଙ୍କଠାରୁ ମୋବାଇଲ୍ ଲୁଟ୍ ହେଉଛି। ଦୁଇ ଚକିଆ ଯାନ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣା ମଧ୍ୟ ଘଟୁଛି। ତେଣୁ ଯେତେଶୀଘ୍ର ସମ୍ଭବ ରାସ୍ତାରେ ଆଲୋକୀକରଣ କରିବାକୁ ଲୋକେ ମତପ୍ରକାଶ କରିଛନ୍ତି।