ଭୁବନେଶ୍ବର : ଏମିତି ଆମ ସ୍ମାର୍ଟ ସିଟି ଭୁବନେଶ୍ବର! ସାମୁଦ୍ରିକ ଝଡ଼ ଫନିକୁ ୩ ମାସ ବିତି ଗଲାଣି। କିନ୍ତୁ ଏଯାଏଁ ଭୁବନେଶ୍ବର ଷ୍ଟେସନ ସମ୍ମୁଖ ଆଲୋକୀକରଣ ହୋଇ ପାରିନାହିଁ। ଷ୍ଟେସନ୍ ଚାରିପଟ ଅନ୍ଧାର ରହିବାରୁ ଯାତ୍ରୀମାନେ ଅନେକ ସମୟରେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଅନ୍ଧାରରର ସୁଯୋଗ ନେଇ ଅପରାଧୀମାନେ ମଧ୍ୟ ଲୁଟପାଟ୍ କରୁଛନ୍ତି। ବିଳମ୍ବିତ ରାତିରେ ଷ୍ଟେସନ୍କୁ ଯିବାକୁ ଅନେକେ ଏବେ ଅସୁରକ୍ଷିତ ମନେ କଲେଣି। ଏ ହେଉଛି ଭୁବନେଶ୍ବର ଷ୍ଟେସନ୍ ସମ୍ମୁଖର ଅବସ୍ଥା। ଭୁବନେଶ୍ବର ପ୍ରବେଶପଥର ଅବସ୍ଥା ଦେଖି ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀମାନେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି। ଫଳରେ ଭୁବନେଶ୍ବର ପ୍ରତି ଅନ୍ୟ ରାଜ୍ୟ ବାସିନ୍ଦାଙ୍କ ମନରେ ଏକ ପ୍ରକାର ଭିନ୍ନ ମତ ସୃଷ୍ଟି ହେଉଛି।
ଭୁବନେଶ୍ବର ଷ୍ଟେସନକୁ ପ୍ରତ୍ୟେକ ଦିନ ୩୦ରୁ ୩୫ହଜାର ଯାତ୍ରୀ ଆସିଥାନ୍ତି। ଭୁବନେଶ୍ବରରୁ ମଧ୍ୟ ଅନେକ ରାଜ୍ୟ ବାହାରକୁ ଯାଇଥାନ୍ତି। ସଂଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନେକ ଟ୍ରେନ୍ ଏଠାରୁ ରାଜ୍ୟ ବାହାରକୁ ଯାଉଥିବା ବେଳେ ଏକାଧିକ ଟ୍ରେନ୍ ଭୁବନେଶ୍ବର ଷ୍ଟେସନ୍ରେ ଲାଗିଥାଏ। ତେବେ ଷ୍ଟେସନ୍ରୁ ବାହାରି ଆସିବା ପରେ କିଟିକିଟି ଅନ୍ଧାର। ଷ୍ଟେସନ୍ରୁ ମାଷ୍ଟରକ୍ୟାଣ୍ଟିନ୍ ଆସିବା ପର୍ଯ୍ୟନ୍ତ ଏଭଳି ଅନ୍ଧାର ଯେ ମୁହଁକୁ ମୁହଁ ଦେଖାଯିବନି। ବିଦ୍ୟୁତ ଖୁଣ୍ଟ ଅଛି, ଷ୍ଟ୍ରିଟ ଲାଇଟ ଅଛି। କିନ୍ତୁ ଲାଇଟ୍ ଜଳୁ ନାହିଁ। ଷ୍ଟ୍ରିଟ୍ ଲାଇଟଗୁଡ଼ିକ ଫିନି ପରଠାରୁ ସେମିତି ମୋଡ଼ି ହୋଇରହିଛି। ନା ବିଏମସି ଏଥିପ୍ରତି ନିଘା ଅଛି ନା ରେଳବାଇର। ପରସ୍ପର ପ୍ରତି ଏଭଳି ଦୋଷ ଠେଲାଠେଲି ହେବା କାରଣରୁ ଅଞ୍ଚଳଟି ଏବେ ଅନ୍ଧାରରେ।
ତେବେ ଏହି ଅନ୍ଧାରର ସୁଯୋଗ ନେଉଛନ୍ତି କେତେକ ଲୁଟେରା। ଷ୍ଟେସନରୁ ବାହାରୁ ଥିବା ଯାତ୍ରୀମାନଙ୍କୁ ଲୁଟପାଟ କରୁଛନ୍ତି। ଫଳରେ ଏବେ ଦୈନିକ ଅପରାଧ ବଢ଼ି ବଢ଼ି ଚାଲିଛି। ରେଳବାଇ ଥାନାରେ ମାମଲା ମଧ୍ୟ ବଢ଼ି ଚାଲିଛି। ଏ ସମ୍ପର୍କରେ ରେଳବାଇ ଥାନା ଇନ୍ସପେକ୍ଟର ଭରତ ସାହୁ କହିଛନ୍ତି, ଷ୍ଟେସନ୍ ସମ୍ମୁଖରେ ଏଭଳି ଅନ୍ଧାର ରହୁଥିବା ନେଇ ରେଳବାଇ ଓ ବିଏମସିକୁ ଅବଗତ କରାଯିବ।