ଭୁବନେଶ୍ୱର: ସାଂସ୍କୃତିକ ଅନୁଷ୍ଠାନ ଶିଳ୍ପିକା ପକ୍ଷରୁ ଆଜି ଭଞ୍ଜ କଳାମଣ୍ଡପରେ ସାଂସ୍କୃତିକ ସମାରୋହ ‘ଡାର୍କ ଟୁ ଲାଇଟ୍‌’ ଅନୁଷ୍ଠିତ ହୋଇଯାଇଛି। ଭାରତନାଟ୍ୟମ୍‌, ମାହାରୀ, ଓଡ଼ିଶୀ, ସମ୍ବଲପୁରୀ ସମେତ ବିଭିନ୍ନ କ୍ରିଏଟିଭ୍‌ ନୃତ୍ୟର ସମ୍ଭାର ଆଜି ଏହି ସମାରୋହର ଦର୍ଶକଙ୍କୁ ବିମୋହିତ କରିଥିଲା। ଶାସ୍ତ୍ରୀୟ ନୃତ୍ୟ ସହିତ କ୍ରିଏଟିଭ୍‌ ନୃତ୍ୟ ଭଞ୍ଜ କଳାମଣ୍ଡପର ମଞ୍ଚ ଦୁଲୁକାଇଥିଲା।  

Advertisment

ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ପାଇଁ ‘ଶିଳ୍ପିକା ସମ୍ମାନ-୨୦୨୫’ ତିନିଜଣ କଳାକାରଙ୍କୁ ପ୍ରଦାନ କରାଯାଇଥିଲା। ସେମାନେ ହେଲେ ବାଲେଶ୍ୱରର ବିଶିଷ୍ଟ ଜଉ କଣ୍ଢେଇ ଶିଳ୍ପୀ କେଶୁ ଦାସ, ପୁରୀର ଘୋଡ଼ାନାଚ ଶିଳ୍ପୀ ଜଟାଧାରୀ ବେହେରା ଓ ‘ରସ ଜାମୁଡାଳି’ ସମ୍ବଲପୁରୀ ଗୀତର ଗାୟିକା ସନ୍ଧ୍ୟାରାଣୀ ପାଟ୍ଟଯୋଶୀ। ଏହି ଅବସରରେ କୋଲକାତାର ଆଦିକଳା ନୃତ୍ୟ ଏକାଡେମୀ ପକ୍ଷରୁ ଭାରତନାଟ୍ୟମ୍‌, ବ୍ରହ୍ମପୁର ଓଡ଼ିଶୀ ସାଧନା ପୀଠ ପକ୍ଷରୁ ଓଡ଼ିଶୀ ନୃତ୍ୟ, କଟକ ଶ୍ରୀଜଗନ୍ନାଥ ନୃତ୍ୟ ଏକାଡେମୀ ପକ୍ଷରୁ ମାହାରୀ ନୃତ୍ୟ, କେନ୍ଦୁଝର ବୀଣାପାଣି କଳା ନିକେତନ ପକ୍ଷରୁ ନୃତ୍ୟାଭିନୟ, ବାଲେଶ୍ୱର ଶ୍ରଦ୍ଧା କ୍ରିଏଟିଭ୍ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ଏବଂ ଶିଳ୍ପିକା ଭୁବନେଶ୍ୱର ପକ୍ଷରୁ କ୍ରିଏଟିଭ୍ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରାରମ୍ଭରୁ କୁନି ପିଲାମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ। ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ. ଚନ୍ଦ୍ରଶେଖର ହୋତା, କିଶୋର ଦ୍ୱିବେଦୀ, କଣ୍ଠଶିଳ୍ପୀ ଅନିନ୍ଦିତା ଦାସ, ଅଶ୍ରୁମୋଚନ ମହାନ୍ତି, କମଳ ଚକ୍ରବର୍ତ୍ତୀ, ଅଭିନେତ୍ରୀ ସୁଭଦ୍ରା ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଅନୁଷ୍ଠାନର ସଂପାଦକ ବାସୁଦେବ ନାଥ ସ୍ବାଗତ ଭାଷଣ ଓ ବରିଷ୍ଠ ସଦସ୍ୟା ପାର୍ବତୀ ବାରିକ ଧନ୍ୟବାଦ ଦେଇଥିଲେ। ଚନ୍ଦନ ସାହୁ, ମନୋରଞ୍ଜନ ଦାସ, ସୁମନ ମହାପାତ୍ର, ବିକାଶ ବିଶ୍ୱାଳ, ଶାନ୍ତି ମହାପାତ୍ର, ଶୁଭସ୍ମିତା ବାରିକ, ମୋନାଲି ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।